ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ: ଶିବ ତାଣ୍ଡବରେ ଶିବମୟ

Advertisment
ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ: ଶିବ ତାଣ୍ଡବରେ ଶିବମୟ

ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଜି ପ୍ରାଚୀନ ଶୈବପୀଠ ଏକାମ୍ର କ୍ଷେତ୍ର ଅଧିକ ଶିବମୟ ହୋଇ ଉଠିଥିଲା। ମୁକ୍ତେଶ୍ବର ନୃତ୍ୟ ଉତ୍ସବ ମଞ୍ଚରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଶିବ ତାଣ୍ଡବ ପରିବେଶକୁ ଅଧିକ ମନ୍ତ୍ରମୁଗ୍ଧ କରିଥିଲା। ରାମାୟଣର ଶବରୀ ଉପାଖ୍ୟାନ ଯେତିକି ଭାବଗମ୍ଭୀର ପରିବେଶ ଗଢ଼ିଥିଲା, ଶିବ ତାଣ୍ଡବ ସେତିକି ଶିହରଣ ଖେଳାଇ ଦେଇଥିଲା। ଏହି ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍ଧିତା ବରୁଆଙ୍କ ଦ୍ୱାରା ଶିବସ୍ତୁତି ଓ ଶିବ ତାଣ୍ଡବ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା।

ତିନିଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପଣ୍ଡିତ ମହେଶ୍ୱର ରାଓ ଓ ତାଙ୍କ ସାଥୀଙ୍କ ଶିବ ସୁରକ୍ଷା ମନ୍ତ୍ର ଗାନ କରିଥିଲେ। ଏହାପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂରଚନାରେ ସେ ଏକତାଳୀ ନୃତ୍ୟ ପଲ୍ଲବୀ ପ୍ରଦର୍ଶନ କରିଥିଲେ। ଏହା ପରେ ରାମାୟଣର ଶବରୀ ଚରିତ୍ରରେ ଅଭିନୟ କରିଥିଲେ। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର। ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର, ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ପ୍ରଦୀପ କୁମାର ଦାସ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଶିଲ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ମଙ୍ଗଳାଚରଣରେ ଶ୍ରୀଗଣେଶ ଓ ପରେ ରାଗ କ୍ଷୀରବାଣୀ ପଲ୍ଲବୀ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଷଣ କରିଥିଲେ। ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ ନୃତ୍ୟ ସଂରଚନା କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ। ଏହି ନୃତ୍ୟ ଉତ୍ସବକୁ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।

ଅତିଥିଭାବେ ଓଡ଼ିଶା ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ୍‌ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ସଂହତି ପାଣି। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ, ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe