Odisha Bytes
ଭୁବନେଶ୍ବର: ଯାନବାହନ ଚଳାଚଳ ଜନିତ ଶବ୍ଦ ଓ ବାୟୁ ପ୍ରଦୂଷଣରୁ ପରିବେଶକୁ ରକ୍ଷା କରିବା ତଥା ସହରବାସୀଙ୍କୁ ଉତ୍ତମ ପରିବହନ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ କ୍ରୁଟ୍ ଦ୍ବାରା ପରିଚାଳିତ ମୋ’ ବସ୍ ସରକାରଙ୍କ ଏକ ସଫଳ ଯୋଜନା ଭାବେ ପରିଗଣିତ ହେଉଛି। ଓଡ଼ିଶା ସରକାରଙ୍କ ଏହି ପ୍ରକଳ୍ପ ଜାତୀୟସ୍ତରରେ ଏକାଧିକବାର ପୁରସ୍କୃତ ମଧ୍ୟ ହୋଇଛି। ଲୋକମାନେ କିଭଳି ନିଜ ଗାଡ଼ିର ବ୍ୟବହାର କମ୍ କରି ମୋ ବସ୍ ଉପରେ ନିର୍ଭରଶୀଳ ହେବେ, ସେଥିପାଇଁ କ୍ରୁଟ୍ ଉଦ୍ୟମ କରୁଛି। ରାଜଧାନୀର ପ୍ରତି ଗଳିକୁ ମୋ’ ବସ୍ ସେବା ସହ ଯୋଡ଼ିବା ପାଇଁ ବ୍ୟବସ୍ଥା ହେବା ସହ ମୋ ବସ୍ ପର୍ଯ୍ୟନ୍ତ ଲୋକଙ୍କୁ ପହଞ୍ଚାଇବାକୁ ମୋ’ ଇ-ରାଇଡ୍(ବ୍ୟାଟେରି ଅଟୋ) ବ୍ୟବସ୍ଥା ହୋଇଛି। ହେଲେ ଦୁର୍ଭାଗ୍ୟର କଥା ହେଲା, ସିଆର୍ପି ଛକ-ଏକାମ୍ରକାନନ- ଜୟଦେବବିହାର ଭଳି ଗୁରୁତ୍ବପୂର୍ଣ୍ଣ ରାସ୍ତା ଏପର୍ଯ୍ୟନ୍ତ ଏହି ସେବାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ।
ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ବରେ ବହୁ କଲୋନି ଯଥା ଏନ୍-୧, ଭିଆଇପି କଲୋନି, ରେଣ୍ଟାଲ କଲୋନି, ସିଆରପିଏଫ୍ କ୍ୟାମ୍ପସ, ରେଣ୍ଟାଲ ବସ୍ତି, ସାଲିଆ ସାହି ଆଦି ରହିଛି। ଏହି ଅଞ୍ଚଳର ସବୁ ଲୋକଙ୍କୁ ବସ୍ ଧରିବାକୁ ହେଲେ ଚାଲି ଚାଲି ଯିବାକୁ ହୁଏ। ନଚେତ୍ ଅଟୋରେ ସିଆରପି, ଇସ୍କନ୍ ଛକ, ଜୟଦେବବିହାର ପର୍ଯ୍ୟନ୍ତ ଆସିବାକୁ ପଡୁଛି। ଏହାର ସୁଯୋଗ ନେଇ ଅଟୋ ଚାଳକ ନିଜ ମନମାନି କରୁଛନ୍ତି। ଇଚ୍ଛା ମୁତାବକ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ଲୋକେ ଶୋଷଣର ଶିକାର ହେଉଛନ୍ତି।
ଇସ୍କନ୍ ରଥଯାତ୍ରା ସମୟରେ ସିଆରପିରୁ ଇସ୍କନ୍ ଯାଏଁ ରାସ୍ତା ବନ୍ଦ ଥିଲା ବେଳେ ସେହି ସମୟରେ ‘ମୋ ବସ୍’ଗୁଡ଼ିକ ବାଧ୍ୟ ହୋଇ ସିଆରପି ଛକରୁ ଏକାମ୍ରକାନନ ଦେଇ ଜୟଦେବବିହାର ଯାତାୟାତ କରିଥିଲା। ଗତ ମାସରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ସାମ୍ନାରେ ପାଣି ଜମିବା ଯୋଗୁ ଏହି ରାସ୍ତା ଦେଇ ‘ମୋ ବସ୍’ ଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଯଦି ସେ ସମୟରେ ଏହି ରାସ୍ତାରେ ବସ୍ ଯାଇପାରୁଛି, ତେବେ ସବୁବେଳେ ଚାଲିବାରେ ଅସୁବିଧା କ’ଣ? ଏଣୁ ଏହି ରୁଟ୍ରେ ନିୟମିତ ‘ମୋ ବସ୍’ ଚଳାଇବା ପାଇଁ ସେମାନେ ଦାବି କରିଛନ୍ତି। ବସ୍ ଚାଲିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ଛାତ୍ରଛାତ୍ରୀ ଓ କର୍ମଜୀବୀ ଉପକୃତ ହୁଅନ୍ତେ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ଏହି ପ୍ରସ୍ତାବ ତଥା ଦାବି ଉପରେ ବିଚାର କରାଯାଉଥିବା କ୍ରୁଟ୍ ପକ୍ଷରୁ କୁହାଯାଇଛି।
Follow Us