Collegedunia
ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପକ୍ଷରୁ ‘ସାମ୍ପ୍ରତିକ ପରିପ୍ରେକ୍ଷୀରେ ପୂର୍ବ ଭାରତର ଜୈନ କଳା ଓ ସ୍ଥାପତ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଆଲୋଚନାଚକ୍ରକୁ ଆସିଥିବା ଭାରତର ବିଶିଷ୍ଟ ଗବେଷକମାନେ ଜୈନ କଳା ଓ ସ୍ଥାପତ୍ୟ ସମ୍ପର୍କରେ ଅଧିକ ଉଚ୍ଚତର ଗବେଷଣା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପ୍ରଫେସର ଡି. ଦୟାଲନ୍ ଓଡ଼ିଶା ପୃଷ୍ଠପୋଷକତାରେ ବହୁ ପ୍ରାଚୀନ କାଳରୁ ଜୈନ କଳା ଓ ସ୍ଥାପତ୍ୟ ପାଇଁ ବିକାଶଧାରା ଆରମ୍ଭ ହୋଇଥିଲା ବୋଲି କହିଥିଲେ। ଆଲୋଚନାଚକ୍ରରେ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ଭିଲାଇସ୍ଥିତ ଶଙ୍କରାଚାର୍ଯ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏଲ୍ଏସ୍ ନିଗମ ଓଡ଼ିଶାର ସମୃଦ୍ଧ ଜୈନକଳା ଓ ସ୍ଥାପତ୍ୟର ମହତ୍ବ ସମ୍ପକର୍ରେ ଆଲୋଚନା କରିଥଲେ। ସେ ଖଣ୍ଡଗିରି, ଉଦୟଗିରି ତଥା ଅନ୍ୟାନ୍ୟ ଜୈନ କୀର୍ତ୍ତୀରାଜି ସମ୍ପର୍କର ସୂଚନା ଦେଇଥିଲେ।
ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶରେ ଜୈନ ଧର୍ମର ଅବଦାନ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ। ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଥିବା ଜୈନ କୀର୍ତ୍ତିରାଜି ସମ୍ପର୍କରେ ଏକ ପ୍ରାମାଣିକ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଜୈନ ଚେୟାରର ସଂଯୋଜିକା ଡ. ସୁଚିତ୍ରା ଦାସ ଉପସ୍ଥିତ ଥିଲେ। ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଡ. ଧୀରଜ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଓଡ଼ିଶା ବାହାରୁ ଆସିଥିବା ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
Follow Us