ଭୁବନେଶ୍ୱର: କୋରାପୁଟ କଫିକୁ କନ୍ଧମାଳର ଘିଅଯୁକ୍ତ ବାଜରା ଆରିସାର ବାସ୍ନାରେ ମହକୁଛି ପ୍ରଦର୍ଶନୀ ପଡ଼ିଆ। କିଏ ହରିଡ଼ା, ବାହାଡ଼ା, ସିକାକାଇ ଭଳି ବନଜାତ ସାମଗ୍ରୀ କିଣୁଛି ତ କିଏ ପଟ୍ଟଚିତ୍ର ଶାଢ଼ି, ଓଢ଼ଣୀ ଓ ମନିପର୍ସ କିଣି ପରିବାର ଲୋକଙ୍କୁ ଭିଡ଼ିଓରେ ଦେଖାଉଛି। ତ ଆଉ କିଏ ଗରମ ଗରମ ମାଣ୍ଡିଆ ସୁପ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛି। ଏଭଳି ଦେଖିବାକୁ ମିଳିଛି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ। ଏଥିରେ ଓଡ଼ିଶା ସମେତ ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ତେଲଙ୍ଗାନା, ଗୁଜୁରାଟ ପରି ବହୁ ରାଜ୍ୟରୁ ମହିଳାମାନେ ଷ୍ଟଲ୍ ପକେଇଛନ୍ତି।
ଏଥିରେ ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ତନ୍ମଧରୁ ୫୦ଟିରେ କେବଳ ଖାଦ୍ୟ ସାମଗ୍ରୀ ରହିଛି। ଦିନ ଥିଲା ଆଦିବାସୀ ‘ମିଲେଟ’କୁ ଆଦିବାସୀ ଖାଦ୍ୟ କହି ଲୋକ ନାକ ଟେକୁଥିଲେ। ହେଲେ ବର୍ତ୍ତମାନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାର ଉପଯୋଗିତା ଦେଖି ରାଜଧାନୀର ଏହାର ବହୁଳ ବିକ୍ରି ହେଉଛି। କୋରାପୁଟର ‘ବାଲିଫୁଲ ଏସ୍ଏଚ୍ଜି’ ବ୍ୟବସାୟୀ ସଜିନା ନାଗ କହିଛନ୍ତି ସେ ପ୍ରାୟ ୧୦ ବର୍ଷ ହେଲାଣି ବିଭିନ୍ନ ମେଳାରେ ସହରକୁ ଆସୁଛନ୍ତି। ବର୍ଷକୁ ବର୍ଷ ସହରରେ ମାଣ୍ଡିଆ ଚୁନା, ସୁଆଁ ଚାଉଳ, କାଙ୍ଗୁ, ବାଜରାର ଚାହିଦା ବଢ଼ିବାରେ ଲାଗିଛି। ସେହିପରି କନ୍ଧମାଳର ବ୍ୟବସାୟୀ ପି ନମିତା ପାତ୍ରଙ୍କ ମତରେ ଦୁଇତିନ ମଧ୍ୟରେ ମାଣ୍ଡିଆ ମଣ୍ଡା, ସୁପ, କାଙ୍ଗୁ ଦହିବରା, ବାଜରା ଆରିସାର ଭଲ ବିକ୍ରି ହେଉଛି। ଏହି ମିଲେଟ ଆମକୁ ସ୍ୱାବଲମ୍ୱୀ କରୁଛି ବୋଲି ସେ କହିଛନ୍ତି।
ରୋଜଗାରକ୍ଷମ କରିଛି ଲାଖ
ମୟୂରଭଞ୍ଜର ଲାଖ କାରିଗର ବସୁମତୀ ବେହେରାଙ୍କ କହିବା ଅନୁଯାୟୀ ଦିନ ଥିଲା ଆମ ଟଙ୍କା ପାଇଁ ନିର୍ଭର କରୁଥିଲୁ। ହେଲେ ଲାଖରୁ ଚୁଡ଼ି ପ୍ରସ୍ତୁତ କରିବା ଶିଖିଲା ପରେ ଆମେ ରୋଜଗାରକ୍ଷମ ହୋଇପାରୁଛି। ବର୍ଷକୁ ହେଉଥିବା ତିନିରୁ ଚାରିଟି ମେଳା ସମେତ ଆମେ ଅଞ୍ଚଳର ହାଟରେ ମଧ୍ୟ ବିକ୍ରି କରୁଛୁ। ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଏଥିରେ ବିଭିନ୍ନ ରଙ୍ଗ, କାଚ ଆଦି ଦେଇ ଡିଜାଇନ କରୁଛୁ ବୋଲି ସେ କହିଛନ୍ତି। ବର୍ତ୍ତମାନେ ଆମେ ମେଳାରେ ଲୋକଙ୍କୁ ଏହି ପ୍ରସ୍ତୁତି କଳା ମଧ୍ୟ ସିଧାସଳଖ କରି ଦେଖାଉଛୁ ବୋଲି ସେ କହିଛନ୍ତି।
ମନ ମୋହୁଛି ପଟ୍ଟଚିତ୍ର ଶାଢ଼ି ଓ ଓଢ଼ଣୀ
ଶାଢ଼ି ଓ ଓଢ଼ଣୀରେ ମା’ଦୁର୍ଗା, ରାଧାକୃଷ୍ଣ, ରାଜାରାଣୀ, ଶକୁନ୍ତଳାଙ୍କ କାହାଣୀ ଆଦିରେ ସୁନ୍ଦର ପଟ୍ଟଚିତ୍ର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଯିଏ ବି ଯାଉଛି କ୍ଷଣିଏ ଅଟକି ଯାଇ ଏହି ଅପୂର୍ବ କଳାକୁ ଦେଖିବା ସହ କିଣି ନେଉଛନ୍ତି। ଷ୍ଟଲ୍ର ବ୍ୟବସାୟୀ ମୃଣାଳ ସେନାପତିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପଟ୍ଟଚିତ୍ର ଡିଜାଇନ ଥିବା ଶାଢ଼ି, ଡ୍ରେସ୍, ବ୍ଲାଉଜ୍ ଆଦିର ଚାହିଦା ବଢ଼ିଛି। ସହରବାସୀ ଏହାକୁ ଖୁବ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
Follow Us