ଅଧା ହଂସପାଳ ଓଭରବ୍ରିଜ୍‌କୁ ଉଦ୍‌ଘାଟନ କରିଥିଲେ ସାଂସଦ: ଚାରି ମାସ ପରେ ବି ଅସମ୍ପୂର୍ଣ୍ଣ

Advertisment

ଦୀର୍ଘ ୪୮ ମାସର ଯନ୍ତ୍ରଣା ପରେ ଗତ ଅଗଷ୍ଟ ମାସରେ ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ ଗୋଟିଏ ପାଖ (କଟକ ପଟରୁ ଭୁବନେଶ୍ବର) ରାସ୍ତା ଖୋଲାଗଲା। ଆଶ୍ଚର୍ଯ୍ୟର କଥା, କାମ ସରିନଥିଲେ ବି ଉଦ୍‌ଘାଟନ ମଧ୍ୟ କରାଗଲା।

ଦୀର୍ଘ ୪୮ ମାସର ଯନ୍ତ୍ରଣା ପରେ ଗତ ଅଗଷ୍ଟ ମାସରେ ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ ଗୋଟିଏ ପାଖ (କଟକ ପଟରୁ ଭୁବନେଶ୍ବର) ରାସ୍ତା ଖୋଲାଗଲା। ଆଶ୍ଚର୍ଯ୍ୟର କଥା, କାମ ସରିନଥିଲେ ବି ଉଦ୍‌ଘାଟନ ମଧ୍ୟ କରାଗଲା।

bcbcbbc

ଭୁବନେଶ୍ୱର: ଦୀର୍ଘ ୪୮ ମାସର ଯନ୍ତ୍ରଣା ପରେ ଗତ ଅଗଷ୍ଟ ମାସରେ ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ ଗୋଟିଏ ପାଖ (କଟକ ପଟରୁ ଭୁବନେଶ୍ବର) ରାସ୍ତା ଖୋଲାଗଲା। ଆଶ୍ଚର୍ଯ୍ୟର କଥା, କାମ ସରିନଥିଲେ ବି ଉଦ୍‌ଘାଟନ ମଧ୍ୟ କରାଗଲା। ଭୁବନେଶ୍ବର ସାଂସଦଙ୍କ ସମେତ ବିଜେପି ନେତାମାନେ ଉଦ୍‌ଘାଟନ ଉତ୍ସବରେ ସାମିଲ ହେଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ କହିଲେ ୧୫ ଦିନରୁ ମାସେ ଭିତରେ ବାକି କାମ ସରିଯିବ। ସାଂସଦ କହିଲେ, ଅକ୍ଟୋବର ମାସ ସୁଧା କାମ ସରିବ। ହେଲେ ଏବେ ବି ଅସମ୍ପୂର୍ଣ୍ଣ ହଂସପାଳ ଫ୍ଲାଏଓଭରବ୍ରିଜ୍‌। କେବେ ସରିବ ଏନେଇ କାହା ପାଖରେ ସୂଚନା ନାହିଁ?

୨୦୧୯ ଅଗଷ୍ଟ ୧୯ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍‌ କରି ହଂସପାଳରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ପାଇଁ ସୂଚନା ଦେଇଥିଲେ। ୧୨୦ ଦିନ ଭିତରେ ଟେଣ୍ଡର କାମ ଶେଷ ହେବ ବୋଲି ପ୍ରଥମେ କୁହାଗଲା। ହେଲେ ଟେଣ୍ଡର ପ୍ରକ୍ରିୟା ସରିବାକୁ ବର୍ଷେ ଲାଗିଗଲା। ୨୦୨୦ ଅଗଷ୍ଟ ୮ରେ ଏହାର ଶିଳାନ୍ୟାସ କରାଗଲା। ୨୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫୫୮ ମିଟର ଲମ୍ବା ଓ ୬ ଲେନ୍‌ ବିଶିଷ୍ଟ ଏହି ଫ୍ଲାଏଓଭର ୧୮ ମାସରେ ଶେଷ ହେବ ବୋଲି ଘୋଷଣା କରାଗଲା। ଏହି ଟେଣ୍ଡର୍‌ ପାଇଥିଲା ବ୍ରିଜେଶ ଅଗ୍ରୱାଲ ଠିକାସଂସ୍ଥା। ତେବେ ୨୦୨୦ ମସିହାରେ କୋଭିଡ୍‌ ପାଇଁ କାମରେ ବିଳମ୍ବ ହେଲା। ସେଥିପାଇଁ ପ୍ରାୟ ୧ ବର୍ଷ ସମୟସୀମା ବୃଦ୍ଧି କରାଯାଇ ୨୦୨୨ ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାପରେ ୨୦୨୩ ଦୁର୍ଗାପୂଜା ପୂର୍ବରୁ କାମ ଶେଷ ପାଇଁ କୁହାଗଲା, ତଥାପି ସରିଲା ନାହିଁ। ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଶେଷ ଥର ପାଇଁ ଗତ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଠିକାସଂସ୍ଥାକୁ ନୋଟିସ୍‌ ଦେଇଥିଲା ଏନ୍‌ଏଚ୍‌ଏଆଇ। ତଥାପି ମଧ୍ୟ କାମ ସାରି ପାରିଲା ନାହିଁ ଏହି ଠିକା ସଂସ୍ଥା। ତୀବ୍ର ବିରୋଧ ପରେ ଅଧିକାରୀଙ୍କ ଛତ୍ରଛାୟାରେ କାମ କରୁଥିବା ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲର ଟେଣ୍ଡର ବହୁ କଷ୍ଟରେ ବାତିଲ କରାଗଲା। ବାକି ଥିବା କାମ ଓଡ଼ିଶାର ଠିକାସଂସ୍ଥା ଅଭୀପ୍ସା କନଷ୍ଟ୍ରକ୍‌ସନ୍‌ କରିବ ଏବଂ ମାସେ ଭିତରେ କାମ ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଗଲା। 

ତେବେ ଅଗଷ୍ଟ ମାସ ଭିତରେ କେବଳ ଗୋଟିଏ ପାଖ କାମ ସାରିବାକୁ ସକ୍ଷମ ହୋଇଥିଲା ଅଭୀପ୍ସା କନଷ୍ଟ୍ରକ୍‌ସନ୍‌। ଏବେ ଉଦ୍‌ଘାଟନର ଚାରିମାସ ପରେ କାମରେ ସେଭଳି ଅଗ୍ରଗତି ହୋଇନାହିଁ। କାରଣ ଅପରପାଖ (ଭୁବନେଶ୍ବର ପଟୁ କଟକ) ରାସ୍ତାରେ ନିର୍ମାଣ ହେଉଥିବା ସିମେଣ୍ଟ ପାଚେରି କାମ ସରିନାହିଁ। ଡଷ୍ଟ ଇ ମୋହରମ ବିଛାଇବା କାମ ବି ସରିନି। ଏବେର ସ୍ଥିତି ଯାହା ବାକି କାମ ସାରିବାକୁ ଆହୁରି ମାସାଧିକ ସମୟ ଲାଗିବ। ନିକଟ ଭବିଷ୍ୟତରେ ଯେ କାମ ଯେ ଶେଷ ହେବ ନାହିଁ ତାହା ସ୍ପଷ୍ଟ ଜଣାପଡ଼ୁଛି। ଅନ୍ୟପଟେ ଏନ୍‌ଏଚ୍‌ଏଆଇ ଅଧିକାରୀ ଚିରାଚରିତ ଡଙ୍ଗରେ ଖୁବ୍‌ ଶୀଘ୍ର କାମ ଶେଷ ହେବ କହି ଦାୟିତ୍ବ ସାରି ଦେଉଛନ୍ତି। ଅନ୍ୟପଟେ ଫ୍ଲାଏଓଭର କାମ ସରୁନଥିବାରୁ ସ୍ଥାନୀୟବାସୀନ୍ଦାଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପ୍ଲାଏଓଭରର ଦୁଇ ପାଖରେ ଥିବା ସର୍ଭିସ ରୋଡ ଖରାପ ଥିବାରୁ ଅଧିକାଂଶ ସମୟ ଗାଡ଼ି ଜାମ୍‌ ହେଉଛି। ମୁଖ୍ୟତଃ ଭୁବନେଶ୍ବରରୁ କଟକ ପାଖ ସର୍ଭିସ ରୋଡ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଜାନୁଆରୀ ଭିତରେ କାମ ନସରିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ସ୍ଥାନୀୟବାସୀନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe