ମିସ୍‌ ଶ୍ରୀୟା ସ୍ମୃତି ‘ମିସ୍‌ ରଜ-୨୦୧୮’

ମିସ୍‌ ଶ୍ରୀୟା ସ୍ମୃତି ‘ମିସ୍‌ ରଜ-୨୦୧୮’

ଭୁବନେଶ୍ୱର: ମଞ୍ଚରେ ଥିଲା ଉଭୟ ଦେଶୀ ବିଦେଶୀ ଫ୍ୟାସନ୍‌ର ପ୍ରଦର୍ଶନ। ସୁନ୍ଦର ମୁଖଭଙ୍ଗୀ, ଆକର୍ଷଣୀୟ ଠାଣି ଓ ମନମୋହିନୀ ଅଙ୍ଗଭଙ୍ଗୀକୁ ପୁଞ୍ଜି କରି ଧିମା ସଙ୍ଗୀତର ତାଳେ ତାଳେ ସୁନ୍ଦର ସୁନ୍ଦର ମଡେଲ୍‌ ବାହାରି ଆସୁଥିଲେ ମଞ୍ଚର ରଙ୍ଗୀନ୍‌ ଆଲୋକ ଓ ଧୂଅାଁଳିଆ ପରିବେଶ ଭିତରକୁ। ନିଜକୁ ଅନ୍ୟଠୁ ଶ୍ରେଷ୍ଠ ଦେଖାଇବାକୁ ୩୦ଜଣ ପ୍ରତିଯୋଗୀ କରି ଚାଲିଥିଲେ ପ୍ରାଣମୂର୍ଚ୍ଛା ଉଦ୍ୟମ। ଅବସର ଥିଲା ‘ଆଦିତ୍ୟ ବିର୍ଲା ଫ୍ୟାସନ୍‌ ଆଣ୍ଡ୍‌ ରିଟେଲ୍‌ ଲିମିଟେଡ୍‌’ର ଫାମିଲି ଫ୍ୟାସନ୍‌ ଷ୍ଟୋର୍‌ ‘ପାଣ୍ଟାଲୁନ୍ସ’ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ‘ମିସ୍‌ ରଜ-୨୦୧୮’ର।

ଓଡ଼ିଆ ପର୍ବ ଓ ଏହାର ନାମକୁ ‘ରଜ’କୁ ନେଇ ଆଜି ସହିଦନଗରସ୍ଥିତ ପାଣ୍ଟାଲୁନ୍ସ ପରିସରରେ ଆୟୋଜିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରଥମେ ପାରମ୍ପରିକ ପୋଷାକ, ପରେ ପାଶ୍ଚାତ୍ୟ ପୋଷାକ ପିନ୍ଧି ନିଜ ଫ୍ୟାସନ୍‌ ଜ୍ଞାନ ଓ ସୌନ୍ଦର୍ଯ୍ୟ ତଥା ବିଚାରକଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜ ବୁଦ୍ଧିମତାର ପରିଚୟ ଦେଇଥିଲେ। ଏହି ଫ୍ୟାସନ୍‌ ପ୍ରତିଯୋଗିତାରେ ୧୮-୨୬ ବର୍ଷ ବୟସର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମିସ୍‌ ଶ୍ରୀୟା ସ୍ମୃତି ରାଉତ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରାଯିବା ସହ ପାଣ୍ଟାଲୁନ୍ସ ପକ୍ଷରୁ ପ୍ରସ୍ତୁତ କରାଯିବାକୁ ଥିବା ଏକ ସ୍ୱତନ୍ତ୍ର ବିଜ୍ଞାପନ ଭିଡିଓରେ ସାମିଲ ହେବାର ସୁଯୋଗ ମିଳିବ। କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା ଓ ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପାଣ୍ଟାଲୁନ୍ସର ମାର୍କେଟିଂ ଆଣ୍ଡ୍‌ ଲୟାଲିଟି ମୁଖ୍ୟ ଗୌରବ ଚକ୍ରବର୍ତ୍ତୀ, ଅପରେସନ୍‌ସ୍‌ ମୁଖ୍ୟ ପ୍ରିୟରଞ୍ଜନ କୁମାର ଓ ଷ୍ଟୋର୍‌ ମ୍ୟାନେଜର୍‌ ସାରସ୍ୱତ୍‌ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଆର୍‌ଜେ କୋମଲ୍‌ ଓ ଫ୍ଲୋରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe