ନିୟମ ମାନୁନାହାନ୍ତି ‘ମୋ ବସ୍‌’ ଚାଳକ, ଏଥର କଟିବ ଚାଲାଣ

ନିୟମ ମାନୁନାହାନ୍ତି ‘ମୋ ବସ୍‌’ ଚାଳକ, ଏଥର କଟିବ ଚାଲାଣ

ଭୁବନେଶ୍ୱର: ଖୁବ୍‌ କମ୍‌ ଦିନରେ ବିଶ୍ବସନୀୟ ହୋଇପାରିଥିବା ‘ମୋ ବସ୍‌’ ଏବେ ଚର୍ଚ୍ଚାକୁ ଆସିଛି। କେତେକ ଅମାନିଆ ଚାଳକଙ୍କ ଯୋଗୁଁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ହେଉଛି। କିଛି ଚାଳକ ଯେଉଁ ଜାଗାରେ ବସ୍‌ ରହିବା କଥା ସେଠାରେ ନ ରଖି ମନଇଚ୍ଛା ରଖୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଦୁର୍ଘଟଣା ମଧ୍ୟ ଘଟୁଛି। ଏ ସବୁକୁ ଆଖି ଆଗରେ ରଖି ମୋ ବସ୍‌ ଚାଳକମାନଙ୍କୁ ତିନିଥର ପ୍ରଶିକ୍ଷଣ ଦିଆସରିଛି। ଆସନ୍ତାକାଲି ଶେଷ ଥର ପାଇଁ ପ୍ରଶିକ୍ଷଣ ଦିଆଯିବ। ଏହାପରେ ନିୟମ ଉଲ୍ଲଂଘନ ହୁଏ ତେବେ ଚାଲାଣ କଟାଯିବ ବୋଲି କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ତେବେ ପୂର୍ବରୁ ମଧ୍ୟ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ମୋ ବସ୍‌ ପାଇଁ ଚାଲାଣ କଟାଯାଇଛି। କିନ୍ତୁ ଏବେ ଅଧିକରୁ ଅଧିକ ଅଭିଯୋଗ ଆସୁଥିବାରୁ ଏହାକୁ ନିୟନ୍ତ୍ରିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ହୋଇଛି। ଏ ନେଇ ମୋ ବସ୍‌ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇ ସାରିଛି। ମୋ ବସ୍‌ ଶୃଙ୍ଖଳିତ ହେଲେ ଏହା ଅନ୍ୟ ଚାଳକଙ୍କ ପାଇଁ ଆଦର୍ଶ ହେବ। ଏମାନଙ୍କୁ ଶୃଙ୍ଖଳିତ କରିବା ପରେ ଅନ୍ୟ ଗାଡ଼ି ଓ ଅଟୋ ଚାଳକଙ୍କୁ ଶୃଙ୍ଖଳିତ କରାଯିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ମୋ ବସ୍‌ ରହିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଏଠାରେ ମୋ ବସ୍‌ ରହୁଥିବାରୁ ଯାତ୍ରୀଙ୍କ ସହ ରାସ୍ତାରେ ଯାଉଥିବା ଅନ୍ୟ ଚାଳକମାନେ ସତର୍କ ଥାଆନ୍ତି। କିନ୍ତୁ ଯେ‌ତେବେଳେ ଏହା ନିର୍ଦ୍ଧାରିତ ଷ୍ଟପ୍‌ରେ ନ ରହି ଅନ୍ୟ ଜାଗାରେ ରୁହନ୍ତି ସେଠାରେ ଦୁର୍ଘଟଣା ଘଟେ। ନିକଟ ଅତୀତରେ ବାଣୀବିହାର ଛକରେ ମୋ ବସ୍‌ ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଥିଲା। ଏଥିପାଇଁ ମୋ ବସ୍‌ ଚାଳକଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଏଭଳି ରାସ୍ତା ଉପରେ ରଖି ୫ଟି ମୋ ବସ୍‌ ନାମରେ ଚାଲାଣ କଟାଯିବା ସହ ଜରିମାନା ଆଦାୟ ହୋଇଥିଲା। ଏବେ ଏମାନଙ୍କ ଉପରେ କଡ଼ା ନଜର ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe