ଚଳଚଞ୍ଚଳ ରଥଗଡ଼ା: ରଥ ପ୍ରଭୁ ଲିଙ୍ଗରାଜ ଗଢ଼ନ୍ତି

ଚଳଚଞ୍ଚଳ ରଥଗଡ଼ା: ରଥ ପ୍ରଭୁ ଲିଙ୍ଗରାଜ ଗଢ଼ନ୍ତି

ଭୁବନେଶ୍ବର: ମହାପ୍ରଭୁଙ୍କ ରୁକୁଣା ରଥାଯାତ୍ରାକୁ ଆଉ ମାତ୍ର ୧୪ ଦିନ। ପୁଣି ଦୁଇଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ। ଏହାକୁ ଆଖିରେ ରଖି ରଥଖଳାରେ ପ୍ରାୟ ୬୦ ଜଣ କାରିଗର ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପି ଦିନରାତି ରଥ ଗଢ଼ିବାରେ ଲାଗିଛନ୍ତି। ପ୍ରଥମେ ରଥର ଚକ ନିର୍ମାଣ କରାଯାଉଛି। ସମସ୍ତ ଚକର ମଝି ଅଂଶ ‘ଗୋଟା’ ତିଆରି ସରିଛି। ଏହାପରେ ୧୦ ଇଞ୍ଚର ‘ଭଦଳିଆ’ ଏବଂ ତା’ଉପରେ ୧୦ ଇଞ୍ଚର ‘ପହି’ ଯୋଡ଼ା ଚାଲିଛି। ଏଥିସହ କିଛି ମହାରଣା ସେବାୟତ ଗୋଟିଏ ଗୋଟିଏ ଚକ ପାଇଁ ୮ଟି ଲେଖାଏ ‘ଅର’ ତିଆରି କରୁଛନ୍ତି। ଆଜି ପ୍ରାୟ ୨ଟି ଚକ ପାଇଁ ଅର ତିଆରି ସରିଛି। ଟାଣଖରା ଓ ଗ୍ରୀଷ୍ମ ଲହରୀକୁ ଖାତିର ନକରି ମହାରଣା ସେବାୟତ କାମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ପ୍ରବଳ ଗରମ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଙ୍ଖା ଲଗାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ରଥ ପ୍ରଭୁ ଲିଙ୍ଗରାଜ ଗଢ଼ନ୍ତି

‘‘ମୋର ସୌଭାଗ୍ୟ ମୁଁ ପ୍ରଭୁ ଲିଙ୍ଗରାଜଙ୍କ ସେବା କରିବାର ‌ସୁଯୋଗ ପାଇଛି। ପୂର୍ବରୁ ବାପା ଅଜା ପ୍ରଭୁଙ୍କ ସେବା କରୁଥିଲେ। ମୁଁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲି। ସେତେବେଳେ ମାତ୍ର ୧୫ ବର୍ଷ ବୟସ। ସେବେଠାରୁ ଦୀର୍ଘ ୪୫ ବର୍ଷ ହେବ ପ୍ରଭୁଙ୍କ ସେବା କରୁଛି। ମୁଖ୍ୟ କାରିଗର ଭାବେ ସମସ୍ତ କାମକୁ ନଜର ରଖିବାକୁ ପଡ଼ିଥାଏ। ମୁଁ ତାଙ୍କରି ଆଜ୍ଞାରେ କାମକରେ। ରଥ ପ୍ରଭୁ ଲିଙ୍ଗରାଜ ଗଢ଼ନ୍ତି, ଆମେ କେବଳ ଜଣେ ଜଣେ ମାଧ୍ୟମ। ପ୍ରାୟ ୮ ବର୍ଷ ତଳେ ମାଡ଼ିକାଠ ଲଗା ଯାଉଥାଏ, ହଠାତ୍‌ କାଠ ମୋ ଉପରରେ ଖସିଲା। ଠିକ୍‌ ସେହି ସମୟରେ ଜଣେ ମହାରଣା ଭାଇ ମତେ ଟାଣି ଆଣିଲେ। ମୁଁ ଅନୁଭବ କଲି, ମତେ ମହାରଣା ଭାଇଟିର ବେଶରେ ମହାପ୍ରଭୁ ଲିଙ୍ଗରାଜ ହିଁ ରକ୍ଷା କରିଦେଲେ। ନଚେତ୍‌ ସେଦିନ ମୋର ମୃତ୍ୟୁ ସୁନିଶ୍ଚିତ ଥିଲା। ଏତେ ବର୍ଷଧରି କାମ କରୁଛି, କିନ୍ତୁ କେବେ ବଡ଼ ଅଘଟଣ କରାଇ ଦେଇ ନାହାନ୍ତି ପ୍ରଭୁ ଲିଙ୍ଗରାଜ।’’
- ବଟକୃଷ୍ଣ ମହାରଣା,
ମୁଖ୍ୟ ମହାରଣା ସେବାୟତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe