ଆସୁଛି ପୌର ନିର୍ବାଚନ: ପ୍ରତିଶ୍ରୁତି ସାଇତିଛନ୍ତି ନେତା, ଅଭିଯୋଗ ସହ ଅପେକ୍ଷାରେ ଜନତା

Advertisment
ଆସୁଛି ପୌର ନିର୍ବାଚନ: ପ୍ରତିଶ୍ରୁତି ସାଇତିଛନ୍ତି ନେତା, ଅଭିଯୋଗ ସହ ଅପେକ୍ଷାରେ ଜନତା

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଲାଣି। ଆପାତତଃ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଓ ମହାନଗର ନିଗମଗୁଡ଼ିକରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଆଶାୟୀମାନେ ବି ସଜବାଜ ହେଲେଣି। ଏଣୁ ଏବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ କସରତ ଆରମ୍ଭ ହୋଇଯାଇଛି। ତେବେ ବଡ଼ କଥା ହେଉଛି, ନେତାମାନେ ମାଳମାଳ ପ୍ରତିଶ୍ରୁତି ଧରି ଭୋଟରଙ୍କ ପାଖକୁ ଯିବାକୁ ବସିଥିବା ବେଳେ ଜନତା ବି ପୁଳାପୁଳା ଅଭିଯୋଗ ଧରି ବସିଛନ୍ତି। ରାସ୍ତାଘାଟ, ସ୍ବେରେଜ୍‌, ଡ୍ରେନ୍‌, ରାସନ୍‌ ଓ ସାମାଜିକ ସୁରକ୍ଷା ‌ଯୋଜନା କ୍ଷେତ୍ରରେ ଥିବା ସମସ୍ୟାର ଲମ୍ବା ତାଲିକା ଧରି ଭୋଟରମାନେ ନେତାଙ୍କୁ ଜବାବ୍ ମାଗ‌ିବେ ବୋଲି ଅପେକ୍ଷା କରିଛନ୍ତି।ଭୁବନେଶ୍ବରରେ ବିଏମ୍‌ସି ସବୁ କ୍ଷେତ୍ରରେ ଫେଲ୍‌ ମାରିଥିବାରୁ ପ୍ରବଳ ଅସନ୍ତୋଷ ଆଶାୟୀଙ୍କ ଉପରେ ଭାରି ପଡ଼ିବାକୁ ଯାଉଛି। ପୂର୍ବରୁ କ୍ଷମତାରେ ଥିବା ନେତା ଓ ନୂଆ ଆଶାୟୀମାନେ ମଧ୍ୟ ଏହି ଜନ ଅସନ୍ତୋଷରେ ଫସିବାକୁ ଯାଉଛନ୍ତି। ତେଣୁ କେଉଁ ମୁଦ୍ଦାକୁ ନେଇ ଆଶାୟୀମାନେ ଭୋଟରଙ୍କ ପାଖକୁ ଯିବେ, ତାହାକୁ ନେଇ ଚାଲିଲାଣି ଅଙ୍କକଷା।

ରାଜଧାନୀରେ ବିଏମ୍‌ସି ସମେତ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ରାସ୍ତା ରହିଛି। ବିଏମ୍‌ସି ଅଧୀନରେ ପ୍ରାୟ ୧ହଜାର ୭ଶହ କିଲୋମିଟର ଲମ୍ବର ରାସ୍ତା ରହିଥିବା ବେଳେ ଏନ୍‌ଏଚ୍‌ଆଇର ୪୮ କିଲୋମିଟର, ପୂର୍ତ୍ତ ବିଭାଗର ୬ଶହ କିଲୋମିଟର ଓ ଜଳସେଚନ ବିଭାଗର ପ୍ରାୟ ୩ଶହ କିଲୋମିଟର ରାସ୍ତା ରହିଛି। ରାଜଧାନୀ ମଝିରେ ଯାଇଥିବା ଜାତୀୟ ରାଜପଥ ଓ ସଂଲଗ୍ନ ସର୍ଭିସ୍‌ ରୋଡ୍‌ ଏନ୍‌ଏଚ୍‌ଏଆଇ ଅଧୀନରେ ରହିଛି। ସହର ଭିତରେ ରହିଛି ବ୍ଲାକ୍‌ ସ୍ପଟ୍‌। ମାତ୍ର ସେଗୁଡ଼ିକରେ କୌଣସି ସୁଧାର ଆସିପାରିନାହିଁ। ସହରବାସୀଙ୍କ ଦ୍ବାରା ସର୍ବାଧିକ ବ୍ୟବହାର ହେଉଥିବା ରାସ୍ତା ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ଦୁଇ ବିଭାଗ ବର୍ଷକୁ ୧୦୦ କୋଟିରୁ ଅଧିକ ଟଙ୍କା କେବଳ ରାସ୍ତା ନିର୍ମାଣ ଓ ମରାମତିରେ ଖର୍ଚ୍ଚ କରୁଛନ୍ତି। ମାତ୍ର ରାଜଧାନୀର ରାସ୍ତା ଘାଟ ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ। ବିଭିନ୍ନ ବିକାଶମୂଳକ ଯୋଜନା ନାଁରେ ନିୟମିତ ବ୍ୟବଧାନରେ ରାସ୍ତା ଖୋଳା ହେଉଛି ଓ ବର୍ଷ ବର୍ଷ ଧରି ସେମିତି ପଡ଼ିରହୁଛି। ଫଳରେ ରାସ୍ତାରେ ଥିବା ବଡ଼ବଡ଼ ଖାଲ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି।

publive-image

ସେହିଭଳି ରାଜଧାନୀର ଅଧିକାଂଶ ଅଞ୍ଚଳରେ ସ୍ବେରେଜ୍‌ ପାଇପ୍‌ ବିଛାଇବା କାମ ଚାଲିଛି। ବର୍ଷ ବର୍ଷ ଧରି ଏହି କାମ ଚାଲୁଛି। ଫଳରେ ବର୍ଷା ଦିନରେ ସହରବାସୀ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ବିଭାଗୀୟ ସମନ୍ବୟ ଅଭାବରୁ ପ୍ରାୟ ରାସ୍ତା ମରାମତି ହେବାର ଦୁଇ ମାସ ମଧ୍ୟରେ ପୁଣି ଖୋଳା ହୋଇ ପଡ଼ିରହୁଛି। ନିର୍ମାଣ ଓ ମରାମତି ନାଁରେ କିଏ ପିସି ଖାଇ ଲାଭବାନ୍‌ ହେଉଥିବା ବେଳେ ରାଜଧାନୀବାସୀ ହନ୍ତସନ୍ତ ହେଉଛନ୍ତି। ଡ୍ରେନ୍‌ କଥା ତ ସବୁଠୁ ବେଶି ଶୋଚନୀୟ ରାଜଧାନୀରେ। ବର୍ଷା ଦିନରେ ବିପଜ୍ଜନକ ଡ୍ରେନ୍ ମୁଣ୍ଡ ନେଉଛି। ଖୋଲାମେଲା ଡ୍ରେନ୍‌‌ରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାରେ ଲୋକେ ଭାସି ଯାଉଛନ୍ତି। ସେହିଭଳି ଡ୍ରେନ୍‌ ସମସ୍ୟା ଯୋଗୁଁ ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ ଜଳମଗ୍ନ ହେଉଛି ଓ ଲୋକଙ୍କ ଘରେ ଡ୍ରେନ୍‌ ପାଣି ପଶୁଛି। ରାଜଧାନୀରେ ଏହି ସମସ୍ୟା ବର୍ଷ ବର୍ଷ ଧରି ରହିଆସିଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ।

ଅନୁରୂପ ଭାବେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ମଧ୍ୟ ଜନଅସନ୍ତୋଷ ରହିଛି। ଅଧିକାଂଶ ହିତାଧିକାରୀଙ୍କୁ ଧାର୍ଯ୍ୟ ପରିମାଣର ରାସନ ମିଳୁନାହିଁ। ବିଭିନ୍ନ ବାହାନା କରି ଡିଲରମାନେ ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ କରୁଛନ୍ତି। ଏକ୍ଷେତ୍ରରେ ସାଧାରଣ ଲୋକଙ୍କୁ ହକ୍‌ ଦେବାରେ ବିଏମ୍‌ସି ବିଫଳ ହୋଇଛି। ୱାନ୍‌ ନେସନ୍‌ ୱାନ୍‌ ରାସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବି ବହୁ ହିତାଧିକାରୀ ଏଥିରୁ ସୁବିଧା ପାଇନାହାନ୍ତି। ସେହିଭଳି ବସ୍ତିବାସିନ୍ଦାଙ୍କ ଥଇଥାନକୁ ନେଇ ମାଳମାଳ ଅଭିଯୋଗ ରହିଛି। ବିଭିନ୍ନ ସମୟରେ ବସ୍ତି ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇନାହିଁ।

କରୋନା ଆଳରେ ବିଏମ୍‌ସିର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଛି। ପ୍ରତ୍ୟେକ ଦିନ ଗଦାଗଦା ଅଭିଯୋଗ ବିଏମ୍‌ସି ଅଫିସ୍‌ରେ ପହଞ୍ଚୁଛି। ହେଲେ କମିସନର ବିଏମ୍‌ସି ଅଫିସରେ ବସୁ ନଥିବାରୁ ସେସବୁ ସେମିତି ଅଳିଆ ଗଦା ହେଲା ଭଳି ପଡ଼ିରହୁଛି। କରୋନା ମାର୍ଗଦର୍ଶିକା ନାଁରେ ଅଧିକାରୀମାନେ ସାଧାରଣ ଜନତାଙ୍କୁ ଦେଖା କରିବାକୁ ସୁଯୋଗ ଦେଉନାହାନ୍ତି।

ଏଭଳି ଅନେକ ଅଭିଯୋଗକୁ ନେଇ ଜନଅ‌ସନ୍ତୋଷ ରହିଛି। ସେସବୁ ଆସନ୍ତା ନିର୍ବାଚନରେ ପ୍ରତିଫଳିତ ହେବ। ତେଣୁ ଆଶାୟୀମାନେ ସେସବୁକୁ କିଭଳି ମୁକାବିଲା କରିବେ, ତାହା ହିଁ ଆଗାମୀ ନିର୍ବାଚନର ଉଲ୍ଲେଖନୀୟ ଘଟଣା ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe