ଆରମ୍ଭ ହେଲା ‘ମୃତ୍ତିକା’: ଦୀପର ଅପୂର୍ବ ସମ୍ଭାର

Advertisment

ଏଥର ଲକ୍ଷ୍ୟ ୧କୋଟି ୧୦ ଲକ୍ଷ

ଏଥର ଲକ୍ଷ୍ୟ ୧କୋଟି ୧୦ ଲକ୍ଷ

ଆରମ୍ଭ ହେଲା ‘ମୃତ୍ତିକା’: ଦୀପର ଅପୂର୍ବ ସମ୍ଭାର

ଭୁବନେଶ୍ୱର: ଦୀପାବଳି ପାଇଁ ଭଳିକି ଭଳି ଦୀପର ସମ୍ଭାର। ୨ ଟଙ୍କାରୁ ନେଇ ୧୦ ହଜାର ଟଙ୍କାର ଦୀପ ସାଙ୍ଗକୁ ଟେରାକୋଟାର ଆଖିଝଲସା ଘରସଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର ନେଇ ଆସିଛି ‘ମୃତ୍ତିକା’। ରାଜ୍ୟ ହସ୍ତ ଓ କୁଟିର ଶିଳ୍ପ ନିର୍ଦେଶାଳୟ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆଜି ଉଦ୍‌ଘାଟିତ ହୋଇଛି ଏହି ମାଟି ଓ ଟେରାକୋଟା ଶିଳ୍ପର ମେଳା। ଏଥିରେ ମୋଟ୍‌ ୮୦ଟି ଷ୍ଟଲ୍‌ ଖୋଲିଥିବା ବେଳେ ୧୫୭ରୁ ଊର୍ଧ୍ୱ ମାଟି ଓ ଟେରାକୋଟା କାରିଗର ନିଜର ପସରା ଖୋଲିଛନ୍ତି।

ଏଥିରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଂଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟର ମାଟି ଓ ଟେରାକୋଟା ଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟରେ ସେ କହିଥିଲେ ଏହି ଶିଳ୍ପର ଇ-ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ଗତବର୍ଷ ଏହି ମେଳାରେ ୯୩ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଚଳିତ ବର୍ଷ ୧କୋଟି ୧୦ ଲକ୍ଷ ବିକ୍ରି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବେଳେ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଏହି ଟେରାକୋଟା ହସ୍ତଶିଳ୍ପ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ବେଳେ ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଓ ପ୍ରଶିକ୍ଷିତ କାରିଗରଙ୍କ ଦ୍ୱାରା ଟେରାକୋଟା ସାମଗ୍ରୀ ଉତ୍ପାଦିତ ହେଉଛି। ଆଜିର ଏହି ଉଦ୍‌ଘାଟନୀ ପର୍ବରେ ବିଭାଗୀୟ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦେଶକ ଇଂ.ଶିତିକାନ୍ତ ଷଡ଼ଙ୍ଗୀ, ଉତ୍କଳିକାର ପରିଚାଳନା ନିର୍ଦେଶକ ସତ୍ୟରଂଜନ ସାହୁ, ଅତିରିକ୍ତ ନିର୍ଦେଶକ ବିକେ ପଣ୍ଡା, ସ୍ୱତନ୍ତ୍ର ଅଧିକାରୀ ସନାତନ ବେହେରା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମାଟି ରଥର ଦାମ୍‌ ୫୦ ହଜାର
ଚଳିତ ବର୍ଷ ପ୍ରଥମ କରି ଏକ ସାଢ଼େ ୩ ଫୁଟର ମାଟି ରଥ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ନବକଳେବର ଥିମ୍‌କୁ ନେଇ ରଥଟି ନିର୍ମିତ ହୋଇଥିବା ବେଳେ ବେଶ୍‌ ନିଖୁଣ ଚିତ୍ର ଦେଖେଣାହାରୀଙ୍କୁ ଆକୃଷ୍ଟ କରୁଛି। କେନ୍ଦ୍ରାପଡ଼ାର ସରୋଜ କୁମାର ରାଉତ ଏହି ରଥ ପାଇଁ ରାଜ୍ୟ ପୁରସ୍କାର ପାଇଛନ୍ତି। ଏହି ରଥର ଦାମ୍‌ ରହିଛି ୫୦ ହଜାର ଟଙ୍କା। ଏହା ବ୍ୟତୀତ ତାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ବୁଦ୍ଧ ମୂର୍ତି ମଧ୍ୟ ଲୋକଙ୍କୁ ଅଟକିଯିବାକୁ ବାଧ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe