ମନ୍ତ୍ରୀ ପରଖିଲେ ମଧ୍ୟାହ୍ନ ଭୋଜନ: ପରଷିଲେ, ପିଲାଙ୍କ ସହ ଖାଇଲେ

ମନ୍ତ୍ରୀ ପରଖିଲେ ମଧ୍ୟାହ୍ନ ଭୋଜନ: ପରଷିଲେ, ପିଲାଙ୍କ ସହ ଖାଇଲେ

ଖଣ୍ଡଗିରି: ପ୍ରଥମେ ପିଲାମାନଙ୍କ ଥାଳିରେ ନିଜେ ପରଷିଥିଲେ। ତା’ ପରେ ଗୋଟିଏ ଥାଳି ଧରି ପିଲାଙ୍କ ସହ ତଳେ ବସି ପଡ଼ି ଖାଇଥିଲେ। ଆସନ ପଟିରେ ବସିବାକୁ ମନା କଲେ। ଖାଇବା ଭିତରେ ପିଲାଙ୍କ ସହ ଚାଲିଲା କଥାବାର୍ତ୍ତା। ମନ୍ତ୍ରୀଙ୍କ ସହ ଖାଉଥିବାରୁ ପିଲାମାନେ ବେଶ୍ ଖୁସି ଥିଲେ। କିନ୍ତୁ ମୁହଁ କଳାକାଠ ପଡ଼ି ଯାଇଥିଲା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର। ସୌଭାଗ୍ୟକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା‌ରେ ମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କଲେ। କିନ୍ତୁ ବିଦ୍ୟାଳୟ ପାଇଖାନା ପରିଚାଳନା ଦେଖି ନାକ ଟେକିଥିଲେ। ତୁରନ୍ତ ପାଇଖାନାଗୁଡ଼ିକ ବ୍ୟବହାର ଉପଯୋଗୀ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ। ଏମିତି ଥିଲା ଶୁକ୍ରବାର ଅପରାହ୍ଣରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ରାଜଧାନୀ ଉପକଣ୍ଠ ଯାଁଳା ନୋଡାଲ ବିଦ୍ୟାଳୟର ପରିଦର୍ଶନର ଦୃଶ୍ୟ।

ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହା ତାଙ୍କର ଅଚାନକ ଗସ୍ତ ଥିଲା। ସିଧାସଳଖ ସେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ରୋଷଘରକୁ ମାଡ଼ି ଯାଇଥିଲେ। ସେତେବେଳକୁ ରନ୍ଧା କାର୍ଯ୍ୟ ସରି ଯାଇଥିଲା। ରୋଷେଇ ଦାୟିତ୍ବରେ ଥିବା ମହିଳାମାନଙ୍କ ସହ ଆଲୋଚନା କଲେ। ମଧ୍ୟାହ୍ନ ଭୋଜନ ଯାଞ୍ଚ କମିଟି ତଦାରଖ ଖାତାରେ ନିୟମିତ ଦସ୍ତଖତ କରୁନଥିବା ବାବଦରେ ସେ ପଚାରି ବୁଝିଥିଲେ। ସେଠାରୁ ମନ୍ତ୍ରୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନା ବୁଲି ଦେଖିଥିଲେ ଓ ତୁରନ୍ତ ସବୁ ପାଇଖାନାଗୁଡ଼ିକ ମରାମତି କରାଇବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ। ଏତିକିବେଳକୁ ମଧ୍ୟାହ୍ନଭୋଜନ ବେଲ୍‌ ବାଜିଥିଲା। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜେ ପିଲାଙ୍କ ଥାଳି‌ରେ ଭାତ ଓ ସୋୟାବିନ୍ ତରକାରୀ ପରଷିଥିଲେ। ପିଲାମାନଙ୍କୁ ବାଢ଼ି ସାରିବା ପରେ ସେ ଏକ ଥାଳିରେ ଭାତ ତରକାରୀ ଧରି ଉକ୍ତ ଲାଇନ୍‌ରେ ବସି ପଡ଼ିଥିଲେ। ଖାଇବ‌ା ଭିତରେ ସେ ପିଲାମାନଙ୍କ ସହ ଗପସପ ହୋଇଥିଲେ। ୫ମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ଶେଖର ରାଉତକୁ ଶିକ୍ଷାମନ୍ତ୍ରୀଙ୍କ ନାମ ଓ ୩ୟ ଶ୍ରେଣୀର ଛାତ୍ରୀ ପ୍ରାଞ୍ଜଲ୍‌ ବଳବନ୍ତରାୟକୁ ମୁଖ୍ୟମନ୍ତ୍ରୀଙ୍କ ନାମ ପଚାରିଥିଲେ। ସେହିଭଳି ଅଷ୍ଟମ ଶ୍ରେଣୀର ଛାତ୍ର ଆଶୁତୋଷ ସାମଲକୁ ହୋମ୍ ୱାର୍କ ବାବଦରେ ପଚାରିଥିଲେ।

ସୂଚନାଯୋଗ୍ୟ ଯେ ଡିସେମ୍ବର ୪ ତାରିଖରେ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଏହି ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ପିଲାଙ୍କ ପାଠପଢ଼ାରେ ଅବହେଳାକୁ ନେଇ ସେ ତାଗିଦ୍ କରିଥିଲେ। ଏମିତିକି ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ଜଣେ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe