ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ

Advertisment

ଦୁଇ ଅଭିଯୁକ୍ତଙ୍କ ପିଟିସନ୍ ଖାରଜ, ଏପ୍ରିଲ ୫ରେ ପରବର୍ତ୍ତୀ ଶୁଣାଣି

ଦୁଇ ଅଭିଯୁକ୍ତଙ୍କ ପିଟିସନ୍ ଖାରଜ, ଏପ୍ରିଲ ୫ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ

indiatvnews.com

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତର ଅଗ୍ରଗତି ନେଇ ଆଜି ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ବନ୍ଦ ଲଫାପାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗତ ଡିସେମ୍ବର ୧୪ରେ ଗିରଫ କରାଯାଇଛି ଓ ତଦନ୍ତ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ଏହି ମାମଲାରେ ଇଣ୍ଟରଭେନର ପିଟିସନ୍ ଦାଖଲ କରି ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ଦର୍ଶାଇଥିଲେ। ଏପରି ପରିସ୍ଥିତିରେ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖାଯିବା ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ। ହାଇକୋର୍ଟ ଏହି ପିଟିସନକୁ ଆଜି ଖାରଜ କରି ଦେଇଥିଲେ।

ମାମଲାର ଶୁଣାଣି ସମୟରେ ଜନସ୍ବାର୍ଥ ମାମଲାର ଆବେଦନକାରୀ ଆଇନଜୀବୀ ଗୌତମ ସିଦ୍ଦିକି ତାଙ୍କ ଘର ନିକଟରେ କେତେକ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାରୁ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ବୋଲି ଦର୍ଶାଇଥିଲେ। ତେବେ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ କହିଥିବା ଶ୍ରୀ ସିଦ୍ଦିକ ସୂଚନା ଦେଇଥିଲେ। ଏଥିସହିତ ଏ ସଂପର୍କିତ ଦୁଇ ଆବେଦନର ଶୁଣାଣି ଆସନ୍ତା ଏପ୍ରିଲ ୫ରେ ହେବ ଏବଂ ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ଅଗ୍ରଗତି ନେଇ ସାନି ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ନଭେମ୍ବର ୧୮ରେ ପୁଲିସ ଡିଜିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୮ରେ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ତଦନ୍ତ ସଂପର୍କିତ ସବିଶେଷ ତଥ୍ୟକୁ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆଇନଜୀବୀ ଗୌତମ ସିଦ୍ଦିକି ନିଜେ ଓ ଭାରତୀୟ ବିକାଶ ପରିଷଦ ତରଫରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe