ଭୁବନେଶ୍ୱର: ମୁକ୍ତେଶ୍ୱର ମନ୍ଦିର ସମ୍ମୁଖ ମୁକ୍ତାକାଶ ମଞ୍ଚରେ ଆୟୋଜିତ ନୃତ୍ୟ ଗୀତର ଆସର ‘ମୁକ୍ତେଶ୍ୱର ଉତ୍ସବ’ରେ ପରଦା ନଇଁଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ନିବେଦିତ ତଥା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମିର ମିଳିତ ସହଯୋଗରେ ଆୟୋଜିତ ଶେଷ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଗାୟତ୍ରୀ ଚାନ୍ଦଙ୍କ ଏକକ ଓଡ଼ିଶୀ ନୃତ୍ୟ। ଶିବଙ୍କ ଉପରେ ମଙ୍ଗଳାଚରଣ ପରେ ରାମାୟଣର ନବରସକୁ ସେ ନୃତ୍ୟରେ ପ୍ରସ୍ତୁତ କରିଥିଲେ। ସରିତା ମିଶ୍ର ଓ ମନିଷା ମନସ୍ୱିନୀଙ୍କ ଦ୍ୱୈତ ନୃତ୍ୟରେ ପଲ୍ଲବୀ ଦେଖିବାକୁ ମିଳିଥିଲା। ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର। ପରେ ’ମୋହନ ମୁରତି ଛଇ...ଗୀତରେ ନୃତ୍ୟାଭିନୟ ବେଶ୍ ମନମୁଗ୍ଧକର ଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଡ. ସଙ୍ଗୀତା ଗୋସାଇଁ । ଶେଷ ପ୍ରସ୍ତୁତିରେ ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟରେ ମଙ୍ଗଳାଚରଣ, କାମୋଦି ପଲ୍ଲବୀ ଏବଂ ଶେଷରେ ମହାକାଳୀ ସ୍ତୁତି ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଂଜନ କରିଥିଲା। ଯଶଧାରା ରାଏ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଡ. ନିତିନ୍ ଭାନୁଦାସ ଜାଓ୍ଵଲେ, ଉପ ନିର୍ଦେଶକ ଉତ୍ପଳ କୁମାର ପତି, ଏଲିନା, ଡ.ବିଜୟ କୁମାର ଜେନା ଓ ଡ.ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ.ଶ୍ରୀନିବାସ ଘଟୁଆରୀ ଏବଂ ଅନୁଜା ତାରିଣୀ ମିଶ୍ର।
ଦେଖାଇଲେ ମୋହନ ମୂରତି ଛଇ...
Advertisment
Follow Us