ମହିଳାଙ୍କୁ ଗଳା କାଟି ହତ୍ୟା‌, ସ୍ୱାମୀଙ୍କୁ ଅଟକ ପ୍ରତିବାଦରେ ରାସ୍ତାରୋକ

Advertisment
ମହିଳାଙ୍କୁ ଗଳା କାଟି ହତ୍ୟା‌, ସ୍ୱାମୀଙ୍କୁ ଅଟକ ପ୍ରତିବାଦରେ ରାସ୍ତାରୋକ

ଖୋର୍ଧା/ବୋଲଗଡ଼/ପୁରୁଣା ଭୁବନେଶ୍ବର/ବେଗୁନିଆ: ଖୋର୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଛକ ନିକଟ ରାସ୍ତାକଡ଼ରୁ ଶନିବାର ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମହିଳା ଜଣକ ଭୁବନେଶ୍ୱର ଏୟାର ଫିଲ୍ଡ୍ ଥାନା ଅନ୍ତର୍ଗତ ପଳାସପଲ୍ଲୀ ଲେନ୍ ୧୦ରେ ରହୁଥିବା ବିନୋଦ ବିହାରୀ ସେଠୀଙ୍କ ପତ୍ନୀ ଦୀପ୍ତିମୟୀ ଷଡ଼ଙ୍ଗୀ/ସେଠୀ (୩୮) ବୋଲି ଜଣାଯାଇଛି। ଦୀପ୍ତିଙ୍କ ବେକରେ କଟା ଦାଗ ଥିବାରୁ ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ବେଗୁନିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ବିନୋଦ ବିହାରୀଙ୍କୁ ଅଟକ ରଖିଛି। ଅପରପକ୍ଷେ, ବିନୋଦଙ୍କୁ ତୁରନ୍ତ ଛାଡ଼ିବା ଦାବିରେ ପଲାସପଲ୍ଲୀ‌ର ଶତାଧିକ ବାସିନ୍ଦା ପଲାସପଲ୍ଲୀଠାରେ ଆଜି ସଂଧ୍ୟାରେ ରାସ୍ତାରୋକ କରିଥିଲେ। ତେବେ ସେମାନଙ୍କ ଦାବି ପୂରଣ ପାଇଁ ପୁଲିସ ପ୍ରତିଶ୍ରୁତି ଦେବା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ରାସ୍ତାରୋକ ହଟିଥିଲା।

ସୂଚନାନୁଯାୟୀ, ଏକ ବୀମା କମ୍ପାନିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଦୀପ୍ତିମୟୀ ବିନୋଦଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ୧୩ ଏବଂ ୬ବର୍ଷର ଦୁଇଟି ଝିଅ ଅଛନ୍ତି। ବିନୋଦ ଛୋଟ ପରଦାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରୁଥିବା ବେଳେ ସେମାନଙ୍କ ୪ ପ୍ରାଣୀ କୁଟୁମ୍ବ ଚଳିବାରେ ଅସୁବିଧା ନଥିଲା। ତେବେ ଗତକାଲି ମଧ୍ୟାହ୍ନ ଭୋଜନ ପରେ ଦୀପ୍ତିମୟୀ କିଛି କାମ ଅଛି କହି ବାହାରକୁ ଯାଇ ଆଉ ଫେରିନଥିଲେ। ଅନେକ ଖୋଜାଖୋଜି ପରେ ନ ପାଇବାରୁ ସ୍ବାମୀ ବିନୋଦ ଏୟାରଫିଲ୍ଡ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସକାଳେ ଟିକାତାଳ ବଜାର ପାଖ ୫୭ ନଂ ଜାତୀୟ ରାଜପଥ କଡ଼ରେ ଜଣେ ମହିଳାଙ୍କ ତଣ୍ଟିକଟା ଶବ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବେଗୁନିଆ ଥାନା ପୁଲିସ ପହଞ୍ଚି ଘଟଣାର ତନାଘନା କରିଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଖବର ପାଇ ଏସପି ଦୀପ୍ତିରଞ୍ଜନ ରାୟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏଣେ ବେଗୁନିଆରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଖବର ପାଇ ବିନୋଦ ସେଠାରେ ପହଞ୍ଚିଥିଲେ। ସେ ମୃତଦେହକୁ ଚିହ୍ନଟ କରିବା ପରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହାର ପ୍ରତିବାଦ ସ୍ବରୁପ ପଲାସପଲ୍ଲୀ‌ବାସୀ କଂଗ୍ରେସର ରଶ୍ମି ମହାପାତ୍ର ଓ ବିଜେପିର ମଦନ ମୋହନ ପ୍ରଧାନଙ୍କ ନେତୃତ୍ବରେ ନିଆଁ ଜାଳି ରାସ୍ତାରୋକ କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଦୀପ୍ତିଙ୍କ ତଣ୍ଟି କଟା ଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ରକ୍ତଛିଟା ପଡ଼ି ନଥିବାରୁ ଅନ୍ୟ ଜାଗାରେ ହତ୍ୟା କରାଯାଇ ଏଠାରେ ଶବ ଫିଙ୍ଗି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଲ୍‌ଆଇସି ଏଜେଣ୍ଟ ଭାବେ ଦୀପ୍ତିଙ୍କ ଭଲ ଲୋକ ସମ୍ପର୍କ ରହିଥିଲା। ସେଥିମଧ୍ୟରୁ ନୟାଗଡ଼ର ଜଣେ ଅଟୋଚାଳକ ତାଙ୍କଠାରୁ ୮୦ହଜାର ଟଙ୍କା ଧାର୍‌ ନେଇଥିଲେ। ନୟାଗଡ଼ ରାସ୍ତାରେ ବେଗୁନିଆ ଆସୁଥିବାରୁ ହତ୍ୟାକାଣ୍ଡ ପଛରେ ଏହି ଟଙ୍କା ନେଣଦେଣ ରହିଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe