ମେଡିକାଲ୍ ହଷ୍ଟେଲ୍ ପରେ ଏବେ ଟାର୍ଗେଟ୍‌ରେ ମେସ୍‌: ପାଇକନଗରରୁ ଲକ୍ଷାଧିକ ଟଙ୍କାର ଲାପଟପ୍‌, ମୋବାଇଲ୍ ଲୁଟ୍

Advertisment

ସିସିଟିଭି ଫୁଟେଜ୍ ଥାଇ ବି ଲୁଟେରାର ପତ୍ତା ମିଳୁନି

ସିସିଟିଭି ଫୁଟେଜ୍ ଥାଇ ବି ଲୁଟେରାର ପତ୍ତା ମିଳୁନି

ମେଡିକାଲ୍ ହଷ୍ଟେଲ୍ ପରେ ଏବେ ଟାର୍ଗେଟ୍‌ରେ ମେସ୍‌: ପାଇକନଗରରୁ ଲକ୍ଷାଧିକ ଟଙ୍କାର ଲାପଟପ୍‌, ମୋବାଇଲ୍ ଲୁଟ୍

ଭୁବନେଶ୍ବର: ନୂଆପଲ୍ଲୀ ଥାନା ଅଧୀନ ପାଇକନଗର ଅଞ୍ଚଳରେ ଥିବା ଏକ ମେସ୍‌ରୁ ୩ଜଣ ଛାତ୍ରଙ୍କ ମୋବାଇଲ୍, ଲାପଟପ୍, ଟଙ୍କା, ବ୍ୟାଗ୍ ଚୋରି ହୋଇଛି। ଏ ସଂପର୍କରେ ଛାତ୍ରମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ପାଇକନଗରର ତୁଳସୀଧାମ ଆପାର୍ଟମେଣ୍ଟ ନିକଟରେ ସେମାନେ ମେସ୍‌ କରି ରହୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼ାପଢ଼ି କରି ଭୋର୍‌ରୁ ଶୋଇଥିଲେ। କିନ୍ତୁ ରୁମ୍‌ର କବାଟ ଦେବାକୁ ଭୁଲି ଯାଇଥିଲେ। ସକାଳୁ ଉଠି ଦେଖିବା ବେଳକୁ ସେମାନଙ୍କ ୩ଟି ମୋବାଇଲ, ଗୋଟିଏ ଲାପଟପ୍ ଓ ନଗଦ ଟଙ୍କା ନଥିଲା।

ଘର ବାହାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବାରୁ ଦେଖିବାକୁ ପାଇଥିଲେ ଯେ ସକାଳ ପ୍ରାୟ ସାଢ଼େ ୬ଟାରେ ଜଣେ ଧଳାରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ଦୁର୍ବୃତ୍ତ ତାଙ୍କ ରୁମ୍‌ରେ ପଶି ଲାପଟପ୍, ମୋବାଇଲ୍, ପର୍ସ ନେଇ ଯାଉଛି। ଏ ଫୁଟେଜ୍‌ ସେମାନେ ପୁଲିସ୍‌କୁ ବି ଦେଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇ ପାରିନାହିଁ।

ତେବେ ଭୋର୍‌ରୁ ମେସ୍‌ରୁ ଚୋରି ହେବା ଘଟଣା ନୁହେଁ, କିଛି ଦିନ ତଳେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳ‌‌ରେ ମଧ୍ୟ ଏକ ମେସ୍‌ରୁ ସମାନ ଧରଣର ଚୋରି ହୋଇଥିଲା। ଖବରକାଗଜ ବିତରକ ବେଶରେ ଆସି ଜଣେ ଯୁବକ ମେସ୍‌ରୁ ପ୍ରାୟ ୨ଲକ୍ଷ ୬୩ହଜାର ଟଙ୍କାର ଲାପଟପ୍, ଆଇଫୋନ୍, ଆଇପ୍ୟାଡ୍ ଓ ନଗଦ ୨୦ହଜାର ଟଙ୍କା ଚୋରି କରିନେଇଥିଲା। ଲୁଟ୍‌ ବେଳର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିଲେ ହେଁ ପୁଲିସ୍‌ ଏଯାବତ୍‌ ଲୁଟେରାକୁ ଧରିପାରିନାହିଁ। ଏହା ପୂର୍ବରୁ, ଗତ ଜାନୁଆରି ମାସରେ ଲଗାତାର ଗୋଟିଏ ପରେ ଗୋଟିଏ ୩ଟି ମେଡିକାଲ ହଷ୍ଟେଲ୍‌ରୁ ସିରିଜ୍ ଲୁଟ୍‌ ହୋଇଥିଲା।

ଦୁର୍ବୃତ୍ତମାନେ ହଷ୍ଟେଲ‌ରେ ପଶି ଛାତ୍ରଛାତ୍ରୀଙ୍କ ଲାପଟପ୍‌ ଲୁଟି ନେଇଥିଲେ। ତେବେ ଏସବୁ ପଛରେ ଗୋଟିଏ ଗ୍ୟାଙ୍ଗ୍‌ର ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି। ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ରାଜଧାନୀକୁ ପାଠ ପଢ଼ିବାକୁ ଆସୁଥିବା ବେଳେ ସେମାନେ ମେସ୍‌ କିମ୍ବା ହଷ୍ଟେଲରେ ରହୁଛନ୍ତି। ଏହି ଗ୍ୟାଙ୍ଗ୍‌ ସେଭଳି ଛାତ୍ରଛାତ୍ରୀମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ମୌକା ଦେଖି ସେମାନଙ୍କ ଦାମୀ ମୋବାଇଲ୍‌, ଲାପଟପ୍‌ ଓ ଟଙ୍କା ଲୁଟି ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe