ଭୁବନେଶ୍ବର : ୨୦୧୪ର ବହୁଚର୍ଚ୍ଚିତ ନୟାଗଡ଼ ଭାପୁର ଜଙ୍ଗଲରେ ଭୁବନେଶ୍ବର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ କୋର୍ଟରୁ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ୭ବର୍ଷ ପରେ ଗିରଫ କରିଛି କମିସନରେଟ ପୁଲିସ। ସେ ହେଲା, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଭାସ୍କର ସାହୁ। ଗତକାଲି ଓଡ଼ଗାଁରୁ ଭାସ୍କରକୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯାଇଛି। ଅପରେସନ୍ ‘୨୨୪’ରେ ହେପାଜତରୁ ଫେରାର୍ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭରେ ଭାସ୍କରକୁ ଗିରଫ କରାଯାଇଥିବା ପୁଲିସ କହିଛି।
ସୂଚନା ଅନୁସାରେ, ୨୦୧୪ ଫେବ୍ରୁଆରି ୧୩ ତାରିଖରେ ଏହି ଗଣଦୁଷ୍କର୍ମ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପାଣିଗ୍ରାହୀଙ୍କ ସହ ଜଣେ ଯୁକ୍ତ ୨ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୩ ତାରିଖରେ ସନ୍ତୋଷ ତା’ର ଅନ୍ୟ ୩ ସହଯୋଗୀଙ୍କ ସହ ମିଶି ଛାତ୍ରୀଙ୍କୁ ଗାଡ଼ିରେ ନେଇ ନୟାଗଡ଼ ଭାପୁର ଜଙ୍ଗଲକୁ ଚାଲି ଯାଇଥିଲେ। ସେଠାରେ ଗଣଦୁଷ୍କର୍ମ କରିଥିଲେ। ସେଠାରୁ ଛାତ୍ରୀଙ୍କ ଆଣି ଜୟଦେବବିହାରରେ ଛାଡ଼ି ଦେଇଥିଲେ। ଏନେଇ ଛାତ୍ରୀ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ସନ୍ତୋଷ ପାଣିଗ୍ରାହୀ ଓରଫ୍ ମିଟୁ, ଡାକୁ ଜେନା ଓରଫ୍ ବାପି, ଭାସ୍କର ସାହୁ ଓରଫ୍ ଲିପୁ ଏବଂ ସଦାନନ୍ଦ ଓରଫ୍ ସୋନୁକୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତ ଗୋଟିଏ ଅଞ୍ଚଳର ଥିଲେ। ଏହି ମାମଲାରେ ସେହି ବର୍ଷ ଜୁନ ୧୨ ତାରିଖରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଡିସେମ୍ବର ୯ ତାରିଖରେ କୋର୍ଟରେ ହାଜର ସମୟରେ ପୁଲିସ ହେପାଜତରୁ ଫେରାର ହୋଇଯାଇଥିଲା ଭାସ୍କର। ଫେରାର ହେବା ପରେ ଜମ୍ମୁ କଶ୍ମୀର ପଳାଇଥିଲା। ସେଠାରେ ଡ୍ରାଇଭର୍ ଭାବେ କାମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। କିଛି ଦିନ ପରେ ଓଡ଼ିଶା ଫେରି ଆସି ଗାଁକୁ ଚାଲି ଆସିଥିଲା। ସେଠାର ରହି କାମଦାମ କରି ପରିବାର ଚଳାଉଥିଲା। ତେବେ ପୁଲିସର ସ୍ବତନ୍ତ୍ର ଅପରେସନରେ ଗତକାଲି ଧରା ପଡ଼ି ଯାଇଥିଲା। ଦୁଇ ଦିନ ତଳେ ଅନ୍ୟ ଏକ ମାମଲାରେ ଫେରାର ଥିବା ଅଭିଯୁକ୍ତ ଜିତେନ୍ଦ୍ର ପରିଡ଼ାକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଥିଲା।
Follow Us