୯ ହସ୍ପିଟାଲରେ ଶଯ୍ୟା ନ ପାଇ ନବବଧୂ ପ୍ରାଣ ହରାଇବା ଘଟଣା: ଲୋକ ଦେଖାଣିଆ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଶୂନ

୯ ହସ୍ପିଟାଲରେ ଶଯ୍ୟା ନ ପାଇ ନବବଧୂ ପ୍ରାଣ ହରାଇବା ଘଟଣା: ଲୋକ ଦେଖାଣିଆ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର : ଗତମାସ ୧୫ତାରିଖରେ ବାଲିପାଟଣା ଅଞ୍ଚଳର ଜଣେ ନବବଧୂ ରାଜଧାନୀର ୯ଟି ହସ୍ପିଟାଲ ବୁଲି ଶଯ୍ୟା ନ ପାଇଁ ଶେଷରେ ପ୍ରାଣ ହରାଇଲେ। ଏଭଳି ଏକ ଘଟଣା ସାରା ରାଜ୍ୟକୁ ଆନ୍ଦୋଳିତ କରିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଶେଷରେ ବାଧ୍ୟହୋଇ ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ ନିର୍ଦେଶ ଦେଇଥିଲା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ୩ଦିନ ଭିତରେ ତାହାର ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ତଦନ୍ତ ନିର୍ଦେଶକୁ ପ୍ରାୟ ୧୫ଦିନ ହେବାକୁ ବସିଲାଣି। କେଉଁଠି ତ୍ରୁଟି ରହିଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ସେ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଚୁପ୍। ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କଠାରୁ ଆରମ୍ଭ କରି ବିଭାଗର ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ କେହି ଏହା ସଂପର୍କରେ କହିବା ଲାଗି ଉଚିତ୍ ମଣୁ ନାହାନ୍ତି। ସ୍ବାସ୍ଥ୍ୟ ବିଭାଗ କେବଳ ଲୋକ ଦେଖାଣିଆ ଭାବେ ତଦନ୍ତ ନିର୍ଦେଶ ଦେଇ ଚୁପ୍ ବସିଯାଇଛି।

ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରି ଗ୍ରାମର ବିଷ୍ଣୁଚରଣ ଭୋଳଙ୍କ ସହିତ ସୋମଣା ପାଳସାହି ଗ୍ରାମର ସ୍ବର୍ଣ୍ଣଲତା ପାଳଙ୍କ ଏପ୍ରିଲ ୨୮ତାରିଖରେ ବିବାହ ହୋଇଥିଲା। କିଛିଦିନ ହେବ ତାଙ୍କର ଜ୍ବର ହୋଇଥିଲା। ଘରେ ରହି ଔଷଧ ଖାଉଥିଲେ। ମାତ୍ର ଜ୍ବର କମି ନ ଥିଲା। ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ ହେବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ‌ହେଲେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରି ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଢଙ୍ଗରେ କଟକ ଏସ୍‌ସିବିକୁ ରେଫର କରାଯାଇଥିଲା। ମାତ୍ର ପରିବାର ଲୋକ ଏସ୍‌ସିବି ନ ନେଇ ରାଜଧାନୀର ଏକାଧିକ ହସ୍ପିଟାଲକୁ ଯାଇଥିଲେ ହେଁ, କେଉଁଠି ଆଡମିସନ ମିଳି ନ ଥିଲା। ଶେଷରେ ଆମ୍ବୁଲାନ୍‌ସ ଭିତରେ ହିଁ ସ୍ବର୍ଣ୍ଣଲତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀରେ କୌଣସି କୋଭିଡ୍‌ ସନ୍ଦିଗ୍ଧଙ୍କ ହସ୍ପିଟାଲରେ ଆଡମିସନ ପାଇଁ କୋଭିଡ ରିପୋର୍ଟର ଆବଶ୍ୟକତା ନ ଥିବା କହିଛନ୍ତି। ଏହାସହ ଗତବର୍ଷ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ବାହାନାରେ ଯେପରି ରୋଗୀ ଚିକିତ୍ସା ଅଭାବରୁ ହସ୍ପିଟାଲରୁ ଫେରିବେ ନାହିଁ ସେଥିପାଇଁ ସବୁ ହସ୍ପିଟାଲକୁ ନିର୍ଦେଶ ଦିଆଯାଇଥିଲା। ଏହାସତ୍ବେ ମଧ୍ୟ ସ୍ବର୍ଣ୍ଣଲତାଙ୍କୁ କୌଣସି ହସ୍ପିଟାଲରେ ଆଡମିସନ ମିଳିଲା ନାହିଁ। ମୃତ ସ୍ବର୍ଣ୍ଣଲତାଙ୍କ ସ୍ବାମୀ ବିଷ୍ଣୁଚରଣ ଭୋଳ କହିଛନ୍ତି, ଗତମାସ ୨୧ତାରିଖରେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ପଚରାଉଚରା କରିଥିଲେ। ହେଲେ ଏହା ଭିତରେ ୧୨ଦିନ ବିତି ଯାଇଥିଲେ ହେଁ, ତାଙ୍କୁ କୌଣସି ଉତ୍ତର ମିଳିନାହିଁ। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ମତରେ ସ୍ବାସ୍ଥ୍ୟ ବିଭାଗ ମାଗିଥିବା ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେହେତୁ କ୍ୟାପିଟାଲ ହସ୍ପିଟାଲରୁ ସ୍ବର୍ଣ୍ଣଲତାଙ୍କୁ ଏସ୍‌ସିବି ରେଫର କରାଯାଇଥିଲା, ଏହି ବାହାନାରେ ପରିବାର ଲୋକଙ୍କ ଉପରେ ଦୋଷ ଠେଲି ଦିଆଯାଇ ପାରେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe