କଳାମଣ୍ଡଳ ପରିଦର୍ଶନ କଲେ ଶକ୍ତି ଓ ସଂସ୍କୃତି ମନ୍ତ୍ରୀ

Advertisment
କଳାମଣ୍ଡଳ ପରିଦର୍ଶନ କଲେ ଶକ୍ତି ଓ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଖୁବ୍‌ଶୀଘ୍ର ଶେଷ ହେବ ସାଂସ୍କୃତିକ ମଣ୍ଡପ ‘କଳାମଣ୍ଡଳ’। କଳା ଓ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ମିନିନଗର ଭାବେ ପରିଚୟ ସୃଷ୍ଟି କରିବ ଏହି ପ୍ରେକ୍ଷାଳୟ। ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ ଏହି ପ୍ରେକ୍ଷାଳୟକୁ ଶକ୍ତି ଓ ଏମ୍‌ଏସ୍‌ଏମ୍‌ଏଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ବୁଲି ଦେଖିଛନ୍ତି। ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ କାର୍ଯ୍ୟର ବିଳମ୍ବ ଏଡ଼ାଇବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିବାକୁ ସେ କହିଥିଲେ।

୨ ହଜାର ଆସନ ବିଶିଷ୍ଟ ଏହି ବୃହତ୍ ପ୍ରେକ୍ଷାଳୟର ନିର୍ମାଣ ଶେଷ ହେଲେ ରାଜ୍ୟର ଏହା ସବୁଠାରୁ ବଡ଼ ପ୍ରେକ୍ଷାଳୟ ହେବ। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରେକ୍ଷାଳୟ ପାଇଁ ୬ ଏକର ପରିମିତ ଜମି ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟରେ ଅତ୍ୟାଧୁନିକ ଆଲୋକ, ଦୃଶ୍ୟଶ୍ରାବ୍ୟ, ସ୍ୱୟଂଚାଳିତ ପରଦା, ଭିନ୍ନକ୍ଷମଙ୍କ ପାଇଁ ରୢାମ୍ପର ବ୍ୟବସ୍ଥା ଆଦି ରହିଛି। ଏହାସହ ବାହାରେ ୫ଶହ ଆସନ ବିଶିଷ୍ଟ ଆମ୍ପିଥିଏଟର୍‌, ୬୨ ହଜାର ବର୍ଗଫୁଟ୍‌ର ଭୂତଳ ପାର୍କିଂ, ଗ୍ରିନ୍‌ରୁମ, ଗେଷ୍ଟରୁମ୍‌, ଭିଆଇପି ରୁମ୍‌ ଓ ଲବି ପ୍ରଭୃତି ରହିଛି। ଏହି ଅବସରରେ ଦୁଇ ମନ୍ତ୍ରୀ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ସ୍ଥପତିମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଠାରେ ଉନ୍ନତମାନର ଉପକରଣ ଲଗାଇବା ସହିତ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ଏବଂ ଏଠାରେ ରାଷ୍ଟ୍ରୀୟ ଓ ଆନ୍ତର୍ଜାତିକସ୍ତରର ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହେବ। ସେ ଦୃଷ୍ଟିରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଏବଂ ରାଜ୍ୟର ସଂସ୍କୃତିକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟର ସୁନାମ ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସ୍ଥପତି ଅକ୍ଷୟ ବେଉରା ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe