ସମ୍ଭାବ୍ୟ ଏୟାର୍‌ଷ୍ଟ୍ରାଇକ୍‌ ମୁକାବିଲା ପାଇଁ ମକ୍‌ଡ୍ରିଲ୍‌ ପ୍ରସ୍ତୁତି: ୧୨ଷ୍ଟେସନ୍‌ରୁ ବାଜିବ ସାଇରନ୍‌

ଭାରତ-ପାକ୍‌ ଯୁଦ୍ଧ ବେଳେ ସମ୍ଭାବ୍ୟ ଏୟାର୍‌ଷ୍ଟ୍ରାଇକ୍‌ରୁ ବର୍ତ୍ତିବା ପାଇଁ ଭାରତରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତାକାଲି ମକ୍‌ ଡ୍ରିଲ୍‌ ଆୟୋଜନ କରାଯାଇଛି।

dffdvcxvc

ଭୁବନେଶ୍ବର: ଭାରତ-ପାକ୍‌ ଯୁଦ୍ଧ ବେଳେ ସମ୍ଭାବ୍ୟ ଏୟାର୍‌ଷ୍ଟ୍ରାଇକ୍‌ରୁ ବର୍ତ୍ତିବା ପାଇଁ ଭାରତରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତାକାଲି ମକ୍‌ ଡ୍ରିଲ୍‌ ଆୟୋଜନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକ୍ରମେ ବୁଧବାର ସମସ୍ତ ରାଜ୍ୟରେ ମକ୍‌ ଡ୍ରିଲ୍‌ ହେବ। ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ମକ୍‌ ଡ୍ରିଲ୍‌ କରାଯିବ। ତେଣୁ ଆଜି ଭୁବନେଶ୍ବରରେ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ, ସିଭିଲ୍‌ ଡିଫେନ୍‌ସ ଓ ସ୍ବେଚ୍ଛାସେବୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତାକାଲି ରାଜଧାନୀର ୧୨ଟି ଅଗ୍ନିଶମ ଷ୍ଟେସନ୍‌ରୁ ସାଇରନ୍‌ ବାଜିବ। ୨୦୦ ଆଗ୍ନିକ ଓ ସିଭିଲ୍‌ ଡିଫେନ୍‌ସ ମକ୍‌ ଡ୍ରିଲ୍‌ରେ ସାମିଲ ହେବେ। ସମଗ୍ର ଭୁବନେଶ୍ବରରେ ମକ୍‌ ଡ୍ରିଲ୍‌ କରାଯିବ।  ଭୁବନେଶ୍ବରର ସମସ୍ତ ଫାୟାର୍‌ ଷ୍ଟେସନ୍‌ ଏହି ଡ୍ରିଲ୍‌ରେ ଅଂଶଗ୍ରହଣ କରିବେ। ଆଜି ବରମୁଣ୍ଡାସ୍ଥିତ ଭୁବନେଶ୍ବର ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀରେ ପ୍ରସ୍ତୁତି କରାଯାଇଥିଲା। ଆଜି ଏହି ଷ୍ଟେସନ୍‌ରୁ ବିଦ୍ୟୁତ୍‌ଚାଳିତ ସାଇରନ୍‌ ବାଜିଥିଲା। ଅବଶ୍ୟ କମ୍‌ ଡେସିବେଲ୍ ଶବ୍ଦରେ ବାଜିଥିଲା। ପ୍ରକୃତ ଶବ୍ଦ ହେଲେ ଏହି ସାଇରନ୍‌ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ବୋଲି କୁହାଯାଇଛି। ଆସନ୍ତାକାଲି ୪ଟା ବେଳେ ୫ ମିନିଟ୍‌ର ସାଇରନ୍‌ ବାଜିବ।

 ଡ୍ରିଲ୍‌ରେ ଅଗ୍ନିଶମ, ସିଭିଲ୍‌ ଡିଫେନ୍‌ସ ଓ ସ୍ବେଚ୍ଛାସେବୀ

ଦୁଇଟି ପର୍ଯ୍ୟାୟରେ ସାଇରନ୍‌ ବାଜିବ। ସାଇରନ୍‌ ବାଜିବା ମାତ୍ରେ ସମସ୍ତେ ପକ୍କା ଛାତ ତଳକୁ ଚାଲିଯିବେ। ଏଥିପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରାଯାଇଛି। ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବିଭିନ୍ନ ସ୍କୁଲ୍‌ ତଥା ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ଆସନ୍ତାକାଲି ମକ୍‌ ଡ୍ରିଲ୍‌ର ମୁଖ୍ୟ କେନ୍ଦ୍ର ହେବ ରାଜମହଲ ଓ ଏଜି ଛକ। ରାଜଧାନୀର ଏକ ପ୍ରମୁଖ ବ୍ୟବସାୟସ୍ଥଳ ହୋଇଥିବାରୁ ଏଠାରେ ମକ୍‌ ଡ୍ରିଲ୍‌ କରାଯିବ। ଏହି ଅବସରରେ ଆକାଶରୁ ବୋମାବର୍ଷା ହେଲେ, କ’ଣ କରିବାକୁ ହେବ, ସେନେଇ ଲୋକଙ୍କୁ ବୁଝାଇଦିଆଯିବ।

 ସାଇରନ୍‌ ବାଜିବା ମାତ୍ରେ ଲୋକେ କିଭଳି ସୁରକ୍ଷିତ ସ୍ଥାନକୁ ପଳାଇବେ, ତାହା ପ୍ରଦର୍ଶିତ ହେବ। ସେହିଭଳି ଆହତ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ, ସେନେଇ ସିଭିଲ୍‌ ଡିଫେନ୍‌ସ ପକ୍ଷରୁ ପ୍ରଦର୍ଶନ କରାଯିବ। ଲୋକେ କିଭଳି ପକ୍କା ଛାତ ତଳେ ରହିବେ, ଭଙ୍ଗାଘରେ କିଭଳି ରହିବେ, ଖୋଲା ଜାଗାରେ ଥିଲେ, କିଭଳି ତଳେ ମୁହଁ ମାଡ଼ି ଶୋଇରହିବେ, ତାହା ପ୍ରଦର୍ଶିତ ହେବ। ଭୁବନେଶ୍ବର ଏଡିଏମ୍‌ ରୁଦ୍ର ମହାନ୍ତି କହିଛନ୍ତି ଯେ ୭ ଦିନ ଧରି ପର୍ଯ୍ୟାୟକ୍ରମେ ମକ୍‌ ଡ୍ରିଲ୍‌ ଚାଲିବ। ସାଧାରଣ ଲୋକେ ଭୟଭୀତ ହେବାର କାରଣ ନାହିଁ। ଏହା ଏକ ପ୍ରସ୍ତୁତି ମାତ୍ର। ଲୋକେ ଏଥିରୁ କିଛି ଶିକ୍ଷା ଗ୍ରହଣ କରିବେ। ତେଣୁ ମକ୍‌ ଡ୍ରିଲ୍‌କୁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe