ଟ୍ରାଫିକ୍‌ ଛକରେ ଧସେଇ ପଶିଲା ମୋ’ ବସ୍‌: ଅଳ୍ପକେ ଟଳିଗଲା ଦୁର୍ଘଟଣା

Advertisment

ବନ୍ଧାହେଲା ବେପରୁଆ ଚାଳକ, ବସ୍‌ ଜବତକଲା ଟ୍ରାଫିକ୍‌ ଥାନା

ବନ୍ଧାହେଲା ବେପରୁଆ ଚାଳକ, ବସ୍‌ ଜବତକଲା ଟ୍ରାଫିକ୍‌ ଥାନା

ଟ୍ରାଫିକ୍‌ ଛକରେ ଧସେଇ ପଶିଲା ମୋ’ ବସ୍‌: ଅଳ୍ପକେ ଟଳିଗଲା ଦୁର୍ଘଟଣା

ଭୁବନେଶ୍ବର: ସମୟ ରାତି ପ୍ରାୟ ସାଢ଼େ ୮। ଛକରେ ଟ୍ରାଫିକ୍‌ ପୁଲିସ ଥିଲା। ରେଡ୍‌ ଲାଇଟ୍‌ ଜଳୁଥିଲା। ତେଣୁ ଟ୍ରାଫିକ୍‌ ଛକରେ ବହୁ ଗାଡ଼ି ଗ୍ରିନ୍‌ ଲାଇଟ୍‌କୁ ଅପେକ୍ଷା କରିଥିଲେ। ଏତିକିବେଳେ ମୋ’ ବସ୍‌ଟି ଧସେଇ ପଶିଲା ଟ୍ରାଫିକ୍‌ ଛକରେ। ଛକର ଗୋଟିଏ ପଟୁ ଯାନବାହାନ ଚଳାଚଳ ଚାଲିଥିଲା। କିନ୍ତୁ ମୋ’ ବସ୍‌ ଚାଳକର ସେଆଡ଼କୁ ନିଘା ନଥିଲା। ମୋ’ ବସ୍‌ଟି ଟ୍ରାଫିକ୍‌ ନିୟମ ଭାଙ୍ଗି ଦ୍ରୁତଗତିରେ ପଶିଯିବାରୁ ଭୟରେ ଅନ୍ୟ ଗାଡ଼ିଗୁଡ଼ିକ ଏଣେତେଣେ ପଶିଯାଇଥିଲେ। ସୌଭାଗ୍ୟକୁ ଦୁର୍ଘଟଣା ଘଟିନଥିଲା। ମୋ’ ବସ୍‌ଟି ସେଠାରୁ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ନୂଆପଲ୍ଲୀ ବେହେରାସାହି ଟ୍ରାଫିକ୍‌ ଛକରେ ଜଣେ ମୋ’ବସ୍‌ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାଫିକ୍‌ ଥାନା ୨ ପୁଲିସ ଚାଳକକୁ ଗିରଫ କରିଛି। ସେ ହେଲା ସପନ ସ୍ବାଇଁ।

ସୂଚନା‌ ମୁତାବକ ବେହେରାସାହି ଟ୍ରାଫିକ୍‌ ଛକରେ ରେଡ୍‌ ସିଗ୍‌ନାଲ୍‌ ଥାଏ ଏବଂ ଅନ୍ୟପଟେ ଗ୍ରିନ୍‌ ସିଗ୍‌ନାଲ ଯୋଗୁଁ ଯାନବାହାନ ଯାତାୟାତ କରୁଥାଏ। ଏତିକିବେଳେ ଜୟଦେବବିହାର ପଟୁ ଦ୍ରୁତଗତିରେ ଆସୁଥିବା ମୋ’ ବସ୍‌ (ଓଡି-୩୩-ଏଜେ-୨୮୦୮) ରେଡ୍‌ ସିଗ୍‌ନାଲ୍‌ ନ ମାନି ଟ୍ରାଫିକ୍‌ ଛକ ଦେଇ ଅତିକ୍ରମ କରିଥିଲା। କିନ୍ତୁ ସେତେ‌ବେଳେ ଟ୍ରାଫିକ୍‌ ଛକ ଅତିକ୍ରମ କରୁଥିବା ଗାଡ଼ିଗୁଡ଼ିକ ବସ୍‌କୁ ଦେଖି ଅଟକି ଯିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା। ଟ୍ରାଫିକ୍‌ ପୁଲିସ ଥିବା ସତ୍ତ୍ବେ ମୋ’ ବସ୍‌ ସେଠାରୁ ପଳାଇଯିବାରୁ ‌ଲୋକମା‌ନେ ହୋ-ହଲ୍ଲା କରିଥିଲେ। ଡିଉଟିରେ ଥିବା ଟ୍ରାଫିକ୍‌ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ। ପରେ ପୁଲିସ ସିସିଟିଭି ଫୁଟେଜ୍‌ରୁ ମୋ’ ବସ୍‌କୁ ଚିହ୍ନଟ କରିଥିଲା। ସୂଚନାଯୋଗ୍ୟ ଯେ ଦିନକୁ ଦିନ ରାଜଧାନୀରେ ବଢ଼ୁଥିବା ମୋ’ ବସ୍‌ ଚାଳକଙ୍କ ଉତ୍ପାତ ଓ ବେପରୁଆ ଗାଡ଼ି ଚାଳନା ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ ଲଗାଇଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe