ଭୁବନେଶ୍ବର: ଜଣେ ସ୍କୁଲ ଛାତ୍ରଙ୍କ ଅନୁରୋଧରେ ଆଜି କ୍ରୁଟ୍ କର୍ତ୍ତୃପକ୍ଷ ‘ମୋ ବସ୍’ ଟାଇମିଂ ବଦଳାଇଛନ୍ତି। ଯାହାକୁ ନେଇ ଆଜି ସାମାଜିକ ଗଣମାଧ୍ୟମ ଟୁଇଟର୍ରେ କ୍ରୁଟ୍ ଏବଂ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଘଟଣାଟି ଏମିତି। ଏମ୍ବିଏସ୍ ପବ୍ଲିକ ସ୍କୁଲରେ ପଢ଼ୁଥିବା ଛାତ୍ର ସାଇ ଅନ୍ବେଷ ଅମୃତମ୍ ପ୍ରଧାନ କ୍ରୁଟ୍ ଏବଂ ଏହାର ଏମ୍ଡି ଅରୁଣ ବୋଥ୍ରାଙ୍କୁ ଟୁଇଟ୍ କରି ଜଣାଇଥିଲେ ଯେ, ଲିଙ୍ଗିପୁରରୁ ରୁଟ୍-୧୩ରେ ଆସୁଥିବା ମୋ ବସ୍ ସକାଳ ୭ଟା ୪୦ରେ ବାହାରୁଛି। ହେଲେ ତାଙ୍କ ସ୍କୁଲ ସକାଳ ୭ଟା ୩୦ରେ ଖୋଲୁଛି। ପୂର୍ବରୁ ସେ ସ୍କୁଲକୁ ମୋ ବସ୍ରେ ଯାଉଥିଲେ ହେଁ ବସ୍ ଟାଇମିଂ ବଦଳିଯାଇଥିବାରୁ ଏବେ ସ୍କୁଲ ଯିବାରେ ଅସୁବିଧା ହେଉଛି। ଯଦି କିଛି ତ୍ବରିତ ପଦକ୍ଷେପ ନେବେ ତେବେ ଉପକୃତ ହେବି।
ଏହାପରେ କ୍ରୁଟ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଥିଲା ଆପଣଙ୍କ ଅନୁରୋଧ ଗ୍ରହଣ କରୁଛୁ। ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନିଆଯିବ। ଏହାପରେ ଶ୍ରୀ ବୋଥ୍ରା ଟୁଇଟ୍ କରି ଜଣାଇଥିଲେ ଯେ, ଆସନ୍ତା ସୋମବାର ଠାରୁ ରୁଟ୍ ୧୩ରେ ମୋ ବସ୍ ସକାଳ ୭ଟାରେ ଲିଙ୍ଗିପୁରରୁ ବାହାରିବ। ଏହାପରେ ଟୁଇଟର୍ରେ ଶ୍ରୀ ବୋଥ୍ରା ଓ କ୍ରୁଟ୍ର ତ୍ବରିତ ପଦକ୍ଷେପକୁ ଲୋକମାନେ ଭୁରିଭୁରି ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ, ରୁଟ୍ ୧୩ରେ ମୋ ବସ୍ ଲିଙ୍ଗିପୁରରୁ ନନ୍ଦନ ବିହାର ପର୍ଯ୍ୟନ୍ତ ଯାଇଥାଏ।
Follow Us