ଦ୍ୱିତୀୟ କ୍ୟାମ୍ପସ୍‌ ନେଇ ମୁହଁ ଖୋଲିଲେନି ମନ୍ତ୍ରୀ

Advertisment

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦର ତୃତୀୟ ବାର୍ଷିକ ଉତ୍ସବ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦର ତୃତୀୟ ବାର୍ଷିକ ଉତ୍ସବ

ଦ୍ୱିତୀୟ କ୍ୟାମ୍ପସ୍‌ ନେଇ ମୁହଁ ଖୋଲିଲେନି ମନ୍ତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସକୁ ନେଇ ଗତ ୧୫ ଦିନ ହେଲା ଉଠୁଛି ପଡ଼ୁଛି ରାଜଧାନୀ। କେଉଁଠି ହେବ କ୍ୟାମ୍ପସ ସେନେଇ ମୁଣ୍ଡ ଟେକିଥିବା ବିବାଦର ଅବସାନ ହୋଇ ନ ଥିବା ବେଳେ ଆଜି ଛାତ୍ରୀ ସଂସଦର ବାର୍ଷିକ ଉତ୍ସବ ଉପରେ ରହିଥିଲା ସମସ୍ତଙ୍କ ନଜର। ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗଦେଇଥିବାରୁ ଭିତ୍ତିଭୂମି ବିକାଶ ତଥା ଦ୍ୱିତୀୟ କ୍ୟାମ୍ପସ ନେଇ କିଛି ଚିତ୍ର ସ୍ପଷ୍ଟ କରିବେ ବୋଲି ଆଶା ରଖିଥିଲେ। ହେଲେ ସେଭଳି କିଛି ହେଲା ନାହିଁ। ଦୁଇ ମନ୍ତ୍ରୀ ଛାତ୍ରୀଙ୍କ ସଶକ୍ତିକରଣ କଥା କହିଲେ। ନାରୀ ଆଗକୁ ବଢ଼ୁଛନ୍ତି ବୋଲି ମତପ୍ରକାଶ କଲେ। ହେଲେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେଉଁଠି ହେବ? କେବେ ସୁଦ୍ଧା ହେବ? ସେନେଇ ମତ ଦେଲେନି। କିଛି ବି ନୂଆ ଘୋଷଣା କଲେନି। ବରଂ ଉତ୍ସବ ସରିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଗଠିତ ହୋଇଥିବା ୬ ଜଣିଆ କମିଟି ଦ୍ୱିତୀୟ କ୍ୟାମ୍ପସ ନୁହେଁ ବରଂ ପ୍ରଥମ କ୍ୟାମ୍ପସର ସମ୍ପ୍ରସାରଣ ଲାଗି ଜାମା ଖୋଜିବ। ଭୁବନେଶ୍ୱର ଭିତରେ ଜମି ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ। ସେଠାରେ ପ୍ରଥମ କ୍ୟାମ୍ପସର ସମ୍ପ୍ରସାରିତ କ୍ୟାମ୍ପସ କରାଯିବ। ପରବର୍ତୀ ସମୟରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜାଗା ଚିହ୍ନଟ ହେବ। କୁଳପତିଙ୍କ ହଁରେ ହଁ ମିଶାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଲେ କମିଟି ଯେଉଁଠି ଜାଗା ଚିହ୍ନଟ କରି ପ୍ରସ୍ତାବ ଦେବ ସେଠାରେ ସମ୍ପ୍ରସାରିତ କ୍ୟାମ୍ପସ ହେବ। ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଲେ ଭୁବନେଶ୍ୱରରେ ଜମି ଯୋଗାଇ ଦିଆଯିବ। ହେଲେ କେଉଁଠି ଜାଗା ଦିଆଯିବ ସେନେଇ ସ୍ପଷ୍ଟ କରି ନ ଥିବାରୁ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମ୍ପ୍ରସାରିତ କ୍ୟାମ୍ପସ ନୁହେଁ ବରଂ ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଲାଗି ଜମି ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, କୁଳପତି ପ୍ରଫେସର ପଦ୍ମଜା ମିଶ୍ର, କୁଳସଚିବ ଜୟନ୍ତ ନାରାୟଣ ଷଡଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରୀ ସଂସଦର ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ପିଜି କାଉନସିଲ୍‌ ଅଧ୍ୟକ୍ଷ ସୀତାଂଶୁ ଦାସ ସ୍ୱାଗତ ଭାଷଣ, ଛାତ୍ରୀ ସଂସଦର ଉପଦେଷ୍ଟା ସୌଭାଗ୍ୟ ଲକ୍ଷ୍ମୀ ସରଣ ଅତିଥି ପରିଚୟ ଓ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ କୃତୀ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡ. ସରିତା ସୁପକାର ସଭା ସଂଯୋଜନା କରିଥିଲେ।

କ୍ୟାମ୍ପସକୁ ପଶିଲେ ଅଣଛାତ୍ର
ଗୋଟିଏ ବର୍ଷ ବ୍ୟବଧାନ ପରେ ପୁଣିଥରେ ଅଣଛାତ୍ର ପ୍ରବେଶକୁ ନେଇ ଚର୍ଚ୍ଚାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଆଜି ୨୦ରୁ ଅଧିକ ଅଣଛାତ୍ର କ୍ୟାମ୍ପସ ଭିତରେ ଅବାଧରେ ପ୍ରବେଶ କରିଥିଲେ। ସୁରକ୍ଷା କର୍ମୀ କିମ୍ବା କର୍ତୃପକ୍ଷଙ୍କ କଟକଣା କିଛି ବି କାମ ଦେଇ ନ ଥିଲା। ମହିଳା ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଏଠାରେ ସମସ୍ତେ ହାତ ଟେକି ଦେଇଥିଲେ। ବରଂ ସୁରକ୍ଷା କର୍ମୀ କହିଥିଲେ ଅମକ ବାବୁ, ସମକ ବାବୁ କହିଛନ୍ତି ଯେଉଁମାନେ ଆସିବେ ଛାଡ଼ି ଦେବେ। ସେମାନେ ଆମ ପିଲା। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାବୁ ବି ସବୁ ଜାଣି ଚୁପ୍‌ ହୋଇଯାଇଥିଲେ। କେତେଜଣ ଅଣଛାତ୍ର ଛାତ୍ରୀମାନଙ୍କ ସହ ମିଶି ଫଟୋ ଉଠାଇଥିଲେ। ସେଲ୍‌ଫି ବି ନେଇଥିଲେ। ଛାତ୍ରୀଙ୍କୁ ସିଟ୍‌ରୁ ଉଠାଇ ଅଣଛାତ୍ରଙ୍କୁ ବସିବା ଲାଗି ସୁଯୋଗ ଦେଇଥିଲେ। ଗତବର୍ଷ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ନେଇ ଦୁଇ ଦୁଇଟି ଘଟଣା ଏପର୍ଯ୍ୟନ୍ତ ମନରୁ ନ ଲିଭୁଣୁ ପୁଣିଥରେ ଅଣଛାତ୍ରଙ୍କ ପ୍ରବେଶ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି। ଏହି କ୍ୟାମ୍ପସରୁ ହିଁ ଫେସ୍‌ବୁକ୍‌ରେ ସେକ୍ସି ପ୍ରତିଯୋଗିତା ହୋଇଥିଲା। କେତେଜଣ ଅଣଛାତ୍ର ତଥା ଛାତ୍ରନେତା ହୋଲିରେ ଡିଜେ ବଜାଇ ଛାତ୍ରୀଙ୍କ ସହ ନାଚିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏବେ କ୍ୟାମ୍ପସକୁ ୨୦ରୁ ଅଧିକ ଅଣଛାତ୍ରଙ୍କ ପ୍ରବେଶ ନେଇ କର୍ତୃପକ୍ଷଙ୍କ ନିରବତା ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe