ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଙ୍ଗନବାଡ଼ି ଦିଦି: ୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ

ଭୁବନେଶ୍ବର ସମେତ ୬ ସ୍ଥାନାରେ ଚଢ଼ଉ, ରାଜଧାନୀରେ ୪କୋଠା, ୧୦ପ୍ଲଟ୍‌

ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଙ୍ଗନବାଡ଼ି ଦିଦି: ୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ

ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ। କୌଣସି ଜଣେ ଶିଳ୍ପପତିଙ୍କଠାରୁ ବି କମ୍‌ ନୁହେଁ। ରାଜଧାନୀରେ ରହିଛି ୪ କୋଠାଘର ଓ ୧୦ଟି ପ୍ଲଟ୍‌। ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଏକାଧିକ କୋଠାଘର। ସୁନା ଗହଣା, ବ୍ୟାଙ୍କ ବାଲାନ୍ସ ବି କିଛି କମ୍‌ ନାହିଁ। ଏବେ ସୁଦ୍ଧା ପାଖାପାଖି ୪କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ‌ଠାବ ହୋଇଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମଥାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଚକିତ କଲା ଭଳି ଏସବୁ ତଥ୍ୟ ପଦାକୁ ଆସିଛି। ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେମିତି ଆସିଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ୬ଟି ଟିମ୍‌ ଏକାସଙ୍ଗେ କବିତା ମଥାନଙ୍କ ରାଜଧାନୀ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଭୁବନେଶ୍ୱର କେଶୁରା ସ୍ଥିତ ଏକ ୩ ମହଲା ଘର, ଝାରପଡ଼ାରେ ଗୋଟିଏ ୪ମହଲା ଘର ଏବଂ ୨ଟି ୨ ମହଲା ଘରେ ଚଢ଼ଉ କରିଥିବାବେଳେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ମଧ୍ୟ ଭିଡିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଏହି ଚଢ଼ଉ ବେଳେ ଭିଜିଲାନ୍ସ କବିତାଙ୍କର ଭୁବନେଶ୍ବରର ୧୦ଟି ପ୍ଲଟ୍‌ ସମତେ ମୋଟ ୧୪ଟି ଜମିକୁ ଠାବ କରିଥିଲା। ଏଥିରୁ ଜଗତସିଂହପୁରରେ ୩ଟି ପ୍ଲଟ ଥିବା ବେଳେ ବାଲିଅନ୍ତାରେ ଗୋଟିଏ ପ୍ଲଟ ରହିଛି। ଏହାଛଡ଼ା ତାଙ୍କ ଘରୁ ୨୧୨ ଗ୍ରାମ ଓଜନର ସୁନାଗହଣା, ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ, ୨.୨ଲକ୍ଷର ଇନ୍ସ୍ୟୁରାନ୍ସ ବଣ୍ଡ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଜବତ କରି ଯାଞ୍ଚ କରାଯାଉଛି।

ଅନ୍ୟପଟେ କବିତା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋର କିଛି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଆମେ ବହୁ ପରିଶ୍ରମ କରି ଆଜି ଏଠି ପହଞ୍ଚିଛୁ। ମୁଁ ସାଢ଼େ ୭ହଜାର ଟଙ୍କା ଦରମା ପାଉଛି ସତ; ହେଲେ ପିଲାଙ୍କୁ ଟ୍ୟୁସନ୍‌ କରିବା ଠାରୁ ଆରମ୍ଭ କରି ଜଳଖିଆ ଦୋକାନ, ସ୍କୁଲରେ କ୍ୟାଣ୍ଟିନ କରିବା ଆଦି ଅନେକ କାମ କରିଛି। ସ୍ବାମୀ ମଧ୍ୟ ରିଏଲ୍‌ ଇଷ୍ଟେଟ୍‌ କାମ କରନ୍ତି। ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ମଧ୍ୟ ଅଛି। ଆମ ଝାଳବୁହା ଧନରେ ସମ୍ପତ୍ତି କରିଛୁ। ଯେହେତୁ ଆମେ ତଳୁ ଉପରକୁ ଉଠିଛୁ; ତେଣୁ କେତେକ ଲୋକ ଆମକୁ ସହିନପାରି ଆମ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe