ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ସ୍ଥାନୀୟ ବିଧାନସଭା ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତି ନିକଟରେ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଲେ, ଓଡ଼ିଆ ଭାଷାକୁ ସରକାରୀସ୍ତରରେ ବ୍ୟବହାର କରିବାକୁ ପ୍ରମୁଖ ଉଦ୍ୟମ କରିଥିବା, ଶୋଷିତ ଓ ନିଷ୍ପେସିତ ଜନତାଙ୍କ ଦୁଃଖ ଶୁଣୁଥିବା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ବ୍ୟକ୍ତିତ୍ୱ ଥିଲେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ। ମଦ ବିରୋଧରେ ତାଙ୍କର ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରିତ କରି ଆସୁଛି। ତାଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ ବୋଲି ଶ୍ରୀ ଶତପଥୀ କହିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ପ୍ରଥମ ନବକୃଷ୍ଣ ଚୌଧୁରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମାଜସେବିକା ସୁମିତ୍ରା ଜେନା ଯୋଗଦେଇ ତାଙ୍କୁ ଏହା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଉପସ୍ଥିତ ଥିଲେ। ଅଭିଯାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅମରେନ୍ଦ୍ର ମହାପାତ୍ର, ନିରଂଜନ ସାହୁ, ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ସମିତା ମହାରଣା, ଲକ୍ଷ୍ମୀଧର ବେହେରା, ଲଗ୍ନଦୀପା ମିଶ୍ର, ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି।
ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ନବକୃଷ୍ଣ: ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ‘ନବକୃଷ୍ଣ ଚୌଧୁରୀ ସମ୍ମାନ’
Advertisment
Follow Us