ଭୁବନେଶ୍ବର : ମାତ୍ର ୩୦ଟଙ୍କା ପାଇଁ ଜଣେ ଦୋକାନୀ ଗୁରୁବାର ଦିନ ୨୫ ହଜାର ଟଙ୍କା ହରାଇଛନ୍ତି। ଦୁର୍ବୃତ୍ତମାନେ ରାଜଧାନୀର ଏକ ଔଷଧ ଦୋକାନରୁ ଏପରି ଅଭିନବ ଉପାୟରେ ଲୁଟ୍ କରିଛନ୍ତି। ରବି ଟକିଜ୍ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ୧୫ରେ ରବି ଟକିଜ୍ ଛକରେ ଥିବା କୌଶଲ୍ୟା ମେଡିସିନ୍ ଷ୍ଟୋର୍କୁ ଜଣେ ଯୁବକ ଔଷଧ କିଣିବାକୁ ଆସିଥିଲେ। ଦୋକାନୀଙ୍କୁ ପ୍ରେସକିପସନ୍ ଦେଖାଇ ଔଷଧ ମାଗିଥିଲେ। ଔଷଧ ବାବଦକୁ ଦୋକାନୀ ତାଙ୍କୁ ୫୦ ଟଙ୍କା ମାଗିଥିଲେ। କିନ୍ତୁ ଯୁବକଜଣଙ୍କ ୨୦ ଟଙ୍କା ଧରାଇ ଦେଇ ସେଠାରୁ ଦୌଡ଼ି ପଳାଇଥିଲା। ଏହା ଦେଖି ଦୋକାନୀ ତା’ ପଛେପଛେ ଗୋଡ଼ାଇଥିଲେ। ସେତେବେଳକୁ ଅନ୍ୟ କର୍ମଚାରୀମାନେ ଦୋକାନକୁ ଆସି ନଥିଲେ। ତେଣୁ ଦୋକାନ ଠିଆ ମେଲା ହୋଇଥିଲା। ଏହି ସୁଯୋଗରେ ସେଠାରେ ଲୁଚି ରହିଥିବା ଅନ୍ୟ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ୍ ଡ୍ର’ରୁ ୨୫ହଜାର ଟଙ୍କା ଲୁଟି ନେଇଥିଲା। ଏ ସଂପର୍କରେ ଦୋକାନ ମାଲିକ ମନୋଜ କୁମାର ସ୍ବାଇଁ ବଡ଼ଗଡ଼ ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସି କ୍ୟାମେରା ଫୁଟେଜ୍ ଆଧାରରେ ଲୁଟେରାଦ୍ବୟଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।
Follow Us