ରବୀନ୍ଦ୍ରମଣ୍ଡପ ଓ ଜୟଦେବଭବନ ସାମ୍ନାରେ ହୋର୍ଡିଂ ପାଇଁ ଟଙ୍କା ଆଦାୟ ପ୍ରସଙ୍ଗ: ସାଂସ୍କୃତିକ ଜଗତର ଘୋର୍‌ ବିରୋଧ

Advertisment

ନଗର ଉନ୍ନୟନ ବିଭ‌ାଗକୁ ଫେରାଦ ପାଇଁ ସଜବାଜ

ନଗର ଉନ୍ନୟନ ବିଭ‌ାଗକୁ ଫେରାଦ ପାଇଁ ସଜବାଜ

ରବୀନ୍ଦ୍ରମଣ୍ଡପ ଓ ଜୟଦେବଭବନ ସାମ୍ନାରେ ହୋର୍ଡିଂ ପାଇଁ ଟଙ୍କା ଆଦାୟ ପ୍ରସଙ୍ଗ: ସାଂସ୍କୃତିକ ଜଗତର ଘୋର୍‌ ବିରୋଧ

you tube and cityseeker

ଭୁବନେଶ୍ବର: ଅର୍ଥ ନ ଦେଲେ, ସହରର ଦୁଇ ପ୍ରମୁଖ ପ୍ରେକ୍ଷାଳୟ ରବୀନ୍ଦ୍ରମଣ୍ଡପ ଓ ଜୟଦେବ ଭବନ ସାମ୍ନାରେ ହୋର୍ଡିଂ ଲାଗିପାରିବ ନାହିଁ ବୋଲି ବିଏମ୍‌ସିର ନିଷ୍ପତ୍ତିକୁ ବିଭିନ୍ନ ସାଂସ୍କୃତିକ ଓ ସାରସ୍ବତ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଘୋର୍‌ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି ଆୟୋଜକ ଓ ସଂସ୍କୃତିପ୍ରେମୀଙ୍କୁ ନିରାଶ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଏହା ବିରୋଧରେ ସେମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ‌ସହ ନଗରଉନ୍ନୟନ ବିଭାଗକୁ ଫେରାଦ ହେବେ ବୋଲି ସଜବାଜ ହେଉଥିବା ଜଣାଯାଇଛି।

‘ଓଡ଼ିଶା ନାଟ୍ୟସଂଘ’ର ମୁଖ୍ୟ ଉପଦେଷ୍ଟା ଧୀରେନ୍ଦ୍ର ମଲ୍ଲିକ କହିଛନ୍ତି, କଳା ଓ ସଂସ୍କୃତି ସବୁବେଳେ ଅନୁଦାନରେ ଚାଲେ। ବିଏମ୍‌ସି ଅନୁଦାନ ଦେବା, ପ୍ରେକ୍ଷାଳୟ ନିର୍ମାଣ କରି କମ୍‌ ଭଡ଼ାରେ ମଣ୍ଡପ ଯୋଗାଇଦେବା ବଦଳରେ ହୋର୍ଡିଂ ପାଇଁ ଟଙ୍କା ଆଦାୟ କଲେ କେମିତି ହେବ? କୋଲକାତା ଭଳି ବିଭିନ୍ନ ବଡ଼ ବଡ଼ ସହରରେ ସେମାନଙ୍କ ମହାନଗର ନିଗମ ପ୍ରେକ୍ଷାଳୟ ନିର୍ମାଣ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଥିବା‌ ବେଳେ ଏଠାରେ ବିଏମ୍‌ସିର ମାରଣନୀତି ଆଶ୍ଚର୍ଯ୍ୟଜନକ। ଏନେଇ ଓଡ଼ିଶା ନାଟ୍ୟସଂଘ ପକ୍ଷରୁ ଖୁବ୍‌ଶୀଘ୍ର ବିଏମ୍‌ସି ମେୟରଙ୍କୁ ଚିଠି ଲେଖାଯିବା ସହ ସାକ୍ଷାତକାର କରିବାର ଯୋଜନା ରହିଛି।

ସଂଭାବନାର ସମ୍ପାଦକ ଦେବପ୍ରସାଦ ପରିଜା କହିଛନ୍ତି, ସଂସ୍କୃତିକୁ ରକ୍ଷା ଓ ଆଗାମୀ ପିଢ଼ି ମଧ୍ୟରେ ପ୍ରଚାରପ୍ରସାର ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏ ଦିଗରେ ବିଏମ୍‌ସିର ସହଭାଗିତା ରହିବା ଜରୁରି। କିନ୍ତୁ ସହଯୋଗ କରିବା ବଦଳରେ ବିଏମ୍‌ସି ଓଲଟା ହୋର୍ଡିଂ ପାଇଁ ଟଙ୍କା ଆଦାୟ କରିବ ବୋଲି ଯୋଜନା କରିଛି। ଗୋଟେ ଫୁଟ୍‌ର ହୋର୍ଡିଂ ଗୋଟିଏ ଦିନ ଲଗାଇବା ପାଇଁ ୧ ହଜାର ଟଙ୍କା ବିଏମ୍‌ସିକୁ ଦେୟ ଦେବାକୁ ପଡ଼ିବ। ସାଧାରଣତଃ କାର୍ଯ୍ୟକ୍ରମଟିଏ କଲେ ୪/୫ ଫୁଟର ହୋର୍ଡିଂଟିଏ ୫/୭ ଦିନ ଲା‌ଗେ। ଯଦି କେବଳ ଲୋକ ଜାଣିବା ପାଇଁ ଲଗାଯାଉଥିବା ହୋର୍ଡିଂ ପିଛା ଆୟୋଜକମାନେ ୩୦/୩୫ ହଜାର ଟଙ୍କା ବିଏମ୍‌ସିକୁ ଗଣିବେ, ତେବେ କାର୍ଯ୍ୟକ୍ରମ କିଭଳି କରିବେ। ଏନେଇ ବିଏମ୍‌ସିରେ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ଶୁଣୁନାହାନ୍ତି। ଏବେ ଆମେ ନଗର ଉନ୍ନୟନ ସଚିବଙ୍କୁ ଏନେଇ ଅବଗତ କରାଇବୁ ଓ ରାଜ୍ୟର ସାଂସ୍କୃତିକ ଆନ୍ଦୋଳନରେ ବିଏମ୍‌ସିର ଏହି ବାଟଓଗଳା ନୀତିକୁ ନେଇ ପ୍ରତିବାଦ କରିବୁ ବୋଲି ସେ କହିଛନ୍ତି।

ସାରସ୍ବତ ଅନୁଷ୍ଠାନ ଇଟିକିଲି ମିଟିକିଲିର ସମ୍ପାଦକ ଶରତ ନାୟକ କହିଛନ୍ତି, ସରକାରଙ୍କ ବ୍ୟାବସାୟିକ ମନୋବୃତ୍ତି ଧୀରେଧୀରେ ବଢ଼ିବାରେ ଲାଗିଛି। ସଂସ୍କୃତି ଓ ସାରସ୍ବତ ଜଗତ ଉପରେ ପ୍ରହାର କରି ଟଙ୍କା ଆଦାୟ ଓ ଏଥିରେ ରାଜକୋଷ ଭର୍ତ୍ତି କରି ସରକାର କି’ ପ୍ରକାର ବିକାଶ କରିବାକୁ ଚାହୁଛନ୍ତି? ସରକାର ଏବେ ଜନସାଧାରଣଙ୍କ କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ଯାହା ଚାହୁଛନ୍ତି, କରୁଛନ୍ତି। କିନ୍ତୁ ଆମ ପକ୍ଷରୁ ଏହାକୁ ନେଇ ପ୍ରତିବାଦ ଜାରି ରହିବ।

ଦେବଦାସୀ ନୃତ୍ୟ ମନ୍ଦିରର ସମ୍ପାଦକ ଜଗବନ୍ଧୁ ଜେନା କହିଛନ୍ତି, ସର୍ବଭାରତୀୟସ୍ତରରେ ସଂସ୍କୃତିର ଏକ ଜଣାଶୁଣା କେନ୍ଦ୍ର ହେଉଛି ଭୁବନେଶ୍ବର। ଆନେକ ସମୟରେ ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତୀୟ ନୃତ୍ୟ କାର୍ଯ୍ୟକ୍ରମ ହୁଏ। ହୋର୍ଡିଂ ଲାଗିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକେ ଜାଣନ୍ତି। ତେବେ କୌଣସି ବ୍ୟାବସାୟିକ ଅନୁଷ୍ଠାନ ବା ଟିକେଟ୍‌ କାର୍ଯ୍ୟକ୍ରମର ହୋର୍ଡିଂ ପାଇଁ ବିଏମ୍‌ସି ଟଙ୍କା ଆଦାୟ କରୁ। କିନ୍ତୁ ଆମେ ଯେଉଁମାନେ କଳା ଓ କଳାକାରର ପ୍ରୋତ୍ସାହନ ପାଇଁ ମାଗି ଯାଚି କାର୍ଯ୍ୟକ୍ରମ କରୁଛୁ, ତାଙ୍କଠାରୁ ଟଙ୍କା ଆଦାୟ କଲେ କେମିତି ହେବ। ବିଏମ୍‌ସି ଆୟୋଜକ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପ୍ରକାର ଭେଦ କରି ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରି ଟଙ୍କା ଆଦାୟ କଲେ ତାହା ନ୍ୟାୟ ଓ ଯୁକ୍ତିସଙ୍ଗତ ହେବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe