ମୁଣ୍ଡରୁ ଦୋଷ ଝାଡ଼ୁଛନ୍ତି ବାବୁ: ଚୋରି ହୋଇଗଲା, ଜାଣିପାରିଲେନି?

Advertisment

ଆହୁରି ୭୮୦ ସାଇକେଲ୍‌ ଏବେ କେଉଁଠି?

ଆହୁରି ୭୮୦ ସାଇକେଲ୍‌ ଏବେ କେଉଁଠି?

କବାଡ଼ିଆକୁ ‘ମୋ ସାଇକେଲ୍‌’ ବିକ୍ରି ପ୍ରସଙ୍ଗ: କାହିଁକି ସତ ଲୁଚାଉଛନ୍ତି କର୍ତ୍ତୃପକ୍ଷ?

୩ଦିନ ପରେ ପୁଲିସକୁ ଜଣାଇବା କଥା ମନେ ପଡ଼ିଲା
ହିରୋ ୟୋନୋ ଏବଂ ସୂର୍ଯ୍ୟକାନ୍ତଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ବର : ‌ଶହଶହ ‘ମୋ ସାଇକେଲ୍‌’ ଡୁମଡୁମା ନିକଟସ୍ଥ ରେହମତ୍‌ନଗର କବାଡ଼ିଖାନାରେ କଟା ହେବା ପ୍ରସଙ୍ଗରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଶନିବାର ସହିଦନଗର ଥାନାରେ ଏମ୍‌ଏସ୍‌ ହିରୋ ୟୋନୋ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଏବଂ ସୂର୍ଯ୍ୟକାନ୍ତ ଦଳବହେରାଙ୍କ ନା‌ମରେ ମାମଲା ରୁଜୁ ହୋଇଛି। କେସ୍‌ ନଂ-୨୭୭ରେ ଧାରା ୩୭୯ରେ ମାମଲା ରୁଜୁ ହୋଇଛି। ଅର୍ଥାତ୍ ରାଜଧାନୀ ରାସ୍ତାରୁ ମୋ ସାଇକେଲ୍‌ ଚୋରି ହୋଇଛି ବୋଲି ବିଏସ୍‌ସିଏଲ୍ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି।

publive-image

ରାଜଧାନୀ ରାସ୍ତାରୁ ଶହଶହ ମୋ ସାଇକେଲ୍‌ ଉଠାଇ ନେଇ ରେହମତ୍‌ ନଗରରେ କଟା ହେବା ଏବଂ ୪୮ଘଣ୍ଟା ପର୍ଯ୍ୟନ୍ତ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଚୁପ୍ ରହିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଶୁକ୍ରବାର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଅର୍ଥାତ ଏଭଳି ଏକ ସ୍ପର୍ଶକାତର ମାମଲାରେ ପୁଲିସ ନିକଟରେ ଅଭିଯୋଗ କରିବାକୁ ତିନିଦିନ ଲାଗିଗଲା। ହେଲେ ଏହି ଅଭିଯୋଗର କାରଣ ଯାହା ଦର୍ଶାଯାଇଛି ତାହା ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ୬୫୦କୋଟି ଟଙ୍କାର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଛି। ମୋ ସାଇକେଲ ଯୋଜନାର ପରିଚାଳନା ଦାୟିତ୍ବ ନେଇଥିଲେ ହେଁ ନିଜ ମୁଣ୍ଡରୁ ଦୋଷ ଝାଡ଼ିବା ଲାଗି ଏବେ ଅଧିକାରୀମାନେ ଏମିତି ଉପାୟ ଅବଲମ୍ବନ କରିଥିବା ଆଲୋଚନା ହେଉଛି।

publive-image

ପ୍ରଥମତଃ ରାଜଧାନୀର ରାସ୍ତାଘାଟରେ ସିସିଟିଭି ଲାଗିଥିବାବେଳେ ପୂରା ସହର ଉପରେ ବିଏସ୍‌ସିଏଲ୍‌ ଓ କମିସନରେଟ୍ ପୁଲିସ ନଜର ରଖିଛି ବୋଲି କହି ଆସୁଛନ୍ତି। ହେଲେ ରାଜଧାନୀ ରାସ୍ତାରୁ ଶହଶହ ମୋ ସାଇକେଲ୍‌ ଚୋରି ହେବା ବେଳେ ଏହି ସିସିଟିଭି କାମ କରୁଥିଲା ନା ନାହିଁ ସେନେଇ ପ୍ରଶ୍ନ ଉଠିଛି। ଯଦି ସିସିଟିଭି କାମ କରୁଥିଲା ତେବେ କଣ୍ଟ୍ରୋଲ ରୁମ୍‌ରେ ବସି ଏଲ୍‌ଇଡି ପରଦାରେ ସହରର ଦୃଶ୍ୟ ଦେଖୁଥିବା କର୍ମଚାରୀଙ୍କ ନଜରରେ ଏହା କିପରି ପଡ଼ିଲାନି? ଯଦି ସାଇକେଲ୍‌ ଉଠାଯିବା ବେଳେ ଏବଂ ଚନ୍ଦ୍ର‌େଶଖରପୁର ଅଞ୍ଚଳରୁ ଡାଲା ଅଟୋରେ ଲଦା ହୋଇ ଡୁମଡୁମା ପର୍ଯ୍ୟନ୍ତ ଯିବା ଭିତରେ ଗାଡ଼ିକୁ ଅଟକାଯାଇଥାନ୍ତା, ତେବେ ଏହି ସାଇକେଲ୍‌ ବିକ୍ରି ହୋଇ କଟା ହେବା ପର୍ଯ୍ୟନ୍ତ କଥା ଯାଇନଥାନ୍ତା। ହେଲେ ସ୍ମାର୍ଟ ସଲ୍ୟୁସନ୍ ବ୍ୟବସ୍ଥା ଫେଲ୍‌ ମାରିବାରୁ ଲକ୍ଷ ଲକ୍ଷ ଟଙ୍କାର ସାଇକେଲ୍‌ କଟା ହେବା ପରେ ବାବୁମାନେ ଜାଣିଲେ। କେବଳ ଏତିକି ନୁହେଁ; ଏହି ସାଇକେଲ୍‌ଗୁଡ଼ିକରେ ଜିପିଏସ୍‌ ଲାଗିଥିବାରୁ ଏହାର ଦାମ୍ ଅଧିକ ହୋଇଛି ବୋଲି କୁହାଯାଇଥିଲା। ଯେଉଁ ସାଇକେଲ୍‌ରେ ଜିପିଏସ୍‌ ଲାଗିଥିଲା ତାକୁ ବିଏସ୍‌ସିଏଲ୍‌ ବାବୁମାନେ କିପରି ଟ୍ରାକ୍ କରିପାରିଲେନି। ଯଦି ସିସିଟିଭି କାମ କରୁନଥିଲା ତେବେ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍ କରାଯାଇ ପାରିଥାନ୍ତା। ହେଲେ ସେଥିରେ ବି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଫେଲ୍‌ ମାରିଲେ।

publive-image

ଅନ୍ୟପକ୍ଷରେ ରାଜଧାନୀ ରାଜରାସ୍ତାରୁ ଶହଶହ ମୋ ସାଇକେଲ୍‌ ଚୋରି ହୋଇଛି। କିନ୍ତୁ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ତାଙ୍କ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି ଯେ, କେବଳ ୨୦୦ ସାଇକେଲ୍‌ ଚୋରି ହୋଇଛି। ଅସଲରେ ଅନେକ ସାଇକେଲ୍‌ ବିଷୟରେ ବାବୁଙ୍କ ନିକଟରେ ଖବର ନାହିଁ। ଯେଉଁଥିପାଇଁ ବିଏସ୍‌ସିଏଲ୍‌ ପକ୍ଷରୁ ୧୨୨୦ଟି ସାଇକେଲ୍‌କୁ ନେଇ ପବ୍ଲିକ୍ ବାଇସାଇକେଲ୍‌ ସେୟାରିଂ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା କୁହାଯାଉଛି। ଦୁଇ ହଜାର ସାଇକେଲ୍‌ କିଣାଯାଇଥିବାବେଳେ ୨୦୦ ସାଇକେଲ୍‌ ଏବେ ଚୋରି ହେଲା। ତେବେ ପୂର୍ବରୁ ନିଖୋଜ ଥିବା ୭୮୦ଟି ମୋ ସାଇକେଲ୍‌ କୁଆଡ଼େ ଗଲା? ଏହି ୭୮୦ଟି ମୋ ସାଇକେଲ୍‌ କେଉଁଠି ଅଛି, କାହା ପାଖରେ ଅଛି, ବାସ୍ତବରେ ଏ ସାଇକେଲ୍‌ ଅଛି ନା କବାଡ଼ିଆ କାଟି ଲୁହା ଦରରେ ବିକି ସାରିଲେଣି, ସେ ଖବର କାହା ପାଖରେ ନାହିଁ। ଏ ନେଇ ପଚାରିଲେ ବାବୁମାନେ କ୍ରୁଟ୍ ଉପରେ ଦୋଷ ଲଦୁଛନ୍ତି। ଏବେ ବିଏସ୍‌ସିଏଲ୍‌ର ସିଇଓ ସଞ୍ଜୟ ସିଂହ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଥିବାରୁ ଶ୍ରୀ ସିଂହ ହିଁ ପ୍ରକୃତ ତଥ୍ୟ କହିପାରିବେ। କିନ୍ତୁ ଶ୍ରୀ ସିଂହଙ୍କ ନିରବତା ଯୋଗୁଁ ବିଏସ୍‌ସିଏଲ୍‌ ଓ କ୍ରୁଟ୍‌ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe