Nabakrishna Chaudhary Development Studies: ପଙ୍ଗୁ ପାଲଟିଛି ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର: ସରକାରୀ ଉଦାସୀନତାର ଶିକାର

୧୯୮୭ରେ ସ୍ଥାପିତ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର(ଏନ୍‌ସିଡିଏସ୍‌) ପଙ୍ଗୁ ହୋଇଗଲାଣି। ରାଜ୍ୟ ସରକାରଙ୍କ ଅବହେଳା ସହ କର୍ମଚାରୀଙ୍କ ଅବସର ଯୋଗୁଁ ଖାଲି ପଦ ପୂରଣ ହେଉନାହିଁ। ନିୟମିତ ବ୍ୟବଧାନରେ ଶିକ୍ଷା ନିର୍ଦ୍ଦେଶକ ଓ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ନିଯୁକ୍ତ ହେଉନାହାନ୍ତି।

nabakrushna

Photograph: (Justdial)

ଭୁବନେଶ୍ବର: ୧୯୮୭ରେ ସ୍ଥାପିତ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର(ଏନ୍‌ସିଡିଏସ୍‌) ପଙ୍ଗୁ ହୋଇଗଲାଣି। ରାଜ୍ୟ ସରକାରଙ୍କ ଅବହେଳା ସହ କର୍ମଚାରୀଙ୍କ ଅବସର ଯୋଗୁଁ ଖାଲି ପଦ ପୂରଣ ହେଉନାହିଁ। ନିୟମିତ ବ୍ୟବଧାନରେ ଶିକ୍ଷା ନିର୍ଦ୍ଦେଶକ ଓ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ନିଯୁକ୍ତ ହେଉନାହାନ୍ତି। ସହଯୋଗୀ ପ୍ରଫେସର ଗ୍ରେଡ୍‌ରେ କେବଳ ଦୁଇଜଣ ନିୟମିତ ଅଧ୍ୟାପକ ରହିଥିଲେ। ୨୦୨୦ରୁ ଏହି ପ୍ରତିଷ୍ଠାନରେ ନିୟମିତ ନିର୍ଦ୍ଦେଶକ ନାହାନ୍ତି। ୨୦୧୮ରେ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରୁ ଯୋଜନା ଓ ସମନ୍ବୟ ବିଭାଗକୁ ପ୍ରତିଷ୍ଠାନ ସ୍ଥାନାନ୍ତର ହେବା ପରେ ଏହାର ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି। ଜଣେ ଅତିରିକ୍ତ ସଚିବ ଏହାର ଭାରପ୍ରାପ୍ତ ନିର୍ଦ୍ଦେଶକ ରହିଛନ୍ତି।

ବିଶେଷକରି ‘ଏନ୍‌ସିଡିଏସ୍‌’ର ଅବସରପ୍ରାପ୍ତ କର୍ମଚାରୀମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନେ ଠିକ୍ ସମୟରେ ପେନ୍‌ସନ୍‌ ପାଉନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିସନଙ୍କ ସମେତ ଏନ୍‌ସିଡିଏସ୍‌ର ପଦାଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପେନ୍‌ସନ୍ ନିୟମ ଅନୁଯାୟୀ ଏନ୍‌ସିଡିଏସ୍‌ର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମୟ ସମୟରେ ପେନ୍‌ସନ୍‌ ଦିଆଯାଉଥିଲେ ମଧ୍ୟ ସଂଶୋଧିତ ଟିଆଇର କୌଣସି ବ୍ୟବସ୍ଥା କରାଯାଇନାହିଁ। ୨୦୦୨ ଏପ୍ରିଲ ୧୫ରେ ରାଜ୍ୟ ସରକାରଙ୍କ ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ ଏନ୍‌ସିଡିଏସ୍‌ର ଅବସରପ୍ରାପ୍ତ କର୍ମଚାରୀମାନେ ସମୟ ସମୟରେ ସଂଶୋଧିତ ଟିଆଇ ସହ ପିଏଫ୍‌, ଗ୍ରାଚ୍ୟୁଇଟି, ଛୁଟି ଏନ୍‌କ୍ୟାସ୍‌ମେଣ୍ଟ ଓ ପେନ୍‌ସନ୍ ପାଇବାକୁ ହକଦାର ହେବେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ।
ଅବସରପ୍ରାପ୍ତ କର୍ମଚାରୀଙ୍କ କହିବାନୁଯାୟୀ ଏହା ଏକ ମିଳିତ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ଏନ୍‌ସିଡିଏସ୍‌ କର୍ମଚାରୀଙ୍କୁ ପେନସନ ପ୍ରଦାନରେ ଆଇସିଏସ୍‌ଏସ୍‌ଆରର କୌଣସି ଅଂଶୀଦାର ନାହିଁ।

ସରକାରୀ ଉଦାସୀନତାର ଶିକାର
ପୂରଣ ହେଉନି ଖାଲି ପଦବି
ପେନ୍‌ସନ୍ ନପାଇ ଦୁର୍ଦ୍ଦଶାରେ ଅବସରପ୍ରାପ୍ତ କର୍ମଚାରୀ

ଏନ୍‌ସିଡିଏସ୍‌ର ଶିକ୍ଷାଗତ କର୍ମଚାରୀଙ୍କୁ ୟୁଜିସି ହାରରେ ବେତନ ଓ ଅଣ-ଶିକ୍ଷାଗତ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ହାରରେ ବେତନ ପ୍ରଦାନ କରାଯାଏ। କର୍ମଚାରୀଙ୍କ ପଦୋନ୍ନତି ନୀତିଗୁଡ଼ିକ ରାଜ୍ୟର ନିୟମ ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ତାହାକୁ ଦୃଷ୍ଟିରେ ରଖି ଏଠାରେ ବକେୟା ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଲାଗୁ କରିବା ଉଚିତ୍‌। ୨୦୧୬ ଜାନୁଆରି ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ରାଶିକୁ ୧୫ଲକ୍ଷ ଟଙ୍କାକୁ ସଂଶୋଧିତ ଏବଂ ସେମାନଙ୍କୁ ୨୦୧୬ ଜାନୁଆରି ୧ରୁ ସପ୍ତମ ବେତନ ମଞ୍ଜୁର କରାଯାଇପାରିବ। ପେନସନଭୋଗୀଙ୍କ ପେନ୍‌ସନ୍‌ ଉପରେ ପ୍ରାପ୍ୟ ଟିଆଇଗୁଡ଼ିକୁ ସେମାନଙ୍କ ଅବସରକାଳୀନ ତାରିଖରୁ ସମୟ ସମୟରେ ଟିଆଇଗୁଡ଼ିକର ସମୟକାଳୀନ ସଂଶୋଧନ ପରେ ବର୍ତ୍ତମାନ ହାରରେ ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି।

ଓଡ଼ିଶାରେ ସାମାଜିକ ବିଜ୍ଞାନ ଗବେଷଣାର ପରମ୍ପରାକୁ ସୁଦୃଢ଼ ଏବଂ ରାଜ୍ୟ ଅର୍ଥନୀତି, ସମାଜ ଓ ରାଜନୀତିର ବିଭିନ୍ନ ଦିଗ ଉପରେ ବିକାଶ ସମ୍ବନ୍ଧୀୟ ଅଭିଜ୍ଞତାମୂଳକ ଗବେଷଣା କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ଯୋଜନା, ନୀତି ପ୍ରଣୟନ ଓ ହସ୍ତକ୍ଷେପରେ ସାହାଯ୍ୟ କରିବାକୁ ୧୯୮୭ରେ ଏନ୍‌ସିଡିଏସ୍‌ ପ୍ରତିଷ୍ଠା ହୋଇଥିଲା। ଭାରତୀୟ ସାମାଜିକ ଗବେଷଣା ପରିଷଦ(ଆଇସିଏସ୍‌ଏସ୍‌ଆର) ସହଯୋଗରେ ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ଦାରିଦ୍ର୍ୟ, ଗ୍ରାମୀଣ ବିକାଶ, ଶିଳ୍ପ ବିକାଶ, ଆର୍ଥିକ ଶାସନ ସଂସ୍କାର, ପରିବେଶ ଏବଂ ପରିବେଶର ସନ୍ତୁଳିତ ବିକାଶ, ଆଦିବାସୀ, ଦଳିତ ଓ ମହିଳା ଭଳି ଅବହେଳିତ ଲୋକଙ୍କ ବିକାଶକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ପ୍ରଶଂସନୀୟ ଗବେଷଣା କରୁଛି। ଓଡ଼ିଶା ବିକାଶ ରିପୋର୍ଟ ୨୦୦୨, ଓଡ଼ିଶା ମାନବ ବିକାଶ ରିପୋର୍ଟ ୨୦୦୪ ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe