ଆସୁଛନ୍ତି ମା’, ପାର୍ଶ୍ବ ଦେବଦେବୀ ପିନ୍ଧିବେ ସ୍ବର୍ଣ୍ଣାଳଙ୍କାର

ସହିଦନଗର ଦୁର୍ଗାପୂଜା ସମିତି: ଫେରିବ ରାବଣପୋଡ଼ି

ଆସୁଛନ୍ତି ମା’, ପାର୍ଶ୍ବ ଦେବଦେବୀ ପିନ୍ଧିବେ ସ୍ବର୍ଣ୍ଣାଳଙ୍କାର

ଭୁବନେଶ୍ବର: ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ସହିଦନଗର ଦୁର୍ଗାପୂଜା ଚଳିତ ବର୍ଷ ୪୫ବର୍ଷରେ ପଦାର୍ପଣ କରିବ। ଚାନ୍ଦିମେଢ଼ ଓ ମା’ଙ୍କ ସୁନା ମୁକୁଟ ପାଇଁ ପ୍ରସିଦ୍ଧ ଏହି ମଣ୍ଡପରେ ଚଳିତ ବର୍ଷ ପାର୍ଶ୍ବ ଦେବଦେବୀଙ୍କ ପାଇଁ ମଧ୍ୟ ସ୍ବର୍ଣ୍ଣ ଅଳଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ୫ ଦିନ କାଳ ମା’ ମଣ୍ଡପରେ ପୂଜା ପାଇବେ ଓ ସବୁଦିନ ରାତିରେ ଭଜନ ସମାରୋହ ଅନୁଷ୍ଠିତ ହେବ। ଗତ କିଛି ବର୍ଷ ହେଲା ବନ୍ଦ ହୋଇଯାଇଥିବା ପ୍ରସିଦ୍ଧ ରାବଣପୋଡ଼ି ପୁଣି ଏବର୍ଷ ହେବ ବୋଲି ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ସୂଚନା ମିଳିଛି।

ବିଧି ଅନୁସାରେ ଏଠାରେ ପଞ୍ଚମୀ ତିଥିରୁ ପୂଜା ଆରମ୍ଭ ହେବ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ଜନ୍ମାଷ୍ଟମୀରୁ ମାଟି ଅନୁକୂଳ ହୋଇସାରିଛି। ମହାଷ୍ଟମୀ ପୂଜା ଦିନ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯିବ। ପ୍ରତିଦିନ ମା’ଙ୍କୁ ପାରମ୍ପରିକ ଦେଶୀ ପିଠା ଭୋଗଲାଗି କରାଯିବ। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପରେ ଏଥର ମଧ୍ୟ ଏକ ଆକର୍ଷଣୀୟ ତୋରଣ କରାଯିବ। କୋଲକାତାର ପ୍ରସିଦ୍ଧ କାରିଗରମାନେ ଏହି ତୋରଣ ନିର୍ମାଣ କରିବେ। ରାବଣପୋଡ଼ି ପାଇଁ କମିଟି ପକ୍ଷରୁ ପୁଲିସ ପ୍ରଶାସନକୁ ଅନୁମତି ମଗାଯାଇଛି। ଅନୁମତି ମିଳିଲେ, ରାବଣପୋଡ଼ି ଉତ୍ସବ ମହାଆଡ଼ମ୍ବରରେ କରାଯିବ।

ମହିଳା ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

publive-image

ସହିଦନଗର ଦୁର୍ଗାପୂଜା ମଣ୍ଡପ ଜନପଥରେ ହେଉଥିବାରୁ ଜନଗହଳି ବୃଦ୍ଧି ହୋଇଥାଏ। ଫଳରେ ରାସ୍ତା ଜାମ୍‌ ସମସ୍ୟା ବଡ଼ ସଙ୍ଗିନ୍‌ ହୋଇଥାଏ। ତେଣୁ ଏହି ଗହଳିକୁ ନିୟନ୍ତ୍ରଣ କରିବା ନେଇ ମଣ୍ଡପ କମିଟି ଓ କମିସନରେଟ୍‌ ପୁଲିସ ମଧ୍ୟରେ ଏକ ଆଲୋଚନା କରାଯିବ। ମଣ୍ଡପରେ ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।
-ସଚ୍ଚିନନ୍ଦନ ନାୟକ, ସଂପାଦକ

ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ

publive-image

କରୋନା କଟକଣା ପାଇଁ ୨ ବର୍ଷ ହେଲା ଭକ୍ତମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେଣୁ ଏବର୍ଷ ବ୍ୟାକୁଳ ଭକ୍ତମାନେ ଭିଡ଼ କରିବେ। ତେଣୁ କମିଟି ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେବ। କୌଣସି ଶ୍ରଦ୍ଧାଳୁ ଯେମିତି ଭିଡ଼ ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ନହେବେ, ସେଥିପାଇଁ ସ୍ବତନ୍ତ୍ର ନଜର ରହିବ।
-ଚନ୍ଦନ କୁମାର ପାଲିତ୍‌, ଉପସଭାପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe