ନୋ ପାର୍କିଂ ଜୋନ୍‌ରେ ମାଳମାଳ ଗାଡ଼ି: ପୁଲିସ ହୋର୍ଡିଂକୁ ଫୁ’

ନୋ ପାର୍କିଂ ଜୋନ୍‌ରେ ମାଳମାଳ ଗାଡ଼ି: ପୁଲିସ ହୋର୍ଡିଂକୁ ଫୁ’

ଚନ୍ଦ୍ରଶେଖରପୁର: କମିସନରେଟ୍‌ ପୁଲିସ ନୋ ପାର୍କିଂ ଜୋନ୍‌ ବୋଲି ହୋର୍ଡିଂ ମାରିଛି। ଗାଡ଼ି ରଖିଲେ ୧୨ ଶହ ଟଙ୍କା ଜରିମାନା ବୋଲି ମଧ୍ୟ ହୋର୍ଡିଂରେ ଲେଖାଯାଇଛି। କିନ୍ତୁ ପୁଲିସର ଏହି କଟକଣାକୁ ଫୁ’ କରିଦେଉଛନ୍ତି ଗାଡ଼ିଚାଳକମାନେ। ମାଳମାଳ ଗାଡ଼ି ବେଆଇନ ଭାବେ ରାସ୍ତା ଅବରୋଧ କରି ପାର୍କିଂ ହେଉଛି। ଆଚାର୍ଯ୍ୟବିହାର-ନାଲ୍‌କୋ ଛକ ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ଆପୋଲୋ ହସ୍ପିଟାଲ୍‌ ସାମ୍ନା ରାସ୍ତା କଡ଼ରେ ଏଭଳି ବେଆଇନ ଗାଡ଼ି ପାର୍କିଂକୁ ନେଇ ଅଭିଯୋଗ ହୋଇଆସୁଛି। ପୁଲିସ ହୋର୍ଡିଂ ଲଗାଇ ଚୁପ ବସିଥିବାରୁ ଗାଡ଼ିଚାଳକମାନେ ଏହି ମଉକା ପାଉଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଆଇଏମ୍‌ଏମ୍‌ଟି ଛକରୁ ସୈନିକ ସ୍କୁଲ ଗେଟ୍ ପାଖ ପର୍ଯ୍ୟନ୍ତ ରାସ୍ତା ସବୁବେଳେ ଜାମ୍ ରହୁଛି। ବିଶେଷକରି ଆପୋଲୋ ହସ୍ପିଟାଲ୍‌ ସାମ୍ନା ରାସ୍ତା କଡ଼ରେ ବେଆଇନ ଭାବେ ଗାଡ଼ି ପାର୍କିଂ ହେଉଥିବାରୁ ଏହି ଜାମ୍ ହେଉଥିବା ଅଭିଯୋଗ ହେଉଛି। ଏନେଇ କିଛି ଦିନ ପୂର୍ବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେଣୁ କମିସନରେଟ୍ ପୁଲିସ ପକ୍ଷରୁ ଉକ୍ତ ରାସ୍ତା କଡ଼ରେ ହୋର୍ଡ଼ିଂ ଲଗାଯାଇଥିଲା। ରାସ୍ତା କଡ଼ରେ ବେଆଇନ ଭାବେ ଗାଡ଼ି ପାର୍କିଂ କଲେ ଜରିମାନା ବାବଦରେ ୧୨ଶହ ଟଙ୍କା ଗଣିବାକୁ ପଡ଼ିବ ବୋଲି ହୋର୍ଡ଼ିଂରେ ଲେଖାଗଲା। କିନ୍ତୁ ଏବେ ପୂର୍ବାବସ୍ଥା ବଜାୟ ରହିଛି। ଗାଡ଼ି ଚାଳକମାନେ ବେଆଇନ ଭାବେ ରାସ୍ତା କଡ଼ରେ ଗାଡ଼ି ରଖି ରାସ୍ତା ଜାମ୍‌ କରୁଛନ୍ତି। ହସ୍ପିଟାଲ ଭିତରେ ପାର୍କିଂ ବ୍ୟବସ୍ଥା ଥିଲେ ମଧ୍ୟ ଗାଡ଼ି ଚାଳକମାନେ ପାର୍କିଂ ଫି’ ଏଡ଼ାଇବାକୁ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି। ପୁଲିସ ହୋର୍ଡ଼ିଂ ମାରିଲା ସିନା କେହି ଜଗିବାକୁ ନଥିବାରୁ ବା ଜରିମାନା କାଟିବାକୁ କେହି ନଥିବା ମଉକାରେ ଗାଡ଼ିଚାଳକମାନେ ଏହି ବେଆଇନ କାମ କରୁଛନ୍ତି। ସ୍ଥାନୀୟ ଲୋକ ତଥା ନିତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ କହିବା କଥା ପୁଲିସ ବା ବିଏମ୍‌ସି ଏମିତି ଲୋକଦେଖାଣିଆ ପଦକ୍ଷେପ ନେଲେ, ଏମିତି ସ୍ଥିତି ହିଁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe