ଜୟଦେବ ଭବନରେ ‘କମଳ ଦେଶର ନୂଆ କଳିକା’ : କଣ୍ଠର ଯାଦୁ ଦେଖାଇଲେ ନୂଆ ପ୍ରତିଭା

ଜୟଦେବ ଭବନରେ ‘କମଳ ଦେଶର ନୂଆ କଳିକା’ : କଣ୍ଠର ଯାଦୁ ଦେଖାଇଲେ ନୂଆ ପ୍ରତିଭା

ଭୁବନେଶ୍ୱର : ବୟସରେ ସମସ୍ତେ କମ୍‌। କିନ୍ତୁ ପ୍ରତିଭାରେ କେହି କମ୍‌ ନୁହନ୍ତି। ସେମାନେ ସଙ୍ଗୀତ ଦୁନିଆର ମୁଖ୍ୟସ୍ରୋତକୁ ସମ୍ପୂର୍ଣ୍ଣ ଆସି ନ ଥିଲେ ବି ଭବିଷ୍ୟତ ପାଇଁ ଅନେକ ସମ୍ଭାବନା ରଖିଥିବା ବାରି ହୋଇପଡ଼ୁଥିଲା। ନିଜର କଣ୍ଠର ଯାଦୁରେ ଜୟଦେବ ଭବନର ଭରପୂର ଶ୍ରୋତାଙ୍କୁ ଆଜି ଦୀର୍ଘ ସମୟ ବାନ୍ଧି ରଖିଥିଲେ। ଅବସର ଥିଲା ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ସଙ୍ଗୀତ ଆସର ‘କମଳ ଦେଶର ନୂଆକଳିକା’। ୧୨ ଜଣ ପ୍ରତିଭାସମ୍ପନ୍ନ ଶିଶୁ-କିଶୋର କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡ଼ିକ ପରିବେଷଣ କରିଥିଲେ।

ଆଜି ପରିବେଷିତ ହୋଇଥିବା ଗୀତଗୁଡ଼ିକ ମଧ୍ୟରେ ଥିଲା ‘ବିଶ୍ୱ ଜଗନ୍ନାଥ, ବ୍ରହ୍ମ ଜଗନ୍ନାଥ’, ‘ନମସ୍ତେ ପ୍ରଭୁ ଜଗନ୍ନାଥ’, ‘ମାଝିରେ..’, ‘ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର...’, ‘ଏମିତି ବି ନଦୀ ଅଛି ଯିଏ’, ‘ହେ ଫଗୁଣ କାନ୍ଦନାରେ’ ଇତ୍ୟାଦି। କଣ୍ଠଶିଳ୍ପୀମାନେ ଥିଲେ ସତ୍ୟ ସାର୍ଥକ, ଆର୍ଯ୍ୟନ୍‌, ନେହା ନିହାରୀକା, ସଞ୍ଚିତା, ନଇଶା ମିଶ୍ର, ତନୁଶ୍ରୀ ଜେନା, କ୍ରିଷ୍ଣା କିରଣ ଦୀକ୍ଷିତ, ଅଭିଷେକ ରାୟ, ଅଭିଜିତ ପାଢ଼ୀ, ଅନନ୍ୟା ଆଚାର୍ଯ୍ୟ, ସଂସ୍କୃତି ଶର୍ମା ଓ ଦେବାଂଶୀ। ଡ. ଜେନାମଣି ସଞ୍ଜୀବ କୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନିଜେ ପ୍ରଫୁଲ୍ଲ କର ଉପସ୍ଥିତ ରହି କଣ୍ଠଶିଳ୍ପୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ମହାପ୍ରସାଦ କର ମଞ୍ଚ ଉପରକୁ ଯାଇ ପିଲାମାନଙ୍କ ସହ ଗୀତ ଗାଇ ସେମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ। ନୂଆ ପିଢ଼ିର ଏହି କଣ୍ଠଶିଳ୍ପୀମାନେ ପ୍ରଫୁଲ୍ଲ କରଙ୍କ ପରି ସୁନାମ ଅର୍ଜନ କରିବେ ବୋଲି ଅତିଥିମାନେ ଆଶାପ୍ରକଟ କରିଥିଲେ। ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବରେ ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଦାଶ ଓ ସଂସ୍କାରର ସାଧାରଣ ସମ୍ପାଦକ ମହାଦୀପ କର ଧନ୍ୟବାଦ ଅର୍ପଣ କରିଥିଲେ। ଫାଉଣ୍ଡେସନ୍‌ର ସଦସ୍ୟ ବିଶ୍ୱରଞ୍ଜନ ଦାଶ, ବିମଳ ଦାସ, ଶିତିକଣ୍ଠ ସେନାପତି, ପରେଶ ମହନ୍ତ, ସାଲୁଟ୍‌ ସାହୁ ଓ ସଂତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe