ବାଲିଅନ୍ତାରେ ମନରେଗା ଭେଳିକି, ମାସକ ପରେ ବି ଜବ୍‌କାର୍ଡଧାରୀଙ୍କୁ ମିଳୁନି ମଜୁରି

Advertisment
୪୮ଲକ୍ଷ ଶ୍ରମଦିବସ ସତ୍ତ୍ବେ ଫଳ ଶୂନ: ଦାଦନ ରୋକିବାରେ ମନରେଗା ବିଫଳ

Zee News

ବାଲିଅନ୍ତା: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା ) ବାଲିଅନ୍ତାରେ ପ୍ରହସନ ପାଲଟିଛି। ଜବ୍‌କାର୍ଡଧାରୀଙ୍କୁ ଶ୍ରମ ଦିବସ ବାବଦ ମଜୁରି ପ୍ରଦାନ କରାଯିବାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ସପ୍ତାହକ ଭିତରେ ପାରିଶ୍ରମିକ ପ୍ରଦାନ ନେଇ ନିୟମ ଥିବାବେଳେ ୧ ମାସରୁ ଅଧିକ ସମୟ ପରେ ମଧ୍ୟ ସେମାନଙ୍କୁ ମଜୁରି ମିଳୁନଥିବା ଜଣାପଡ଼ିଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ ସରପଞ୍ଚ କାମ ତଦାରଖ କରୁଥିବା ବେ‌ଳେ ଜବ୍‌କାର୍ଡଧାରୀଙ୍କୁ ଶ୍ରମଦିବସ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଅଭିଯୋଗ ହେଉଛି। ଏନେଇ ସଂପୃକ୍ତ ଜବ‌୍‌କାର୍ଡଧାରୀ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ସରକଣା‌ ପଞ୍ଚାୟତ ରଣପୁର ଗ୍ରାମ ଗୁଡ଼ିଆଘର ପୋଖରୀ ଖନନ କାର୍ଯ୍ୟରେ ଏଭଳି ଅନିୟମିତତା ହୋଇଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡ଼ିଛି, ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଥିବା ଗୁଡ଼ିଆଘର ପୋଖରୀ ରୋଗବାହକ ସାଜିଥିଲା। ହଇଜା, ମହାମାରୀ, ମ୍ୟାଲେରିଆ ଓ ଡେଙ୍ଗୁରେ ଅନେକ ଆକ୍ରାନ୍ତ ହେଉଥିଲେ। ସରକଣା ଉପରମୁଣ୍ଡ ସାହି ଓ ରଣପୁର ଗ୍ରାମ ମହିଳା ଆଞ୍ଚଳିକ ମଞ୍ଚର ୬ଗୋଟି ମହିଳାମଣ୍ଡଳର ୭୦ ଜଣ ସଦସ୍ୟା ପୋଖରୀରୁ ପଙ୍କ ଉଦ୍ଧାର କରିଥିଲେ। ଏହାପରେ ଗ୍ରାମ ପଞ୍ଚାୟତ ଅନୁମୋଦନ କ୍ରମେ ଖୋର୍ଧା ଡିଆରଡିଏ ପକ୍ଷରୁ ପୋଖରୀ ପୁନରୁଦ୍ଧାର ନେଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଅଢ଼େଇ ଲକ୍ଷ ଟଙ୍କା ପଙ୍କ ଉଦ୍ଧାର ବାକି ଦେଢ଼ଲକ୍ଷ ଗୋଟିଏ ପାର୍ଶ୍ବରେ ଗାର୍ଡୱାଲ ନିର୍ମାଣ ନେଇ ବ୍ୟୟ ଅଟକଳ କରାଯାଇଛି। ବିଡିଓ ଆଦିକନ୍ଦ ବେହେରା, ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ଓ ସହକାରୀ ଯନ୍ତ୍ରୀ ତାପସ କୁମାର ବିଶ୍ବାଳ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ପୋଖରୀରୁ ଦଳ ସଫା କାର୍ଯ୍ୟ ଓ ପଙ୍କ ଉଦ୍ଧାର କାର୍ଯ୍ୟ ହେବାର ଏହାମଧ୍ୟରେ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଜବ୍‌କାର୍ଡଧାରୀଙ୍କୁ ମଜୁରି ବାବଦ ପ୍ରାପ୍ୟ ମିଳିପାରିନାହିଁ। ଏନେଇ ସଂପୃକ୍ତ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କରେ ଅଧିକାରୀଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe