ଭୁବନେଶ୍ବର : ରାଜଧାନୀରେ ବର୍ଷକୁ ଅତି କମ୍ରେ ତିନିରୁ ଚାରି ଥର ଜଳବନ୍ଦୀ ସମସ୍ୟା ଦେଖାଯାଉଥିବାରୁ ଏହାର ମୁକାବିଲା ପାଇଁ ବିଏମ୍ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଜର୍ମାନ୍ ଡେଭଲପମେଣ୍ଟ କୋଅପରେସନ୍ ସହାୟତାରେ ‘ମୁଁ ସିଟି ସେଭିୟର୍’ ଆପ୍ ପ୍ରସ୍ତୁତ କରାଯାଇଛି। ଏହା ଏମିତି ଏକ ଆପ୍ ଯାହା ସହଯୋଗରେ ଲୋକମାନେ ସେମାନଙ୍କ ଅଞ୍ଚଳର ଡ୍ରେନ୍ ସ୍ଥିତି, ବର୍ଷା ଜଳ ପ୍ରବାହ ସ୍ଥିତି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଆଉ ବିଏମ୍ସି ତାହାର ମୁକାବିଲା ପାଇଁ ପଦକ୍ଷେପ ନେବ। ଆଉ ଲୋକଙ୍କୁ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ଦେବନି। ଏହି ଆପ୍ ପ୍ରସ୍ତୁତ କରିବାକୁ ନୂଆପଲ୍ଲୀ ଓ ଶତାବ୍ଦୀ ନଗର ଅଞ୍ଚଳର ବାସିନ୍ଦାଙ୍କ ସହାୟତା ନିଆଯାଇଛି।
‘ମୁଁ ସିଟି ସେଭିୟର୍’ ଆପ୍ ସହଯୋଗରେ ସହରାଞ୍ଚଳ ବନ୍ୟା ସମୟରେ ଲୋକମାନେ ଡ୍ରେନ୍ ଗୁଡ଼ିକର ତିନିଟି ସୂଚନା ଯଥା ଡ୍ରେନ୍ରେ ଅଳିଆ ଅଛି କି ନାହିଁ, ଜଳସ୍ତର କେତେ ଅଛି, ଜଳ ପ୍ରବାହ ହେଉଛି କି ନାହିଁ ସୂଚନା ଦେଇପାରିବେ। ଏହି ଆପ୍ ସଂପୃକ୍ତ ସ୍ଥାନର ସମ୍ବେଦନଶୀଳତା, ଡ୍ରେନ୍ର ପ୍ରକାର ଓ କ୍ଷମତା, ସ୍ଥାନୀୟ ଲୋକସଂଖ୍ୟା ଇତ୍ୟାଦିକୁ ବିଶ୍ଲେଷଣ କରି ସଂପୃକ୍ତ ଅଧିକାରୀଙ୍କୁ ସେତେବେଳର ସ୍ଥିତି ଅନୁଯାୟୀ ପ୍ରାଥମିକତା ଅନୁସାରେ ପ୍ରକୃତ ସମୟରେ ସୂଚନା ଯୋଗାଇବ। ଏହାକୁ ଭିତ୍ତିକରି ବିଏମ୍ସି କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବେ। ଏହି ଆପ୍ ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବାବେଳେ ଏହାକୁ ଆଣ୍ଡ୍ରଏଡ୍ ମୋବାଇଲ୍ଧାରୀ ବ୍ୟବହାର କରିପାରିବେ। ଏହି ଆପ୍ କେତେଦୂର ସହାୟକ ହେଉଛି ତାହା ଆସନ୍ତା ବର୍ଷା ଋତୁରେ ଜଣାପଡ଼ିବ।
ଅପରପକ୍ଷେ ଏହି ଆପ୍ର ଲୋକାର୍ପଣ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ନୂଆପଲ୍ଲୀସ୍ଥିତ ମମତାଜ୍ ଅଲ୍ଲୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ବିଡିଏ ସଚିବ ଆର୍.ଏନ୍ ମିଶ୍ର, ବିଏମ୍ସିର ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ, ଜିଆଇଜେଡ୍ର ବୈଶାଳୀ ନନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।
Follow Us