ମହିଳାଙ୍କୁ ଜାଳିଦେଲେ, ପରିତ୍ୟକ୍ତ ଘରୁ ଉଦ୍ଧାର ହେଲା ଅଧାପୋଡ଼ା ଶବ

Advertisment
ମହିଳାଙ୍କୁ ଜାଳିଦେଲେ, ପରିତ୍ୟକ୍ତ ଘରୁ ଉଦ୍ଧାର ହେଲା ଅଧାପୋଡ଼ା ଶବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ଗୋଶାଳା ପଡ଼ିଆ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପରିତ୍ୟକ୍ତ ଘରୁ ହାତଗୋଡ଼ ବନ୍ଧା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ମହିଳାଜଣକ ବିବାହିତ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ମୃତଦେହକୁ ଏଠାରେ ପୋଡ଼ିଦେବା ପାଇଁ ଉଦ୍ୟମ କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟାରେ ନିକଟସ୍ଥ ଶବରସାହିର ଜଣେ ବ୍ୟକ୍ତି ଗୋଶାଳା ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଏକ ପରିତ୍ୟକ୍ତ ଘର ନିକଟରୁ ଦୁର୍ଗନ୍ଧ ବାହାରୁ ଥିବାରୁ ନିକଟକୁ ଯାଇ ସେଠାରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ସୂଚନା ଦେବା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ। ଘଟଣାଟି ଜଟଣୀ ଓ ଟାଉନ୍ ଥାନା ସୀମାରେ ଥିବାରୁ ଜଟଣୀ ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୁଲିସ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ ସେଠାରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ମହିଳାଜଣକ ଲାଲ୍‌ ରଙ୍ଗର ସଲୱାର, କମିଜ ପିନ୍ଧିଥିଲେ। ତାଙ୍କୁ ବାଉଁଶ, ନିକଟରେ ଥିବା ଶୁଖିଲା କାଠ, ପତ୍ର ଆଦିରେ ପେଟ୍ରୋଲ୍ ଢାଳି ନିଆ ଲଗାଇ ଦିଆଯାଇଛି। ଫଳରେ ମହିଳାଙ୍କୁ ଚିହ୍ନିବା କଷ୍ଟକର ହୋଇଛି। ତେବେ ମୃତ ମହିଳାଙ୍କ ବୟସ ୨୦ରୁ ୨୫ ବର୍ଷ ହୋଇଥିବା ଏବଂ ମଥାରେ ସିନ୍ଦୂର, ହାତରେ ବ୍ରତ, କାଚ ଓ ପାଦରେ ପାଉଁଜି ଥିବାରୁ ମହିଳାଜଣକ ବିବାହିତ ବୋଲି ଅନୁମାନ କରାଯାଉଛି। ମହିଳାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ଓ ପୋଡ଼ିବା ଆଦିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏନେଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଛି। ମହିଳାଙ୍କୁ କିଭଳି ହତ୍ୟା କରାଯାଇଛି ଓ ହତ୍ୟା ପୂର୍ବରୁ ଦୁଷ୍କର୍ମ ହୋଇଛି କିମ୍ବା ନାହିଁ, ସେ ଗର୍ଭବତୀ ଅଛନ୍ତି ନା ନାହିଁ ଜାଣିବାକୁ ଫରେନ୍‌ସିକ୍ ଲ୍ୟାବ୍‌ର ସହାୟତା ନିଆଯାଇଛି। ଆଖପାଖରେ କୌଣସି ଥାନାରେ ମହିଳାଙ୍କ ନିଖୋଜ ଅଭିଯୋଗ ଦାଏର ହୋଇନାହିଁ। ଏଣୁ ଅନୁସନ୍ଧାନର ପରିସରକୁ ବ୍ୟାପକ କରାଯାଇଛି। ଜଟଣୀ ରେଳବାଇ ଇଲାକା, ନାଇଜର, ଏମସ୍‌, ମୁକୁନ୍ଦପ୍ରସାଦ, କୁମାରବସ୍ତ, ଆଇଓବି କ୍ୟାମ୍ପସ ଇଲାକା ଆଦିରେ ଛାନଭିନ୍‌ ଆରମ୍ଭ କରାଯାଇଛି। ମହିଳାଙ୍କ ମୃତଦେହକୁ ୩ ଦିନ ଶବାଗାରରେ ରଖାଯିବ। ଏହାପରେ ଆଇନାନୁସାରେ ସଂସ୍କାର କରାଯିବ ବୋଲି ଏସ୍‌ପି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe