ରୋମାଞ୍ଚ ଭରିବ ମିରର୍‌ ଗ୍ୟାଲେରି

୧୧ରୁ ଖୋଲିବ ଇନୋଭେସନ୍‌ ହବ୍‌

ରୋମାଞ୍ଚ ଭରିବ ମିରର୍‌ ଗ୍ୟାଲେରି

ଭୁବନେଶ୍ୱର: ମଜାରେ ମଜାରେ ଜ୍ଞାନ ବଢ଼ିବ। ସୃଜନ ମନସ୍କ ହେବେ କୋମଳମତି ଶିଶୁ। ଧୁମ୍‌ ହସିବେ, ପୁଣି ରୋମାଞ୍ଚିତ ହେବେ। ବିଜ୍ଞାନ ଓ କାରିଗରୀ କୌଶଳର ନୂଆ ସୃଜନ ଭଣ୍ଡାର ‘ଇନୋଭେସନ୍‌ ହବ୍‌’ ଆଣିଦେବ ଏହି ବିରଳ ଅନୁଭୂତି। ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଆସନ୍ତା ୧୧ ତାରିଖରୁ ଖୋଲିବ ଏହି ହବ୍‌। ପୁଣି ମିରର୍‌ରେ ମ୍ୟାଜିକ୍‌ ଦେଖିବାକୁ ସୁଯୋଗ ଦେବ ‘ମିରର ଗ୍ୟାଲେରି’। ଆଇନାର ଚକ୍ରବ୍ୟୂହରେ ଫସି ମଜ୍ଜା ସାଉଁଟିବେ ଦର୍ଶକ। ଆଇନା ଘର ଆପଣଙ୍କୁ ଦେଖେଇବ ଆପଣଙ୍କ ଅଗଣିତ ପ୍ରତିରୂପ। ରେଳଡବାର ଅସୀମତାକୁ ଆପଣଙ୍କ ଆଖି ମାପି ନପାରି ଚକିତ ହେବ। ଆଉ ମାତ୍ର ୩ ଦିନ ପରେ ଏମିତି ଏକ ଅବିଶ୍ୱସନୀୟ ଅନୁଭୂତି ଦେବ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆର୍‌ଏସ୍‌ସି)ର ମିରର ଗ୍ୟାଲେରି ତଥା ଆଇନା ଘର। ଏଥିସହ ଏହି ଦୁଇ ଗ୍ୟାଲେରି ପ୍ରତିଷ୍ଠା ହେବା ନେଇ ଘୋଷଣା ହେବା ପରଠୁ ପ୍ରତୀକ୍ଷାରେ ଥିବା ଉତ୍ସୁକ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ପ୍ରତୀକ୍ଷାର ଅନ୍ତ ଘଟିବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହାକୁ ଉଦ୍‌ଘାଟନ କରିବା ନେଇ ଦିନ ଧାର୍ଯ୍ୟ ହୋଇସାରିଛି।

ଡ୍ରୋନ୍‌ ବିଜ୍ଞାନର ଝଲକ
ରୋବୋଟିକ୍‌ ଓ କମ୍ପ୍ୟୁଟର ବିଜ୍ଞାନ ସହ ଡ୍ରୋନ୍‌ ବିଜ୍ଞାନର ଝଲକ ଦେଖିବାକୁ ମିଳିବ। ବିଶେଷକରି ଫିଜିକ୍ସ (ପଦାର୍ଥ ବିଜ୍ଞାନ), କେମିଷ୍ଟ୍ରି (ରସାୟନ ବିଜ୍ଞାନ), ବାୟୋଲୋଜି (ଜୀବ ବିଜ୍ଞାନ), କମ୍ପ୍ୟୁଟର ବିଜ୍ଞାନ ଓ ମାଇକ୍ରୋ ପ୍ରୋସେସର, ରୋବୋଟିକ୍‌ସ, ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ଥ୍ରିଡି ପ୍ରିଣ୍ଟିଂ ଭଳି ବିଷୟରେ ଜ୍ଞାନ ଆହରଣ କରିହେବ। ଏଥିସହିତ କିଛି ସୃଜନ ସ୍ରଷ୍ଟାଙ୍କ ସୃଜନ କୌଶଳ ସମ୍ବନ୍ଧୀୟ ପ୍ରେରଣାଦାୟୀ କାହାଣୀର ଅଡିଓ ଭିଜୁଆଲ୍‌ ଦେଖିବାକୁ ମିଳିବ।

ମିରର ମେଜ୍‌ରେ ଫସିବେ, ମଜିବେ
ମିରର ଗ୍ୟାଲେରିରେ ମୋଟ୍‌ ୧୮ଟି ପ୍ରଦର୍ଶନୀ ଥିମ୍‌ ରହିବ। ସବୁଠୁ କୌତୂହଳ ଅନୁଭବ ଦେବ ‘ମିରର୍‌ ମେଜ୍‌’। କିଛି ଚଳଚ୍ଚିତ୍ରରେ କାଚ ଘରେ ନାୟକ-ଖଳନାୟକଙ୍କ ଫାଇଟ୍‌ ବେଳେ ପରସ୍ପରର ଚେହେରାକୁ ଅନେକ ସ୍ଥାନରେ ଦେଖି ବିଚଳିତ ହୋଇ ଯାଉଥିବା ଦୃଶ୍ୟ ସମସ୍ତେ ଦେଖିଥିବେ। ଠିକ୍‌ ସେହି ଅନୁଭୂତି ଆପଣ ବି ଏଠୁ ନେଇପାରିବେ। ଏଥିସହ ମିରର୍‌ ମ୍ୟାଜିକ୍‌, ଫନ୍‌ ମିରର୍‌, ଇନ୍‌ଫିନିଟ୍‌ ଟ୍ରେନ୍‌ ଅନ୍‌ ମିରର୍‌, ଶଙ୍କୁ ଆଇନା, ଅବତଳ ଆଇନା, ଆଇନାର ଉପରେ ଓ ତଳେ ପ୍ରତିଫଳନ ଏବଂ ଉତ୍ତାଳ ମିରର ଭଳି ଅନେକ ମଜାଦାର ଅନୁଭବ ଦେବ ଏହି ଗ୍ୟାଲେରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe