ରେସ୍ତୋରାଁ ନାଁରେ ଲୋଭନୀୟ ଅଫର୍ ଦେଇ ଟଙ୍କା ହଡ଼ପ ଘଟଣା, ଏବେ ବି ଚାଲିଛି ଠକେଇ

ପୁଲିସ ଜଳକା, ହାତ ଟେକି ଦେଇଛି ସାଇବର ସେଲ୍‌, ଥାନାରେ ଅଭିଯୋଗକୁ ବିତିଲାଣି ୧୫ ଦିନ

ରେସ୍ତୋରାଁ ନାଁରେ ଲୋଭନୀୟ ଅଫର୍ ଦେଇ ଟଙ୍କା ହଡ଼ପ ଘଟଣା, ଏବେ ବି ଚାଲିଛି ଠକେଇ

www.tripadvisor.in

ଭୁବନେଶ୍ବର: ରାଜଧାନୀ ୟୁନିଟ୍-୩ ଅଞ୍ଚଳରେ ଥିବା ଜଣାଶୁଣା ରେସ୍ତୋରାଁ ନାଁରେ ଫେସ୍‌ବୁକରେ ଲୋଭନୀୟ ଅଫର ଦେଇ ସାଇବର ଠକ ଏବେ ବି ଲୁଟି ଚାଲିଛି। ରେସ୍ତୋରାଁ ନାଁରେ ଦିଆ ଯାଇଥିବା ଜାଲ୍ ବିଜ୍ଞାପନରେ ଉଲ୍ଲେଖ ଥିବା ମୋବାଇଲ ନମ୍ବରଟି ଏବେ ବି ସକ୍ରିୟ ରହିଛି। ଗୋଟିଏ ପ୍ଲେଟ କିଣିଲେ ଦୁଇ ପ୍ଲେଟ୍ ମାଗଣା ଅଫର୍ ଦେଖି ଲୋକ ଯୋଗାଯୋଗ କରିବା ପରେ ଠକ ସେମାନଙ୍କଠାରୁ ଟଙ୍କା ଠକି ଚାଲିଛି। ଏଭଳି ଏକାଧିକ ଅଭିଯୋଗ ପହଞ୍ଚିବାରେ ଲାଗିଛି। ରେସ୍ତୋରାଁ କର୍ତ୍ତୃପକ୍ଷ ଅଭିଯୋଗ କରିବା ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ଫେସ୍‌ବୁକର ସେହି ଜାଲ ବିଜ୍ଞାପନକୁ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରଯାଇ ନାହିଁ। ସାଇବର ଠକ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଚାଲିଥିଲେ ମଧ୍ୟ କମିସନରେଟ ପୁଲିସ କେବଳ ଦେଖଣାହାରି ସାଜିଛି। ଖାରବେଳନଗର ଥାନା ପୁଲିସ ଗୋଟିଏ ଷ୍ଟେସନ ଡାଏରି କରି ହାତ ବାନ୍ଧି ବସିଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍ ସମୟରେ ମଦ ଗ୍ରାହକଙ୍କୁ ସାଇବର ଠକମାନେ ଲୁଟିଥିବା ଅଛପା ନାହିଁ। ଫେସ୍‌ବୁକରେ ବିଭିନ୍ନ ମଦ ଦୋକାନ ନାଁରେ ଜାଲ୍ ଆଇଡି ତିଆରି କରି ଲୋକଙ୍କୁ ଠକେଇ କରିଥିଲେ। ସେତେବେଳେ ଖୋର୍ଦ୍ଧା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରା ଯାଇଥିଲା। କିନ୍ତୁ ପୁଲିସ କିମ୍ବା ସାଇବର ସେଲ୍ ପକ୍ଷରୁ ସେହି ଅପରାଧୀଙ୍କୁ ଧରିବା ସମ୍ଭବ ହୋଇନଥିଲା। ସେହିଭଳି ବରିଷ୍ଠ ପୁଲିସ ଅଧିକାରୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଓ ଜାଲ୍ ଆକାଉଣ୍ଟ ତିଆରି କରିଥିବା ସାଇବର ଠକଙ୍କୁ ବି ପୁଲିସ ଗିରଫ କରିପା‌ରିନାହିଁ। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ସାଇବର ପୁଲିସ ଫେସବୁକକୁ ଏ ସମ୍ପର୍କରେ ଚିଠି ଲେଖିଲେ ସେମାନେ ବନ୍ଦ କରିପାରିବେ। କିନ୍ତୁ ପୁଲିସ ପକ୍ଷରୁ ଉଦ୍ୟମ କରା ଯାଉ ନ ଥିବାରୁ ଏଭଳି ଠକେଇ ବଢିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe