ଫିଲ୍ମ ଷ୍ଟାଇଲ୍‌ରେ ମା’ ଛୁଆଙ୍କୁ ଅପହରଣ, ସ୍ବାମୀର ଦୁର୍ଘଟଣା କଥା କହି କାର୍‌ରେ ନେଇଗଲା

ବ୍ଲାକ୍‌ମେଲ୍‌ କରୁଛି ଦୁର୍ବୃତ୍ତ

ଫିଲ୍ମ ଷ୍ଟାଇଲ୍‌ରେ ମା’ ଛୁଆଙ୍କୁ ଅପହରଣ, ସ୍ବାମୀର ଦୁର୍ଘଟଣା କଥା କହି କାର୍‌ରେ ନେଇଗଲା

Update Odisha-Odisha News I Latest News

ଚନ୍ଦ୍ରଶେଖରପୁର: ‘ଆରେ ସବିନା, ୟାସିନ୍‌ର ଦୁର୍ଘଟଣା ହେଇଛି। ସେ ହସ୍ପିଟାଲରେ ପଡ଼ିଛି। ଶୀଘ୍ର ମୋ ସହ ଚାଲ୍‌। ଦରକାର ପଡ଼ିଲେ, କଟକ ବଡ଼ ମେଡିକାଲକୁ ନେବାକୁ ପଡ଼ିବ। ପଇସା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ। ସବୁ ଯୋଗାଡ଼ ହୋଇଯିବ। ଛୁଆକୁ ଧରି ଶୀଘ୍ର ବାହାରିପଡ଼।’ ଅଚାନକ ଏମିତି ଖବର ପାଇ ବିଶ୍ବାସ କରିଗଲା ୟାସିନ୍‌ର ସ୍ତ୍ରୀ ସବିନା। ବଡ଼ ଭଉଣୀର ପରିଚିତ ହୋଇଥିବାରୁ ଦୁର୍ଘଟଣା ଖବର ଆଣିଥିବା ପ୍ରକାଶକୁ ଅବିଶ୍ବାସ କରିପାରିଲାନି ସବିନା। ତରବର ହୋଇ ୩ ବର୍ଷର ପୁଅକୁ ଧରି ସେ ବାହ‌ାରି ପଡ଼ିଲା ପ୍ରକାଶ ସହ। ମାତ୍ର ପ୍ରକାଶ ତାକୁ ହସ୍ପିଟାଲ ନେବ କ’ଣ, କୌଣସି ଏକ ଅଜଣା ସ୍ଥାନ‌କୁ ନେଇ ବନ୍ଦୀ କରି ରଖିଲା। ଏବେ ଅପହରଣକାରୀ ପ୍ରକାଶ ଅପହୃତା ସବିନାର ସ୍ବାମୀ ୟାସିନ୍‌କୁ ଫୋନ୍‌ କରି ବ୍ଲାକ୍‌ମେଲ କରୁଛି। ଟଙ୍କା ନଦେଲେ ସ୍ତ୍ରୀ ଓ ପୁଅକୁ ମାରିଦେବ ବୋଲି ଧମକ ଦେଇଛି। ଫିଲ୍ମ ଷ୍ଟାଇଲ୍‌ରେ ମା’ ଛୁଆଙ୍କୁ ହୋଇଥିବା ଏଭଳି ଏକ ଅପହରଣ ମାମଲା ଏବେ ଇନ୍‌ଫୋସିଟି ଥାନା ପୁଲିସ ପାଇଁ ମୁଣ୍ତବିନ୍ଧାର କାରଣ ହୋଇଛି। ପୁଲିସ ଅପହର୍ତ୍ତା ପ୍ରକାଶର ଫୋନ୍‌ ଟ୍ରାକ୍‌ କରିଥିଲେ ହେଁ ତାକୁ ଠାବ କରିବା ସମ୍ଭବ ହୋଇନାହିଁ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅପହରଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନାନୁସାରେ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା ଅଭିଯୁକ୍ତ ପ୍ରକାଶ ମଲ୍ଲିକ ଜଣେ ପେସାଦାର ଅପରାଧୀ। ନିକଟରେ ସେ ଏକ ମାମଲାରେ ଜେଲ୍‌ ଯାଇଥିଲା ଓ ଜାମିନ୍‌ରେ ଆସିଥିଲା। ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ରହୁଥିବା ୟାସିନ୍‌ ସହ ତା’ର ଗଣ୍ଡଗୋଳ ହୋଇଥିଲା। ୟାସିନ୍‌ର ସ୍ତ୍ରୀ ସବିନାର ବଡ଼ଭଉଣୀ ସହ ପ୍ରକାଶର ବନ୍ଧୁତା ଓ ପରେ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ପ୍ରକାଶ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗତକାଲି ମଧ୍ୟାହ୍ନରେ ପ୍ରକାଶ ଏକ କାର୍‌ ଧରି ହଠାତ୍ ୟାସିନ୍ ଘରେ ପହଞ୍ଚିଥିଲା। ୟାସିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ମେଡିକାଲରେ ପଡ଼ିଛି ବୋଲି ସେ ସବିନାକୁ କହିଥିଲା। ସ୍ବାମୀର ଦୁର୍ଘଟଣା କଥା ଶୁଣିବା ପରେ ବିଚାରି ସବିନା ହଡ଼ବଡ଼େଇ ଯାଇଥିଲା। ପ୍ରକାଶ ସହ ୟାସିନ୍‌ର ଗଣ୍ଡ‌ଗୋଳ ହୋଇଥିବା ଜାଣିଥିଲେ ବି ଦୁର୍ଘଟଣା ଖବରରେ ବିଚଳିତ ସବିନା ତାକୁ ବିଶ୍ବାସ କରିନେଇଥିଲା ଓ ପୁଅ ଅର୍ମାନକୁ ଧରି କାର୍‌ରେ ବସିଯାଇଥିଲା।

ଇନ୍‌ଫୋସିଟି ଥାନାରେ ୟାସିନ୍‌ କରିଥିବା ଅଭିଯୋଗ ଅନୁସାରେ ପ୍ରକାଶ ତାକୁ ଫୋନ୍‌ କରି ଟଙ୍କା ମାଗୁଛି। ଏମିତିକି ଫୋନ୍‌ ଯୋଗେ ସେ ତା ସ୍ତ୍ରୀ ସବିନା ସହ ବି କଥା କରାଇଛି। ସବିନା ବିକଳ ହୋଇ ତାକୁ ଓ ପୁଅ ଅର୍ମାନକୁ ବଞ୍ଚାଇବାକୁ ସ୍ବାମୀ ୟାସିନ୍‌କୁ ଅନୁରୋଧ କରିଛି। ତେବେ ପ୍ରକାଶ ସେମାନଙ୍କୁ କୋଉଠି ରଖିଛି, ସେନେଇ ସବିନା କିଛି କହିପାରିନାହିଁ। ଇନ୍‌ଫୋସିଟି ଥାନା ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଛି। ଖୁବ୍‌ ଶୀଘ୍ର ପ୍ରକାଶକୁ ଗିରଫ କରାଯିବା ସହ ସବିନା ଓ ପୁଅ ଅର୍ମାନ୍‌କୁ ଉଦ୍ଧାର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe