ରାଜଧାନୀରେ ରାଜମହେନ୍ଦ୍ରୀ ଗଛ, ରାସ୍ତାପାର୍ଶ୍ବରେ ୧୫ ଫୁଟ୍‌ ଉଚ୍ଚତାର ଗଛ

Advertisment

ଚାରା ବାଣ୍ଟିବାକୁ ସହରରେ ୭ଟି ‌ଷ୍ଟଲ, ସହରରେ ବୁଲୁଛି ୪ଟି ମୋବାଇଲ୍‌ ଭ୍ୟାନ୍‌

ଚାରା ବାଣ୍ଟିବାକୁ ସହରରେ ୭ଟି ‌ଷ୍ଟଲ, ସହରରେ ବୁଲୁଛି ୪ଟି ମୋବାଇଲ୍‌ ଭ୍ୟାନ୍‌

ରାଜଧାନୀରେ ରାଜମହେନ୍ଦ୍ରୀ ଗଛ, ରାସ୍ତାପାର୍ଶ୍ବରେ ୧୫ ଫୁଟ୍‌ ଉଚ୍ଚତାର ଗଛ

ଭୁବନେଶ୍ବର: ଆଉ ଗାଈଗୋରୁ ନଷ୍ଟ କରିପାରିବେନି ଗଛ। ଭୁବନେଶ୍ବରର ସବୁଜିମାକୁ ଫେରାଇ ଆଣିବା ଲାଗି ରାସ୍ତା ପାର୍ଶ୍ବରେ ପୋତାଯାଉଛି ୧୨ରୁ ୧୫ ଫୁଟ ଉଚ୍ଚତାର ଗଛ। ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି), ବନ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ ମିଳିତ ଉଦ୍ୟମ‌ରେ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟା ‘ଫନି’ ପ୍ରଭାବରେ ଯେଉଁ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି, ରାସ୍ତାପାର୍ଶ୍ବରେ ଯେଉଁଠି ଖୋଲା ସ୍ଥାନ ରହିଛି ସେଠାରେ ଏଭଳି ବଡ଼ ବଡ଼ ବୃକ୍ଷରୋପଣ ଚାଲିଛି।

ବନ ମହୋତ୍ସବ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ପ୍ରାୟ ୧୨ ହଜାର ବୃକ୍ଷରୋପଣ ହୋଇସାରିଲାଣି। ବିଭିନ୍ନ ସଙ୍ଗଠନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିସହ ଓଏଫ୍‌ଡିସି ପକ୍ଷରୁ ସ୍ବତନ୍ତ୍ର ଭାବେ ସହରର ରାସ୍ତାପାର୍ଶ୍ବରେ ବୃକ୍ଷରୋପଣ ହେଉଛି। ଜୟଦେବବିହାରରୁ ନନ୍ଦନକାନନ ରାସ୍ତା ଓ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ରାସ୍ତାକୁ ଅଧିକ ଫୋକସ୍‌ ଦିଆଯାଇଛି। ଏହି ଦୁଇ ରାସ୍ତାପାର୍ଶ୍ବରେ ବାତ୍ୟାରେ ହଜାରରୁ ଅଧିକ ଗଛ ଭାଙ୍ଗିପଡ଼ିଥିଲା। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଦୁଇ ରାସ୍ତାପାର୍ଶ୍ବରେ ଥିବା ସାଇକେଲ୍‌ ଟ୍ରାକ୍‌ ଓ ପାଦଚଲା ରାସ୍ତା ମଝିରେ ବଡ଼ ବଡ଼ ଗଛ ଲଗାଯାଉଛି। ସେହିପରି ଏଜି ଛକରୁ ଆଚାର୍ଯ୍ୟ ବିହାର, ରାଜଭବନରୁ ଜୟଦେବବିହାର, ଏଜିରୁ ରାଜଭବନ ଛକ ମଧ୍ୟରେ ବି ବୃକ୍ଷରୋପଣ ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ ସହରରେ ଲଗାଯିବା ପାଇଁ ୬୦ ହଜାର ବଡ଼ ଗଛ ଅଣାଯାଇଛି। ଯେଉଁଥିରେ ବଉଳ, ନିମ୍ବ, କରଞ୍ଜ, ପାଟୁଳି, ବର, ଅଶ୍ବସ୍ତ ପରି ଗଛ ‌ରହିଛି। ଓଏଫ୍‌ଡିସି ପକ୍ଷରୁ ଏହି ଗଛଗୁଡ଼ିକୁ ରାଜ‌ମହେନ୍ଦ୍ରୀରୁ କିଣାହୋଇ ଆସିଛି। କେବଳ ଓଏଫ୍‌ଡିସି ପକ୍ଷରୁ ରାସ୍ତାପାର୍ଶ୍ବରେ ୨୪ ହଜାର ଗଛ ଲଗାଯିବ। ଏହାବ୍ୟତୀତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜାତୀୟ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ କ୍ୟାମ୍ପସରେ ଥିବା ଖୋଲା ସ୍ଥାନରେ ୧୭ ହଜାର ଗଛ ଲାଗିବ। ଏଥିସହ କଟକରେ ୯ ହଜାର ଓ ପୁରୀରେ ୫ ହଜାର ଗଛ ଲାଗିବ। ବନ ବିଭାଗ ପକ୍ଷରୁ ୧୫ ହଜାର, ବିଡିଏ ୧୫ ହଜାର ଓ ବିଏମସି ୫ ହଜାର ଚାରା ରୋପଣ କରିବ।

ବୃକ୍ଷରୋପଣ ସହ ଚାରା ବଣ୍ଟନ ଉପରେ ବି ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ସହରରେ ମୋବାଇଲ୍‌ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ବର ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି ଯେ ବଡ଼ ଗଛ ଅଣାଯାଇଥିବାରୁ ଗାଈଗୋରୁଙ୍କ ଦ୍ବାରା ନଷ୍ଟ ହେବାର ସମ୍ଭାବନା କମ୍‌। ଏବେ ନର୍ସରୀରେ ଚାରା ଦିଆଯିବା ସହ ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଷ୍ଟଲ ଖୋଲିଛି। ରାଜଭବନ ସ୍କୁଲ, ଡିଏଭି ସ୍କୁଲ, ମଧୁସୂଦନ ପାର୍କ ପରି ୭ଟି ସ୍ଥାନରେ ଚାରା ବଣ୍ଟନ କାଉଣ୍ଟର ଖୋଲିଛି। ଏଥିସହ ୪ଟି ମୋବାଇଲ୍‌ ଭ୍ୟାନ୍‌ ସହରରେ ବୁଲି ଲୋକଙ୍କୁ ମାଗଣା ଚାରା ବଣ୍ଟନ କରୁଛନ୍ତି। ପ୍ରତି ଲୋକ ପିଛା ୫ଟି ଗଛ ଯୋଗାଇ ଦିଆଯାଉଛି। ଯଦି କୌଣସି ଅନୁଷ୍ଠାନ, ସ୍ବେଚ୍ଛାସେବୀ ସଙ୍ଗଠନ ଗଛ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଶହେଟି ଲେଖାଏ ଗଛ ନର୍ସରୀରୁ ଦିଆଯାଉଛି। ରଥଯାତ୍ରା ସମୟରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୩ରୁ ୪ ଟ୍ରିପ୍‌ ଗଛ ବଣ୍ଟନ ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe