ଶୋଭା ପାଇବ ମିସାଇଲ୍‌ ତୋରଣ ଓ ତ୍ରିରଙ୍ଗା ଚିତ୍ରିତ ମଣ୍ଡପ

Advertisment

ୟୁନିଟ୍‌-୮ ହରପାର୍ବତୀ ପୂଜା କମିଟି

ୟୁନିଟ୍‌-୮ ହରପାର୍ବତୀ ପୂଜା କମିଟି

ଶୋଭା ପାଇବ ମିସାଇଲ୍‌ ତୋରଣ ଓ ତ୍ରିରଙ୍ଗା ଚିତ୍ରିତ ମଣ୍ଡପ

ଭୁବନେଶ୍ବର: ହିନ୍ଦୁ-ମୁସଲିମ୍ ଭାଇଚାରାର ପ୍ରତୀକ ପାଇଁ ରାଜଧାନୀରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ୟୁନିଟ୍‌-୮ ହରପାର୍ବତୀ ପୂଜା କମିଟି ଚଳିତ ବର୍ଷ ପୁଣି ନିଆରା ଢଙ୍ଗରେ ପୂଜା ଆୟୋଜନ କରୁଛି। ପୂଜା ମଣ୍ଡପରେ ପ୍ରତୀୟମାନ ହେବ ଦେଶଭକ୍ତି ତଥା ଦେଶପ୍ରେମର ଝଲକ। ଏବର୍ଷ ମଣ୍ଡପରେ ହେବ ମିସାଇଲ୍‌ ତୋରଣ। ଏଥିରେ ରହିବ ଚନ୍ଦ୍ରାୟନର ଚିତ୍ର, ବ୍ରହ୍ମାସ୍ତ୍ର ଠାରୁ ଆରମ୍ଭ କରି ଭାରତୀୟ ସେନାର ବିଭିନ୍ନ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରର ଅବିକଳ ନକଲ। ଦୀର୍ଘ ୩୫ବର୍ଷ ହେଲା ୟୁନିଟ୍‌-୮ ରାଜ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ହରପାର୍ବତୀ ପୂଜାରେ ମୁସ୍‌ଲିମ ସମ୍ପ୍ରଦାୟର ମୁରବି ଓ ଯୁବକମାନେ ସାମିଲ୍‌ ହୋଇଆସୁଛନ୍ତି।

ଏହି ପୂଜା କମିଟିରେ ମୁସ୍‌ଲିମ୍‌ ସଂପ୍ରଦାୟର ବ୍ୟକ୍ତିବିଶେଷ କର୍ମକର୍ତ୍ତା ରହିଆସିଛନ୍ତି। ଏହି ପୂଜାର ଅନ୍ୟ ଏକ ବିଶେଷତ୍ବ ହେଲା ଦଶହରାରେ ହରପାର୍ବତୀଙ୍କ ସହିତ ଗଣେଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଏ। ଏବର୍ଷ ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଥିବାରୁ ମିସାଇଲ୍‌ ତୋରଣ ଠାରୁ ଆରମ୍ଭ କରି ବ୍ରହ୍ମାସ୍ତ୍ର ଶୋଭା ପାଇବ। ଏଥିସହ ଭିତରେ ତ୍ରିରଙ୍ଗା ପତାକାରେ ମଣ୍ଡପକୁ ସଜା ଯିବ। ଏଥିପାଇଁ ସାଧାରଣ ଲୋକଙ୍କୁ ଗୋଟିଏ ଲେଖାଏଁ ପତାକା ପ୍ରଦାନ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ଏଥର ମା’ପାର୍ବତୀଙ୍କୁ ରୂପା ଅଳଙ୍କାରରେ ଭୂଷିତ କରାଯିବ। ୪ଦିନ ଧରି ପାଳନ ହେବାକୁ ଥିବା ଏହି ପୂଜାରେ ଖେଚୁଡ଼ି ଭୋଗ ଲାଗି କରାଯିବ ଓ ଲୋକଙ୍କୁ ଦିଆଯିବ। ପ୍ରତି ସଂଧ୍ୟାରେ କୁନିକୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିସହ ଦେଶାତ୍ମକବୋଧ କାର୍ଯ୍ୟକ୍ରମ, ଭଜନ ସମାରୋହ, ମେଲୋଡି ଓ ଯାଦୁ ପ୍ରଦର୍ଶନ କରାଯିବ। ଏହି ପୂଜା ମଣ୍ଡପଟି ରାଜଭବନ ନିକଟରେ ଥିବାରୁ ମହାମହିମ ରାଜ୍ୟପାଳଙ୍କୁ ମଣ୍ଡପ ପରିଦର୍ଶନ ପାଇଁ ନିୟନ୍ତ୍ରଣ କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

ଖେଚୁଡ଼ି ଓ ହାଲୁଆ ଭୋଗ କରାଯିବ

publive-image

ଏବର୍ଷ ମୂର୍ତ୍ତିର ଉଚ୍ଚତା ୧୨ଫୁଟ୍‌ କରାଯିବ। ପୂଜା ମାଧ୍ୟମରେ ଆଜାଦି କା ଅମୃତ ମହୋତ୍ସବକୁ ପାଳନ କରାଯିବ। ଏବର୍ଷ ଗହଳି ହେବାର ସମ୍ଭାବନା ଥିବାରୁ କମିଟି ପକ୍ଷରୁ ମା’ଙ୍କର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ପାଖରେ ଭୋଗ ଲାଗି ହୋଇଥିବା ଖେଚୁଡ଼ି ଓ ହାଲୁଆ ଭୋଗକୁ ଶ୍ରଦ୍ଧାଳଙ୍କୁ ବଣ୍ଟନ କରାଯିବ।
-ବନପ୍ରସାଦ ପଟ୍ଟନାୟକ, ସଂପାଦକ

ସାଜସଜ୍ଜାକୁ ଅଧିକ ଗୁରୁତ୍ବ

publive-image

ପୂରା ମଣ୍ଡପରେ ସୁନ୍ଦର ରଙ୍ଗିନ୍‌ ଆଲୋକ ସଜାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯିବ। ରାଜ୍ୟପାଳ ଆମ ମଣ୍ଡପକୁ ନିଶ୍ଚୟ ଆସିବେ ବୋଲି ଆଶା ବାନ୍ଧିଛୁ। ବିଧି ଓ ପରମ୍ବରା ଅନୁସାରେ ପୂଜାକୁ ଅଧିକ ଗୁରୁତ୍ବ ଦିଆଯାଇଛି।
-ଉପେନ୍‌ ଗୋଚ୍ଛାୟତ, ବରିଷ୍ଠ ସଭ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe