ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବର୍ଷକର ପୁଅକୁ ଭଗବାନ ବଞ୍ଚାଇଦେଲେ, ଘଟଣାସ୍ଥଳରୁ କଟୁରି, ବହ୍ଲା ଜବତ, କେତେ ସୁରକ୍ଷିତ ରାଜଧାନୀ?

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଭୁବନେଶ୍ବର: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ। ଦୁଇ ଦୁଇଟି ଥାନାର କେନ୍ଦ୍ରସ୍ଥଳ। ଚାରିପାଖରେ ବିଧାୟକ, ମନ୍ତ୍ରୀ, ଭିଆଇପି, ଭିଭିଆଇପିଙ୍କ ବାସଭବନ। ପୁଲିସ କମିସନରଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ଶହ ମିଟର ଦୂରତା। କ୍ୟାପିଟାଲ ଥାନାର ଦୂରତା ହେବ ୧ କିଲୋମିଟର ଭିତରେ। ସେହିପରି ଖାରବେଳନଗର ଥାନାର ଦୂରତା ପ୍ରାୟ ଦେଢ଼ କିଲୋମିଟର ଭିତରେ ହେବ। ପାଖରେ ପୁଲିସର କ୍ୟାମ୍ପ ମଧ୍ୟ ରହିଛି। କିନ୍ତୁ ସବୁ ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇ ଅପରାଧୀ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି।

ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବହ୍ଲାରେ ପିଟି ପିଟି ହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ସୌଭାଗ୍ୟବଶତଃ ପାଖରେ ଥିବା ବର୍ଷକର ପୁଅ ଅଳ୍ପକେ ବର୍ତ୍ତିଯାଇଛି। ମୃତକ ହେଲେ, ବବୁଲୁ ବେହେରା(୨୫)। ମୃତକଙ୍କ ପତ୍ନୀ ପୂଜାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛୋଟ ପୁଅକୁ ଚାଇଲ୍ଡଲାଇନ୍ ନିଜ ହେପାଜତକୁ ନେଇଛି। ଖାରବେଳନଗର ଥାନା ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ଘଟଣାସ୍ଥଳରୁ ଗୋଟିଏ କଟୁରି ଓ ବହ୍ଲା ଜବତ କରାଯାଇଛି। ଏହି ଲୋମଟାଙ୍କୁରା ଘଟଣା ଆଜି ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏପଟେ ଚୋର, ଲୁଟେରା ଆତଙ୍କ ଖେଳାଉଥିବା ବେଳେ ଅନ୍ୟପଟେ ରାଜଧାନୀର ହୁଗୁଳା ପୁଲିସ ବ୍ୟବସ୍ଥାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି।

ସୂଚନା ମୁତାବକ, ସୋମବାର ସକାଳ ପାଖାପାଖି ୬ଟାରେ ଜଣେ ସିକ୍ୟୁରିଟି ଗାର୍ଡ ପିଏମ୍‌ଜିକୁ ଲାଗି କରି ରହିଥିବା ପୋଷ୍ଟାଲ ଏଟିଏମ୍‌ କାଉଣ୍ଟର୍‌ ଖୋଲିବା ପାଇଁ ଆସିଥିଲେ। ଜଣେ ଯୁବକ ଓ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପାଖରେ ଛୋଟିଆ ପୁଅ କାନ୍ଦୁଥାଏ। ଚାରିଆଡ଼େ ବୋହିଥାଏ ରକ୍ତର ଧାର। ଏଭଳି ସ୍ଥିତି ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ସେ ସେମାନଙ୍କୁ ଡାକିଥିଲେ। ହେଲେ କେହି ଜବାବ ଦେଇନଥିଲେ। ସିକ୍ୟୁରିଟି ଗାର୍ଡଜଣକ ତୁରନ୍ତ ସେଠାକାର ଚା’ ଦୋକାନୀ ଓ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବବୁଲୁଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିବା ବେଳେ ପତ୍ନୀ ପୂଜାଙ୍କ ଶ୍ବାସକ୍ରିୟା ଚାଲିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଛୋଟ ପୁଅକୁ ଚାଇଲ୍ଡଲାଇକୁ ହସ୍ତାନ୍ତର କରାଯାଇଥିଲା। ପିଲାକୁ ଭଗବାନ ବଞ୍ଚାଇଦେଲେ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। ବବୁଲଙ୍କ ଡାହାଣ ପଟ କାନମୁଣ୍ଡାରେ ଗଭୀର କ୍ଷତ ରହିଥିବା ବେଳେ ପୂଜାଙ୍କ ଡାହାଣ ପଟ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା।

publive-image

ପାରିପାର୍ଶ୍ବିକ ସ୍ଥିତି ଯାହା କହୁଛି, ରବିବାର ରାତିରେ ଦମ୍ପତି ଖାଇ ସାରି ପୁଅକୁ ନେଇ ଏଟିଏମ୍‌ ସମ୍ମୁଖରେ ମଶାରି ଟାଙ୍ଗି ଶୋଇଥିଲେ। କେହି ଦୁର୍ବୃତ୍ତ ବବୁଲୁଙ୍କ କାନମୁଣ୍ଡାକୁ ବହ୍ଲାରେ ବାରମ୍ବାର ଆକ୍ରମଣ କରିଥିଲା। ଆକ୍ରମଣ ଫଳରେ ଡାହଣପଟ କନମୁଣ୍ଡାରେ ଗଭୀର କ୍ଷତରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ବାମୀକୁ ଆକ୍ରମଣ ହେଉଥିବା ଦେଖି ପୂଜା ପ୍ରତିବାଦ କରିଥିବା ଅନୁମାନ କରାଯାଉଛି। ଏହା ପରେ ଦୁର୍ବୃତ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲା।

ଉକ୍ତ ଦମ୍ପତି ଶ୍ରମିକ ଶ୍ରେଣୀର ହୋଇଥିବାରୁ ପାଖରେ କିଛି ଟଙ୍କା ରହିଥିବା ମଧ୍ୟ ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଆସି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। କିମ୍ବା ପୂର୍ବରୁ କୌଣସି କାମକୁ ନେଇ ଟଙ୍କା ଭାଗବଣ୍ଟାକୁ ଏପରି କାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଅପରାଧୀମାନେ କିନ୍ତୁ ହତ୍ୟାକାଣ୍ଡ ଘଟାଇବାକୁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଜବତ କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ସେହିପରି ସେଠାରେ ରାତିରେ ବୁଲୁଥିବା ଲୋକଙ୍କୁ ମଧ୍ୟ ସ୍କାନର୍‌କୁ ନେଇଛି ପୁଲିସ। ଆଇଜି ପାର୍କ ପାଖରେ ରାତିରେ ବୁଲୁଥିବା କେତେଜଣଙ୍କୁ ପଚରାଉଚରା କରାଯାଇଛି। ସ୍ଥାନୀୟ ଅଞ୍ଚଳରୁ ପୁଲିସ ତଥ୍ୟ ସଂଗ୍ରହ କରୁଛି। କାହା ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା କି? ସେ ଦିଗରେ ମଧ୍ୟ ପୁଲିସ ଛାନଭିନ୍ ଚଳାଇଛି। ସେହିପରି ପୂଜାଙ୍କ ବୟାନକୁ ମଧ୍ୟ ପୁଲିସ ଅପେକ୍ଷା କରିଛି। ଖୁବ୍‌ ଶୀଘ୍ର ମାମଲାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe