‘ମୋ ସରକାର’କୁ ମାସେ ପୂରିଲା : ୬ ଥାନା କର୍ମଚାରୀଙ୍କ ବ୍ୟବହାର ଉତ୍ତମ, ୩ ଥାନା ନୈରାଶ୍ୟଜନକ

‘ମୋ ସରକାର’କୁ ମାସେ ପୂରିଲା : ୬ ଥାନା କର୍ମଚାରୀଙ୍କ ବ୍ୟବହାର ଉତ୍ତମ, ୩ ଥାନା ନୈରାଶ୍ୟଜନକ

Dailyhunt

ଭୁବନେଶ୍ବର : ‘ମୋ ସରକାର’ ଯୋଜନାକୁ ଏକ ମାସ ପୂରିଗଲା। ଏହି ମାସକ ମଧ୍ୟରେ ରାଜ୍ୟ କଲ ସେଣ୍ଟର, କମିସନରେଟ ପୁଲିସର କଲ ସେଣ୍ଟର ଓ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା କଲ୍ ସେଣ୍ଟରରୁ ରାଜଧାନୀର ବିଭିନ୍ନ ଅଭିଯୋଗକାରୀଙ୍କ ପାଖକୁ ଫୋନ୍ କଲ ଯାଇଥିଲା। ସେମାନଙ୍କୁ ପୁଲିସର ବ୍ୟବହାର ସମ୍ପର୍କରେ ପଚରା ଯିବା ସହିତ ଅଭିଯୋଗର ଏତଲା କପି ପାଇଲେ ନା ନାହିଁ, ଏତଲା କପି ମିଳିବା ପରେ ସେମାନଙ୍କୁ ଥାନା କିମ୍ବା ତଦନ୍ତକାରୀ ଅଫିସରଙ୍କ ପକ୍ଷରୁ ଏସଏମଏସ ମାଧ୍ୟମରେ ଅବଗତ କରାଯାଇଥିଲା ନା ନାହିଁ? ଏଭଳି ଅନେକ ପ୍ରଶ୍ନ ପଚରା ଯାଇଥିଲା। ଅଭିଯୋଗକାରୀଙ୍କ ଉତ୍ତର ଅନୁଯାୟୀ ସଂପୃକ୍ତ ଥାନା ଓ ଅଫିସରଙ୍କୁ ମାର୍କ ମଧ୍ୟ ପ୍ରଦାନ କରାଯାଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ, ‘ମୋ ସରକାର’ କଲ ସେଣ୍ଟର ପକ୍ଷରୁ ପ୍ରତ୍ୟେକ ଦିନ ପ୍ରାୟ ୧୦ ଜଣ ଅଭିଯୋଗକାରୀଙ୍କୁ ଫୋନ୍ କରି ପଚରା ଯାଉଥିଲା। ଏଥିରେ ‘ମୋ ସରକାର’ ସମ୍ପର୍କିତ ୫ଟି ପ୍ରଶ୍ନ ଥିବାବେଳେ ଆଉ ୫ଟି ପୁଲିସ ବିଭାଗର ବିଭିନ୍ନ ପ୍ରଶ୍ନ ଥିଲା। ଚଳିତ ମାସରେ ପାଖାପାଖି ୨୦୦ ଜଣ ଅଭିଯୋଗକାରୀଙ୍କ ସହିତ କଲ ସେଣ୍ଟର କର୍ମଚାରୀ କଥା ହୋଇଥିଲେ। ସେମାନଙ୍କ ଉତ୍ତର ଅନୁଯାୟୀ, ଥାନା ଓ ଇନ୍ସପେକ୍ଟରଙ୍କୁ ମାର୍କ ଦିଆଯାଇଛି।

ଯାହା ସୂଚନା ମିଳିଛି, ସାମଗ୍ରିକ ଭାବେ ରାଜଧାନୀର ବିଭିନ୍ନ ଥାନାର କର୍ମଚାରୀଙ୍କ ବ୍ୟବହାର ଉତ୍ତମ ରହିଛି। ତେବେ ସବୁଠାରୁ ଉତ୍ତମ ଓ ସନ୍ତୋଷ ଜନକ ରହିଛି ମହିଳା ଥାନା, ସହିଦନଗର, ଚନ୍ଦ୍ରଶେଖରପୁର, ଚନ୍ଦକା, ନୂଆପଲ୍ଲୀ ଓ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓ ଅଫିସରମାନଙ୍କର। ଏମାନେ ସମସ୍ତେ ୫ ନମ୍ବର ପାଇଛନ୍ତି। ଅନ୍ୟ ଥାନା ଇନ୍ସପେକ୍ଟର ଓ ଅଫିସରମାନଙ୍କ ଉତ୍ତର ସନ୍ତୋଷଜନକ ରହିଥିଲେ ମଧ୍ୟ ସେମାନଙ୍କୁ ୪ରୁ ୪.୫ ମାର୍କ ମିଳିଛି। ତେବେ ୩ଟି ଥାନାର ଇନ୍ସପେକ୍ଟର ଓ ଅଫିସରମାନଙ୍କ ପ୍ରତି ଅଭିଯୋଗକାରୀଙ୍କ ଉତ୍ତର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସେମାନଙ୍କୁ ୧ରୁ ୩ ମାର୍କ ମିଳିଛି। ଯେଉଁମାନଙ୍କୁ ଏତେ କମ୍ ମାର୍କ ମିଳିଛି ସେ ନେଇ ତଦନ୍ତ ଚାଲିଛି। ସ୍ଥାନୀୟ ଜୋନାଲ ଏସିପିମାନେ ଏହାର କାରଣ ଖୋଜି ବରିଷ୍ଠ ଅଧିକାରୀଙ୍କ ନିକଟରେ ନିଜ ପକ୍ଷ ରଖିବେ। ଏହାପରେ ବରିଷ୍ଠ ଅଧିକାରୀମାନେ ଏହାକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

କମିସନେରଟ ପୁଲିସକୁ ଲୋକଙ୍କ ପୁଲିସ ବୋଲି ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସମୟରେ ପରାମର୍ଶ ଦେଇ ଆସୁଛନ୍ତି। ପୁଲିସ ଡିଜି ବିଜୟ କୁମାର ଶର୍ମା ପୁଲିସ କମିସନର ଥିବାବେଳେ ପୁଲିସ-ପବ୍ଲିକ ଭାବ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରତ୍ୟେକ ଥାନା ଅଧୀନରେ ଏହା କାର୍ଯ୍ୟକାରୀ କରାଯାଇଥିଲା। ଲୋକଙ୍କ ସମସ୍ୟା, ଭଲ ମନ୍ଦ ବିଷୟରେ ପୁଲିସ ନିକଟରେ ସିଧା ସଳଖ ଅଭିଯୋଗ ବା ମତ ରଖି ପାରୁଥିଲେ। ଏହା ମଧ୍ୟରେ କମିସନରେଟ ପୁଲିସକୁ ୧୧ ବର୍ଷ ହୋଇ ଗଲାଣି। ତଥାପି ଏବେ ପୁଲିସ ଅଧିକାରୀମାନେ ପିପୁଲ ଫ୍ରେଣ୍ଡଲି ହୋଇ ପାରିନାହନ୍ତି।

ଯେଉଁ ଅଧିକାରୀମାନଙ୍କ ସମ୍ପର୍କରେ ନୈରାଶ୍ୟଜନକ ଉତ୍ତର ମିଳିଛି ସେମାନଙ୍କୁ ଖୁବ୍‌ଶୀଘ୍ର କମିସନରେଟ ପୁଲିସରୁ ବିଦା କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରକାଶ ଥାଉକି ଗତ ଅକ୍ଟୋବର ୨ ତାରିଖରେ ‘ମୋ ସରକାର’ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରୁ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe