ମ୍ୟୁଜିୟମ ଛକରେ ରାସ୍ତା ଉପରେ ସୌନ୍ଦର୍ଯ୍ୟୀକରଣ : କାହା ଚାପରେ ସମସ୍ତେ ଚୁପ୍?

Advertisment

ବିଏମ୍‌ସି ଆଖି ଦେଖାଇଲା, ଚୁପ୍ ବସିଗଲା, ରାସ୍ତା ସମ୍ପ୍ରସାରଣ ବେଳେ ପୂର୍ତ୍ତ ବିଭାଗ ଭାଙ୍ଗିବ: ବିଏମ୍‌ସି, ପେଟପାଟଣାଠାରୁ କ’ଣ ସୌନ୍ଦର୍ଯ୍ୟକରଣ ବଡ଼?

ବିଏମ୍‌ସି ଆଖି ଦେଖାଇଲା, ଚୁପ୍ ବସିଗଲା, ରାସ୍ତା ସମ୍ପ୍ରସାରଣ ବେଳେ ପୂର୍ତ୍ତ ବିଭାଗ ଭାଙ୍ଗିବ: ବିଏମ୍‌ସି, ପେଟପାଟଣାଠାରୁ କ’ଣ ସୌନ୍ଦର୍ଯ୍ୟକରଣ ବଡ଼?

ମ୍ୟୁଜିୟମ ଛକରେ ରାସ୍ତା ଉପରେ ସୌନ୍ଦର୍ଯ୍ୟୀକରଣ : କାହା ଚାପରେ ସମସ୍ତେ ଚୁପ୍?

ଭୁବନେଶ୍ବର : ‘କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।’ ମ୍ୟୁଜିୟମ ଛକ ନିକଟରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନେଇ ଏପରି କୁହାଯାଉଛି। ଛକ ଉପରେ ଏକ ସପିଂ ମଲ୍‌ ଖୋଲିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ବାବୁମାନେ ପ୍ରାୟ ୩୦ଫୁଟ ଓସାରରେ ରାସ୍ତା ଜବରଦଖଲ କରିବାକୁ ହାତ କାଟି ଅନୁମତି ଦେଇ ଦେଇଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ବିଏମ୍‌ସିର ବାବୁମାନେ ଲୋକଙ୍କ ଅସୁବିଧାକୁ ବୁଝୁଥିଲେ ହେଁ ବଡ଼ ବାବୁଙ୍କ ଭୟରେ କେହି କିଛି ପଦକ୍ଷେପ ନେବାକୁ ଡରୁଛନ୍ତି।

ରାଜଧାନୀବାସୀ ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ ସାମ୍ନାରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼ ପାଇଁ କଟକ ରୋଡରେ ରସୁଲଗଡ଼ ଛକକୁ ଆସିବାକୁ ଡରୁଥିବା ବେଳେ ଏହାକୁ ଏବେ ମ୍ୟୁଜିୟମ ଛକ ବଳିଯିବାକୁ ବସିଲାଣି। ନିକଟରେ ମ୍ୟୁଜିୟମ ଛକରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌ ଖୋଲିଛି। ଏହା ସମ୍ମୁଖରେ ଏବେଠୁ ଅସମ୍ଭାଳ ଭିଡ଼ ଦେଖାଦେଲାଣି। ମଲ୍‌କୁ ଗାଡ଼ି ଯାତାୟାତ କରିବାରେ ଯେତିକି ଭିଡ଼ ଜମୁନି, ତା’ଠାରୁ ଅଧିକ ଭିଡ଼ ଜମୁଛି ମଲ୍‌ ସମ୍ମୁଖରେ ଯାତାୟାତ ପାଇଁ। କାରଣ ଏଠାରେ ପ୍ରାୟ ୩୦ଫୁଟ ଓସାରରେ ୫୦ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତାକୁ ମଲ୍‌ କର୍ତ୍ତୃପକ୍ଷ ସୌନ୍ଦର୍ଯ୍ୟକରଣ ପାଇଁ ଦଖଲ କରି ନେଇଛନ୍ତି। ଏଥିରେ ମଲ୍‌ କର୍ତ୍ତୃପକ୍ଷଙ୍କ ଯେତିକି ଦୋଷ ନାହିଁ, ତା’ଠାରୁ ଅଧିକ ଦୋଷ ବିଏମ୍‌ସିର। କାରଣ ଏହି ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମ୍‌ସି ହିଁ ଏନ୍ଓସି ଦେଇଛି। ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଛକ କୁହାଯାଉଥିବା କଳ୍ପନା-ମ୍ୟୁଜିୟମ ଛକ ଉପରେ କିପରି ବିଏମ୍‌ସି ରାସ୍ତା ଉପରେ ସୌନ୍ଦର୍ଯ୍ୟକରଣ ପାଇଁ ଅନୁମତି ଦେଲା ସେନେଇ ପ୍ରଶ୍ନ ଉଠୁଛି।

publive-image

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୨୦୧୫ ମସିହାରେ ବିଏମ୍‌ସି ମଲ୍‌ ସମ୍ମୁଖରେ ସୌନ୍ଦର୍ଯ୍ୟକରଣ କରିବାକୁ ଅନୁମତି ଦେଇଥିଲା। ଏହା ବଦଳରେ ମଲ୍‌ ପକ୍ଷରୁ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରିବାକୁ ବି ସର୍ତ୍ତ ରଖାଯାଇଥିଲା। ତେଣୁ ମଲ୍‌ କର୍ତ୍ତୃପକ୍ଷ ଏହି ରାସ୍ତାର ବି ସୌନ୍ଦର୍ଯ୍ୟକରଣ କରିବେ। ଏବେ ଆମେ କିଛି ଅନୁମତି ଦେଇନୁ।

ଅପରପକ୍ଷେ ଭିଡ଼କୁ ନଜରରେ ରଖି ଆମେ ମଲ୍‌ ସମ୍ମୁଖରେ ରାସ୍ତା ଏବଂ କେତେ ଅଞ୍ଚଳ ସରକାରୀ ଜମି ମାଡ଼ି ବସିଛି, ତାହାକୁ ମାପଚୁପ କରିଥିଲୁ। ଏନେଇ ମଲ୍‌ କର୍ତ୍ତୃପକ୍ଷଙ୍କୁ ବି କହିଥିଲୁ। ଅପରପକ୍ଷେ ମଲ୍‌ ଦଖଲରେ ଥିବା ସରକାରୀ ଜମି ଉପରେ ପୂର୍ତ୍ତ ବିଭାଗ ନୂଆ ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛି। ମାଉସୀ ମା’ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହେବାକୁ ଥିବା ବେଳେ ଏଥିରେ ଏହି ଅଞ୍ଚଳ ଯିବ। ତେଣୁ ଯେତେବେଳେ ପୂର୍ତ୍ତ ବିଭାଗ ରାସ୍ତା କରିବ ସେତେବେଳେ ମଲ୍‌ ଯେଉଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିଛି ତାକୁ ଭାଙ୍ଗିପାରିବ ବୋଲି ମଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ୪ବର୍ଷ ତଳୁ ଅନୁମତି ଦିଆଯାଇଥିବାରୁ ଏବଂ ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିପାରିବ ବୋଲି ମଲ୍‌ କର୍ତ୍ତୃପକ୍ଷ ରାଜି ହୋଇଥିବାରୁ ଆମେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ କିଛି ପ୍ରତିବାଦ କରୁନୁ।

ବିଏମ୍‌ସି କମିସନର ମଲ୍‌ର ଜବରଦଖଲ ନେଇ ସୃଷ୍ଟି ହେବାକୁ ଥିବା ସମସ୍ୟା ସମ୍ପର୍କରେ ଅବଗତ ଥିଲେ ହେଁ ଦୃଢ କାର୍ଯ୍ୟାନୁଷ୍ଠାନ ନନେବା ପଛରେ ଅନ୍ୟ କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଲ୍‌ ସମ୍ମୁଖରେ ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୫ ମସିହାରେ ବିଏମ୍‌ସିର ପୂର୍ବତନ କମିସନର ତଥା ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଅନୁମତି ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ ଅନୁମତି ଦେଇଥିବାରୁ ବର୍ତ୍ତମାନର କମିସନର ଏଥିରେ କେଁ ପୂରାଇବାକୁ ଚାହୁଁନାହାନ୍ତି। ଏପଟେ ତତ୍କାଳୀନ କମିସନର ଏବେ ପୂର୍ତ୍ତ ସଚିବ ଥିବା ବେଳେ ଏଠାରେ ପୂର୍ତ୍ତ ବିଭାଗ ରାସ୍ତା କରିବାକୁ ଯୋଜନା କରିଛି। ତେଣୁ ଯିଏ ଅନୁମତି ‌େଦଇଛନ୍ତି ତାଙ୍କୁ ରାସ୍ତା ସମସ୍ୟା ନେଇ ବୁଝାଇବାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ବି ସାହସ କରୁନାହାନ୍ତି। ଯେତେବେଳେ ରାସ୍ତା ହେବ ସେତେବେଳେ ଦେଖାଯିବ ବୋଲି କହି ସମସ୍ତେ ଚୁପ୍ ବସି ଯାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ମଲ୍‌ର ସୌନ୍ଦର୍ଯ୍ୟକରଣ ପାଇଁ ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ଛକ ଉପରେ ଯଦି ରାସ୍ତା ଜବରଦଖଲ କରିବାକୁ ଏନ୍‌ଓସି ଦିଆଯାଇପାରୁଛି, ତେବେ ନିଜର ପେଟପାଟଣା ପାଇଁ ଯଦି କିଏ ରାସ୍ତା କଡ଼ରେ କ୍ୟାବିନ୍‌ ପକାଉଛି, ତେବେ ତାକୁ କାହିଁକି ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଉଛି। ଲୋକଙ୍କର ପେଟ ପୋଷିବାଠାରୁ କ’ଣ ସୌନ୍ଦର୍ଯ୍ୟକରଣ ବଡ଼? ନା ସବୁ ନିୟମ କିଛି ଅଧିକାରୀଙ୍କ ଆଗରେ ତୁଚ୍ଛ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe