ଧଉଳି: ଧଉଳି ଥାନା ପୁଲିସ ଆଜି ସକାଳୁ ବର୍ଦ୍ଧନପୁର ମୌଜା ଅଧୀନ ଦୟାନଦୀ ପଠାର ଏକ ଜଙ୍ଗଲିଆ ସ୍ଥାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରୁ ପୁଲିସକୁ ଏକ ହାତ ଘଣ୍ଟା, ଚପଲ, ମନି ପର୍ସ, ମଦ ବୋତଲ, ଖାଲି ପାଣି ବୋତଲ ଓ କାଗଜ ଚିଠା ମିଳିଛି। ଆଜି ସକାଳେ ନଦୀପଠାକୁ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ପ୍ରଥମେ ଶବଟିକୁ ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ପଦାକୁ ଆସିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ ମୃତକଙ୍କ ପରିଚୟ ପାଇ ପାରିନାହିଁ। ମୃତକଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ଉଚ୍ଚତା ୫ ଫୁଟ୍ ୪ ଇଞ୍ଚ, ରଙ୍ଗ ଗୌର ଓ ପତଳା ଶରୀର। ସେ ମାଟିଆ ରଙ୍ଗର ପ୍ୟାଣ୍ଟ ଓ ଲାଲ ଚେକ୍ ସାର୍ଟ ପିନ୍ଧିଥିଲେ। ଅତି ବେଶିରେ ୨୪ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ନଦୀପଠାର ଏକ ନିକାଞ୍ଚନ ସ୍ଥାନରେ ରକ୍ତାକ୍ତ ଅବସ୍ଥାରେ ଶବଟି ପଡ଼ି ରହିଥିଲା। ନାକ, ପାଟି ଓ ଆଖିରୁ ରକ୍ତ ଧାର ବୋହିବାର ଚିହ୍ନ ଥିଲା। ନଦୀଠାରୁ ପ୍ରାୟ ୩୦୦ ମିଟର ଦୂରରେ ମୃତଦେହ ପଡ଼ିଥିବାରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟି ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ତେଣୁ ଯୁବକଙ୍କୁ ଏଠାରେ କିମ୍ବା ଅନ୍ୟ କେଉଁଠି ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ସେହିପରି ମୃତଦେହ ନିକଟରୁ ମଦ ବୋତଲ ମିଳିଥିବାରୁ ସନ୍ଦେହକୁ ଅଧିକ ଘନୀଭୂତ କରୁଛି। ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡଗୋଳରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅପରପେକ୍ଷ ଧଉଳି ଥାନା ଅଧିକାରୀଙ୍କ କହିବା ମୁତାବକ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
Follow Us