ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ରଡ୍‌ରେ ପିଟିପିଟି ହତ୍ୟା, ଜଣେ ଗୁରୁତର

Advertisment
ଜଶ୍ମୀରରେ ମହିଳା ଏସପିଓଙ୍କୁ ହତ୍ୟା

ଖଣ୍ଡଗିରି: ରାଜଧାନୀରେ ବଡ଼ବଡ଼ ଡକାୟତି, ସିରିଜ୍‌ ଲୁଟ୍‌ ପରି ଘଟଣା ପୁଲିସର ନିଦ ହଜେଇ ଦେଇଥିବା ବେଳେ ଆଜି ସନ୍ଧ୍ୟାରେ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ହୋଇଥିବା ବୀଭତ୍ସ ହତ୍ୟା ଘଟଣା କମିସନରେଟ୍‌ ପୁଲିସରେ ନୂଆ କରି ଯୋଗଦେଇଥିବା ପୁଲିସ ଅଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟିଛି ଏହି ହତ୍ୟାକାଣ୍ଡ। ତପୋବନବସ୍ତିର ଶିବଶଙ୍କର ଗୌଡ଼(୧୯) ନାମକ ଜଣେ ଯୁବକଙ୍କୁ ୧୦/୧୨ ଜଣ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଛନ୍ତି। ଆକ୍ରମଣରେ ଶିବ ସହିତ ଥିବା ଲିଙ୍ଗା ରେଡ୍ଡୀ(୨୪) ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଖଣ୍ଡଗିରି ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସତ୍ବେ ସେମାନଙ୍କ ଟେର୍ ପାଇ ନଥିବା ଜଣାପଡ଼ିଛି। publive-image

ସୂଚନାନୁସାରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଶିବ ଓ ଲିଙ୍ଗା ଏକ ଆଭେଞ୍ଜର ବାଇକ୍ ଯୋଗେ ବରମୁଣ୍ଡା ଫାୟାର୍ ଷ୍ଟେସନ୍‌ ଛକରୁ ଓଭରବ୍ରିଜ୍ ତଳ ରାସ୍ତା ଦେଇ ତପୋବନ ବସ୍ତିକୁ ଫେରୁଥିଲେ। ଏହି ସମୟରେ ବରମୁଣ୍ଡା ପୋଖରୀ ନିକଟ ରାସ୍ତାର ଅନ୍ଧାରିଆ ଜାଗାରେ ଠିଆ ହୋଇଥିବା ପ୍ରାୟ ୧୦/୧୨ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଶିବ ବ‌ାଇକ୍‌ ଅଟକାଇବା ମାତ୍ରେ ଜଣେ ଯୁବକ ବାଇକ୍‌ ଚାବି ଟାଣି ନେଇ ଯାଇଥିଲା। କିନ୍ତୁ ଶିବ ପ୍ରତିବାଦ କରିବା ପୂର୍ବରୁ ହଠାତ୍ ୪ ଜଣ ଲିଙ୍ଗାଙ୍କୁ ଟାଣି ଟାଣି ଦୂରକୁ ନେଇ ଯାଇଥିଲେ। ଅନ୍ୟମାନେ ଶିବକୁ ଲୁହାର ରଡ୍‌ରେ ପିଟିଥିଲେ। ଜଣେ ଶିବ ପେଟରେ କୌଣସି ଧାରୁଆ ଅସ୍ତ୍ର ପୂରାଇ ଦେଇଥିଲା। ଶିବ ରକ୍ତାକ୍ତ ହୋଇ ତଳେ ପଡ଼ିଥିବାବେଳେ ଅନ୍ୟମାନେ ଲିଙ୍ଗାକୁ ମାଡ଼ ମାରି ରାସ୍ତା କଡ଼ ନାଳ ଭିତରକୁ ଠେଲି ଦେଇଥିଲେ। ମାତ୍ର ୫ ମିନିଟ୍‌ ଭିତରେ ଏହି କାଣ୍ଡ ଘଟାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ ନେଇଥିଲା। ମାତ୍ର ସେଠାରେ ଶିବକୁ ମୃତ ଘୋଷଣା କରାଯାଇଥିଲା। ଶିବର ପେଟରେ କ୍ଷତ ସୃଷ୍ଟି ହୋଇଥିବାବେଳେ ମୁଣ୍ଡରୁ ମଧ୍ୟ ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି। ଆହତ ଲିଙ୍ଗା ପୁଲିସକୁ ଦେଇଥିବା ସୂଚନାନୁସାରେ ଆକ୍ରମଣକାରୀମାନଙ୍କୁ ସେ ଜାଣି ନଥିଲେ ବି ପ୍ରାୟ ସବୁ ସ୍ଥାନୀୟ ଅଞ୍ଚଳର। ସେ ସେମାନଙ୍କ ନାଁ କହିପାରୁ ନଥିବାବେଳେ ସେମାନଙ୍କୁ ବରମୁଣ୍ଡା ଅଞ୍ଚଳରେ ବହୁ ସମୟରେ ଦେଖିଛି ବୋଲି କହିଛି। ପୁଲିସ ଏହି ସୂଚନା ଆଧାରରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେତେଜଣଙ୍କୁ ଚିହ୍ନଟ କରିଥିବ‌ା ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ବାବଦରେ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ଏପରି ଘଟିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତ ଦୁଇ ଦିନ ତଳେ ଶିବ ସହ ଉକ୍ତ ଆକ୍ରମଣକାରୀମାନଙ୍କ ଗଣ୍ଡଗୋଳ ଘଟିଥିଲା ବୋଲି କୁହାଯାଉଛି। ସେହିମାନେ ହିଁ ଶିବକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ଶିବର ବାପା ଆକୁଳି ଗୌଡ଼କୁ ଅଧିକ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe