ମଞ୍ଚସ୍ଥ ହେଲା ‘ନାଗମଣ୍ଡଳ’ ନାଟକରେ ନାରୀର ଅସ୍ମିତାର ପ୍ରଶ୍ନ

Advertisment
ମଞ୍ଚସ୍ଥ ହେଲା ‘ନାଗମଣ୍ଡଳ’ ନାଟକରେ ନାରୀର ଅସ୍ମିତାର ପ୍ରଶ୍ନ

ଭୁବନେଶ୍ବର: ସମାଜର ତଥାକଥିତ ଶୃଙ୍ଖଳାର ଶିକୁଳି ଓ ପୁରୁଷ ପ୍ରାଧାନ୍ୟ ସମାଜର ଚକ୍ରବ୍ୟୁହ ବେଳେବେଳେ ସ୍ତ୍ରୀକୁ ଅଗ୍ନିପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ବାଧ୍ୟ କରେ। ନାରୀଟିଏ ପୁରୁଷକୁ ପ୍ରଶ୍ନ ପଚାରି ପାରିବ ନା ନାହିଁ ତାହା ବି ପ୍ରଶ୍ନବାଚୀ ପାଲଟିଯାଏ। ଫଳରେ ନିର୍ଦୟ ସ୍ବାମୀଠାରୁ ବି ସ୍ତ୍ରୀକୁ ବେଳେବେଳେ ବିଷଧର ସାପ ବେଶୀ ଉଦାର ଲାଗେ। ଏହିଭଳି ଏକ ଗଭୀର ମନସ୍ତତ୍ତ୍ବ ଆଧାରିତ ଜଟିଳ କାହାଣୀକୁ ନେଇ ବିଜୁ ନାଟ୍ୟକେନ୍ଦ୍ରରେ ‘ନାଟ୍ୟଚକ୍ର’ କାର୍ଯ୍ୟକ୍ରମରେ ମଂଚସ୍ଥ ହୋଇଛି ‘ନାଗମଣ୍ଡଳ’। ନାରୀର ଅସ୍ମିତାର ପ୍ରଶ୍ନକୁ ନେଇ ଏହାକୁ ଚମତ୍କାର ଉପସ୍ଥାପନ କରିଛନ୍ତି ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନର ୨୪ତମ ବ୍ୟାଚ୍‌ର ଛାତ୍ରଛାତ୍ରୀ। ବିଶିଷ୍ଟ ନାଟ୍ୟକାର ଗିରୀଶ କନ୍ନଡ଼ଙ୍କ ରଚିତ ଏହି ନାଟକର ହୃଦୟସ୍ପର୍ଶୀ ପରିବେଷଣ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବସିରହିବାକୁ ବାଧ୍ୟ କରିଥିଲା।
ଗିରୀଶଙ୍କ ରଚିତ ଏହି ନାଟକକୁ ରମାକାନ୍ତ ବାନାର୍ଜୀ ନାଟ୍ୟରୂପ ଦେଇଥିବା ବେଳେ ନିର୍ଦେଶନା ଦେଇଛନ୍ତି ଦର୍ପନାରାୟଣ ସେଠୀ। ଧାରା ଶ୍ରାବଣୀ, ଭବେଶ, ଅନିଲ, ଶୁଚିସ୍ମିତା, ବିଧାନ, ଅସୀମାନନ୍ଦ, ଅଜିତ, ରାଜା, ସିମରନ, ରଶ୍ମିତା, ତପସ୍ବିନୀ, ଶାରଦା, ମିନତି, ସନ୍ତୋଷ, ରାକେଶ, ମୃତ୍ୟୁଞ୍ଜୟ, ହେମେନ୍ଦ୍ର, ଶ୍ରଦ୍ଧେନ୍ଦୁ, ପ୍ରିୟରଂଜନ, ଚନ୍ଦ୍ର, ବିଶ୍ବଜିତ, ଜ୍ୟୋତିରଂଜନ ଓ କରନ ପ୍ରମୁଖ ଅଭିନୟ କରିଥିଲେ। ଆସନ୍ତାକାଲି ମଧ୍ୟ ସନ୍ଧ୍ୟାରେ ଏହି ନାଟକ ପୁନଃ ମଂଚସ୍ଥ ହେବ।

ଆଜିର କାର୍ଯ୍ୟକ୍ରମକୁ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସଂସ୍କୃତି ମନ୍ତ୍ରାଳୟର ଅନୁଶାସନ ସଚିବ ରାଜେଶ ଶାହା, କଳିଙ୍ଗ ଟିଭିର ନିର୍ଦେଶକ ହିମାଂଶୁ ଖଟୁଆ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଶତାବ୍ଦୀର କଳାକାର ଅନୁଷ୍ଠାନର ସଭାପତି ଗୌରହରି ଦାସ ଉଦ୍‌ଘାଟନୀ ପର୍ବରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe