ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ପ୍ରସଙ୍ଗ : ରୋଶନ୍‌ ବିରୋଧ‌‌‌‌ରେ ଲାଗିଲା ଏନ୍‌ଏସ୍‌ଏ

ହତ୍ୟା ଅଭିଯୁକ୍ତଙ୍କ ଶୋଭଯାତ୍ରା ମାମଲା : ଜାମିନ ବାତିଲ ପାଇଁ ହାଇକୋର୍ଟରେ କମିସନରେଟ୍‌ ପୁଲିସ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟାକାଣ୍ଡ‌ରେ ସାମିଲ ୪ ଅଭିଯୁକ୍ତ ଖୋଲା ଜିପ୍‌ରେ ଶୋଭାଯାତ୍ରା କରିବା ପ୍ରସଙ୍ଗକୁ ନେଇ କଠୋର ହୋଇଛି କମିସନରେଟ୍‌ ପୁଲିସ। ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା ଜାମିନ୍‌ ପାଇବା ପରେ ଶୋଭାଯାତ୍ରାରେ ଆସିଥିବା ସୁନ୍ଦରପଦା ତଳସାହିର ରୋଶନ ଜେନା ବିରୋଧରେ ଏନ୍‌ଏସ୍‌ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରିଛି। ଗତ ୧୪ ତାରିଖ ଦିନ ତାକୁ ଗିରଫ କରାଯାଇଥିବା ବେଳେ ଆଜି ତା’ର କେସ୍‌ ରେକର୍ଡରେ ଏନ୍‌ଏସ୍‌ଏ ଯୋଡ଼ା ଯାଇଛି। ଅମରେଶ ହତ୍ୟାକାଣ୍ଡ ସହ ତା’ ନାମ‌‌ରେ ୮ଟି ସଙ୍ଗିନ୍‌ ଆପରାଧିକ ମାମଲା ରହିଛି। କମିସନରେଟ୍‌ ପୁଲିସ ପୂର୍ବରୁ ୧୭ଜଣଙ୍କ ବିରୋଧରେ ଏନ୍‌ଏସ୍‌ଏ ବଳରେ ଚାର୍ଜଫ୍ରେମ୍‌ ପ୍ରସ୍ତୁତ କରିଥିବା ବେ‌ଳେ ରୋଶନ ୧୮ତମ ବୋଲି ସୂଚନା ମିଳିଛି।

ହତ୍ୟାକାଣ୍ଡ‌ରେ ସଂପୃକ୍ତ ଜଣେ ଅଭିଯୁକ୍ତ ଶୋଭାଯାତ୍ରାରେ ବୁଲି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ଓ ସାଧାରଣରେ ଭୟ ସଂଚାର ଉଦ୍ୟମ କରିବା ଏକ ଅପରାଧ। ତେଣୁ ଏହାକୁ ବିଚାରକୁ ନେଇ ଅଭି‌ଯୁକ୍ତ ବିରୋଧରେ ଏନ୍‌ଏସ୍‌ଏ ସୁପାରିସ କରାଯାଇଥିଲା। ଏନେଇ କୋର୍ଟ ମଞ୍ଜୁରି ପ୍ରଦାନ କରିଥିବା ସୂଚନା ମିଳିଛି। ଅପରପକ୍ଷେ ରୋଶନ୍‌ ସହ ଅନ୍ୟ ତିନି ଅଭିଯୁକ୍ତମାନେ ମଧ୍ୟ ଶୋଭାଯାତ୍ରା‌ରେ ଆସିଥିବାରୁ ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗିବା ସମ୍ଭାବନା ରହିଛି। ତେବେ ପୁରୁଣା ଆପରାଧିକ ରେକର୍ଡକୁ ବିବେଚନା କରାଯାଉଛି। ସେଭଳି ଅପରାଧର ରେକର୍ଡ ମିଳିଲେ, ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ପାଇଁ ବିଚାର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେବା ପରେ ଏହି ପ୍ରକ୍ରିୟା ଜୋରଦାର ହୋଇଛି। ପୂର୍ବରୁ ମାର୍କେଟ୍‌ ବିଲ୍ଡିଂ ଭଙ୍ଗାରୁଜା ଘଟଣାରେ ୧୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଏନଏସ୍‌ଏ ଲାଗୁ ହୋଇଥିଲା। ନିଶା କାରବାରରେ ମାତିଥିବା କେ‌ତେକ ଅଭ୍ୟାସଗତ ଅପରାଧୀଙ୍କୁ ମଧ୍ୟ ଠାବ କରାଯାଇ ଏନ୍‌ଏସ୍‌ଏ‌‌ରେ ବୁକ୍‌ କରାଯାଇଥିଲା। ଏବେ ମଧ୍ୟ ଅନେକ ଅଭିଯୁକ୍ତ ଜେଲ୍‌ରୁ ମୁକୁଳିବା ପରେ ପୁଣି ଅପରାଧରେ ମାତିଥିବା ପରିଲକ୍ଷିତ ହୋଇଛି। ସେମାନଙ୍କର ମଧ୍ୟ ତାଲିକା ପ୍ରସ୍ତୁତ ହେଉଛି। ଖୁବ୍‌ଶୀଘ୍ର ଏହି ସବୁ ଅପରାଧୀଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରାଯିବା ପାଇଁ ଚିନ୍ତା କରାଯାଉଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା। ଗତ ୧୦ ତାରିଖରେ ଅଭିଯୁକ୍ତ ରୋଶନ ସହ ୪ଜଣ ହାଇକୋର୍ଟରୁ ଜାମିନ ପାଇ ଝାରପଡ଼ା ଜେଲ୍‌ରୁ ଖୋଲା ଜିପ୍‌ରେ ସୁନ୍ଦରପଦା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ତତ୍ପର ହୋଇଉଠିଥିଲା। ଏହି ଶୋଭାଯାତ୍ରା ୫ଟି ଥାନା ଅଞ୍ଚଳ ଦେଇ ଆସିଥିବାରୁ ସମ୍ପୃକ୍ତ ଥାନାମାନଙ୍କରେ ୫ଟି ମାମଲା ରୁଜୁ କରି ପୁଲିସ ଧରପଗଡ଼ ଆରମ୍ଭ କରିଥିଲା। ଅଦ୍ୟାବଧି ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିବା ସହ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe