image source-new indian express
ଭୁବନେଶ୍ୱର : ଭରତପୁର ନାବାଳକ ଛାତ୍ର ବାଦଲ ପାଢ଼ୀ ହତ୍ୟା ମାମଲାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗୁରୁତ୍ବର ସହ ନେଇଛି। ଆୟୋଗ ଖଣ୍ଡଗିରି ଥାନା ଇନ୍ସ୍ପେକ୍ଟରଙ୍କୁ ଏନେଇ ରିପୋର୍ଟ ତଲବ କରିଛି। ଏହାସହ ଆଜି ଆୟୋଗର ଦୁଇ ସଦସ୍ୟ ମନ୍ଦାକିନୀ କର ଓ ଦିବ୍ୟାସ୍ବାତୀ ଖଣ୍ଡଗିରି ଥାନା ଯାଇ ସେଠାରେ ତଦନ୍ତ କରିଛନ୍ତି।
ପୁଲିସର ତଦନ୍ତ ପ୍ରକ୍ରିୟା ଯାଞ୍ଚ କରିବା ସହ ମୃତ ନାବାଳକଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ତାକୁ ମାରି ଦିଆଗଲା? ଅପରାଧୀଙ୍କ ସଂସ୍ପର୍ଶରେ କେମିତି ଆସିଥିଲା? ପାଠ ପଢ଼ୁଥିଲା କି ନାହିଁ? ଆଗକୁ ପଢ଼ିବା ପାଇଁ କ’ଣ ସମସ୍ୟା ହେଉଥିଲା? ପରିବାରର ଆର୍ଥିକ ପରିସ୍ଥିତି କିଭଳି? ଏ ସବୁ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି। ରିପୋର୍ଟ ଆସିବା ପରେ ନାବାଳକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ଚିନ୍ତା କରାଯିବ ବୋଲି କହିଛନ୍ତି ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।
ଅନ୍ୟପଟେ ପୂର୍ବରୁ କ୍ଲବ୍କୁ ନେଇ ସେଠାରେ ଦୁଇଗୋଷ୍ଠୀ ଛକାପଞ୍ଝା ହେଉଥିଲେ। ହେଲେ ପୁଲିସ ଗୁଇନ୍ଦା କିଭଳି ତଥ୍ୟ ସଂଗ୍ରହ କରିପାରିଲା ନାହିଁ, ନାବାଳକଙ୍କୁ ହତ୍ୟା କରି ଦିଆଗଲା, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଆୟୋଗ। ଅଧ୍ୟକ୍ଷା କହିଛନ୍ତି, ଗଣ୍ଡଗୋଳର ସୂତ୍ରପାତ ହେବା ବେଳଠାରୁ ପୁଲିସ ସତର୍କ ରହିବା କଥା। ଯେହେତୁ ନାବାଳକଙ୍କର ସମ୍ପୃକ୍ତି ରହୁଛି, ସେଥିପାଇଁ ଆଗୁଆ ପଦକ୍ଷେପ ନେବା କଥା। କିନ୍ତୁ ଏଠାରେ ତାହା କରା ଯାଇନାହିଁ। ବରଂ ୨ ତାରିଖରୁ ଆକ୍ରମଣ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିଲା। ମୃତ୍ୟୁ ବରଣ କରିବା ପରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରାଗଲା। ଏଣୁ ଏଥିରେ ପୁଲିସର ଅବହେଳା ପରିଲକ୍ଷିତ ହେଉଛି। ଏହି ଅପରାଧରେ ୬ଜଣରୁ ଊର୍ଦ୍ଧ୍ବ ସାମିଲ ଥିବା ଅଭିଯୋଗ ରହିଛି। ଏଯାବତ୍ ୪ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନେ ଫେରାର ଅଛନ୍ତି। ଏଣୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଉପଯୁକ୍ତ ହୋଇ ନାହିଁ। ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭରତପୁର କ୍ଲବରେ ଲାଗି ରହିଥିବା ବିବାଦକୁ କେନ୍ଦ୍ର କରି ଗତ ୨ ତାରିଖରେ ୯ମ ଶ୍ରେଣୀ ଛାତ୍ର ଅଶ୍ୱିନୀକୁ କିଛି ଦୁର୍ବୃତ୍ତ ଭୁଜାଲିରେ ହାଣି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୮ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା
Follow Us