ଭୁବନେଶ୍ବର: ଶୀତ ଋତୁରେ କୋଭିଡ ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାର ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ନିରାପତ୍ତା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ନୂଆ ଗାଇଡଲାଇନ୍। ବିଏମସି ପକ୍ଷରୁ ଆଜି ଏହା ଟୁଇଟ୍ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିଏମସି ଅଞ୍ଚଳରେ ଜନଗହଳି ଉପରେ ଅଙ୍କୁଶ ଲଗାଯିବା ସହିତ ମାସ୍କ ପିନ୍ଧିବା ଓ ବ୍ୟକ୍ତିଗତ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ।
୧. ବିବାହ ଆଦି କାମରେ ୧୦୦ରୁ ୨୦୦ଜଣ ଲୋକ ଉପସ୍ଥିତ ରହିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ଥାନୀୟ ପୁଲିସ ଷ୍ଟେସନ ଓ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି। ବିବାହ ସମୟରେ ପ୍ରୋସେସନକୁ କଡ଼ାକଡ଼ି ବାରଣ କରାଯାଇଛି।
୨. ଜ୍ବର, କାଶ ଓ ଥଣ୍ଡା ହୋଇଥିବା ଲୋକଙ୍କୁ କୌଣସି ବିବାହ, ବ୍ରତ ଓ ଶବ ସତ୍କାର ଆଦି କାମରେ ସାମିଲ ହେବାକୁ ଅନୁମତି ନାହିଁ। ଏଥିସହିତ ବିଶେଷ ଭାବେ ଏଭଳି ଜନଗହଳି ସ୍ଥାନକୁ ଯିବାକୁ ବୃଦ୍ଧ/ବୃଦ୍ଧା ଓ ଅନ୍ତସତ୍ତ୍ବା ଏବଂ ୧୦ବର୍ଷରୁ କମ୍ ପିଲାକୁ ବାରଣ କରାଯାଇଛି।
୩. କୌଣସି ବିବାହ, ବ୍ରତ ଓ ଶବ ସତ୍କାରରେ ସାମିଲ ହେବା ପୂର୍ବରୁ ପ୍ରବେଶ ଦ୍ବାରରେ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି।
୪. କେବଳ ଏତିକି ନୁହେଁ, ସଚେତନତା ଦୃଷ୍ଟିରୁ ଏଭଳି ସ୍ଥାନମାନଙ୍କରେ ନିଜନିଜ ଭିତରେ ଅତିକମରେ ୬ଫୁଟ ଦୂରତା ରଖିବା ଜରୁରୀ ବୋଲି କୁହାଯାଇଛି।
୫. ବିବାହ, ବ୍ରତ ଓ ପାରଲୌକିକ କାର୍ଯ୍ୟ ଭଳି ସ୍ଥାନରେ ଖାଇବା ସମୟକୁ ଛାଡ଼ି ଦେଲେ ମାସ୍କ ବ୍ୟବହାର ବାଧ୍ୟତାମୂଳକ।
୬. ଏଭଳି କାମ ଚାଲିଥିବା ହଲ କି ଘର ପାଖରେ ଛେପ ପକାଇବା ସହିତ ଗୁଟ୍କା, ତମାଖୁ ଏବଂ ନିଶାଦ୍ରବ୍ୟ ସେବନ ନିଷିଦ୍ଧ କରାଯାଇଛି।
୭ . ବିବାହ ଓ ଶବ ସତ୍କାର ଭଳି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସେହି ସ୍ଥାନରେ ସାନିଟାଇଜର ସହିତ ହାତ ଧୋଇବାର ବ୍ୟବସ୍ଥା କରିଥିବା ନିହାତି ଜରୁରୀ ।
୮. ସେହିପରି ଅତିଥିଙ୍କ ଖାଇବା ପାଇଁ ପରଷା ଯିବା ଡାଇନିଂ ଟେବୁଲ ମଧ୍ୟରେ ୬ଫୁଟ ଦୂରତା ରଖାଯିବାକୁ ଗାଇଡଲାଇନରେ କୁହାଯାଇଛି।
୯. ଏହି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୧୦. ଆଗାମୀ ନିର୍ଦେଶ ନବାହାରିବା ଯାଏଁ ଏହି ନିୟମ ନଭେମ୍ବର ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ।
୧୧. ତେବେ କଲ୍ୟାଣ ମଣ୍ଡପ/ଆଲୋଚନା ଗୃହ/ ବିବାହ ହଲ ଇତ୍ୟାଦିରେ କେଉଁ କାର୍ଯ୍ୟ ହେଉଛି ଓ କେତେଜଣ ଏଥିରେ ସାମିଲ ହେବେ ତାହା ମାଲିକ ବିବରଣୀ ଦେବେ । ଏଥିସହିତ ବିଏମସିରୁ ୭ଦିନ ପୂର୍ବରୁ ଏସବୁ ପାଇଁ ଅନୁମତି ଆଣିବାକୁ ପଡ଼ିବ।
Follow Us