୫୦ହଜାର ଲିଟର କ୍ଷୀର ବିକିବୁ କେମିତି?
୪୫ ଗାଈ ଓ ମଇଁଷିଙ୍କ ପହ୍ନାରେ ସଂକ୍ରମଣ
ଭୁବନେଶ୍ବର ବ୍ୟବସାୟୀ ସଂଘ ପକ୍ଷରୁ ଗୋ ଖାଦ୍ୟ ବଣ୍ଟନ
ସରକାରୀସ୍ତରରେ ଗୋଖାଦ୍ୟ ଯୋଗାଣ ନେଇ ଦାବି
ବାଲିଅନ୍ତା : ଲକ୍ଡାଉନ୍ ଯୋଗୁଁ ଦୁଗ୍ଧ ବ୍ୟବସାୟ ଭୀଷଣ ପ୍ରଭାବିତ ହୋଇଛି। ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହୋଇପାରୁନଥିବା ବେଳେ ଗୋ-ଖାଦ୍ୟ ମଧ୍ୟ ପହଞ୍ଚି ପାରୁନାହିଁ। ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ଓ ଜୟଦେବ ଦୁଗ୍ଧ ବ୍ୟବସାୟୀ ସଂଘ ଆଜି ମିଳିତ ଭାବେ ଏହାର ପ୍ରତିବାଦ କରିଛନ୍ତି। ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ଅଧୀନ ଫିରିଫିରା ଗ୍ରାମର ମା’ ଯଶୋବନ୍ତୀ ଗ୍ରାମ ଦେବତୀଙ୍କ ପଡ଼ିଆରେ ଗ୍ରାମର ଦୁଗ୍ଧ ଚାଷୀମାନେ ଶତାଧିକ ଲିଟର କ୍ଷୀର ତଳେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ଅଭାବୀ କ୍ଷୀର ବିକ୍ରି ସମସ୍ୟାର ସମାଧାନ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଆବଶ୍ୟକ ପରିମାଣର ଗୋ-ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଥିଲେ।
ଉପସ୍ଥିତ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଓ ଚାଷୀ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, କରୋନା ଯୋଗୁଁ ଏବେ ପୂରା ଦେଶ ଲକ୍ଡାଉନ୍। ସବୁଠି କଠୋର୍ କଟକଣା। ତେଣୁ ଗାଈ ଓ ମଇଁଷିଙ୍କଠାରୁ ମିଳୁଥିବା ହଜାର ହଜାର ଲିଟର କ୍ଷୀର ବିକ୍ରି କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଦିନକୁ ୫୦ହଜାର ଲିଟରରୁ ଅଧିକ ପରିମାଣର କ୍ଷୀର ଉତ୍ପାଦନ ହେଉଥିଲେ ହେଁ ସେଗୁଡ଼ିକ ବିକ୍ରି ହୋଇପାରୁନାହିଁ। ସେହିପରି ସରକାରୀସ୍ତରରେ ଓମଫେଡ୍ ତଥା ଅନ୍ୟାନ୍ୟ ଘରୋଇ କ୍ଷୀର ସଂଗ୍ରହକାରୀ ସଂସ୍ଥା କ୍ଷୀର ସଂଗ୍ରହ ବନ୍ଦ କରିଦେଇଛି।
ଦୋକାନ ବଜାରରେ ତାଲା ବନ୍ଦ ଯୋଗୁଁ ପନିର, ଛେନା ତଥା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି ମଧ୍ୟ ଏକପ୍ରକାର ଠପ୍ ହୋଇଯାଇଛି। ଫଳରେ ଗୋ-ମହିଷାଦି ଗୃହପାଳିତ ପ୍ରାଣୀମାନଙ୍କ ଲାଗି ଗୋ-ଖାଦ୍ୟ ଯୋଗାଣ କରିବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଖାଇବାକୁ ଦେଇ ନପାରି ଅଧିକାଂଶ ଚାଷୀ ଗାଈଗୋରୁମାନଙ୍କ ଜୀବନ ବଞ୍ଚାଇବା ପାଇଁ ଖୁଣ୍ଟରୁ ପଘା ଫିଟାଇ ଦେଲେଣି। କେତେକ ଗୋପାଳକ ଗାଈ ଓ ମଇଁଷିଙ୍କୁ ଦିନକୁ ଦୁଇବେଳା ଭଲ ଭାବେ ନଦୁହିଁବା ଦ୍ବାରା ଶଙ୍କରଜାତୀୟ ଦୁଧିଆଳି ଗାଈଙ୍କଠାରେ ଏବେ ସ୍ତନ ସଂକ୍ରମଣ ରୋଗ ଦେଖାଦେଇଥିବା ଅଭିଯୋଗ ହୋଇଛି। ଚାଷୀ ବାନାମ୍ବର ଦାସଙ୍କ ସୂଚନାନୁସାରେ, ଗ୍ରାମର ୪୫ଟି ଗାଈଙ୍କ ମଧ୍ୟରେ ଏପରି ସଂକ୍ରମଣ ସମସ୍ୟା ଦେଖାଦେଲାଣି। କଟକ, ଅପରପକ୍ଷେ ସଂଘର ଭୁବନେଶ୍ବର ଓ ପୁରୀ ଜିଲ୍ଲାର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ଭିତରେ ସଂପ୍ରତି କରୋନା ସଂକ୍ରମଣର ମୁକାବିଲା ନେଇ ସଚେତନ କରାଇଥିଲେ। ବଡ଼ କଥା ହେଉଛି, ସାମାଜିକ ଦୂରତା ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଚାଷୀମାନେ ଧାଡ଼ିରେ ନିର୍ଦ୍ଦିଷ୍ଟ ଦୂରତା ଭିତରେ ରହି ଭୁବନେଶ୍ବର ବ୍ୟବସାୟୀ ସଂଘ ତରଫରୁ ବଣ୍ଟନ କରାଯାଇଥିବା ଗୋ-ଖାଦ୍ୟ ନେଇଥିଲେ। ସମାଜସେବୀ ଅର୍ଜୁନ ଜେନାମଣିଙ୍କ ତତ୍ତ୍ବାବଧାନରେ ଦିଲ୍ଲୀପ କୁମାର ବେହେରା, ରମେଶ ବେହେରା, କାର୍ତ୍ତିକ ବେହେରା, ବାବାଜୀ ବେହେରାଙ୍କ ସମେତ ଟୁକୁନା ବେହେରା ଓ ମହିଳା ଚାଷୀମାନେ ଉପସ୍ଥିତ ଥିଲେ।
Follow Us