ନାକାଗେଟ୍–ଘାଟିକିଆ ରାସ୍ତା ଦବିବା ପ୍ରସଙ୍ଗ: ତାଳି ପଡ଼ିଲା, ଧୋଇଗଲା

Advertisment
ନାକାଗେଟ୍–ଘାଟିକିଆ ରାସ୍ତା ଦବିବା ପ୍ରସଙ୍ଗ: ତାଳି ପଡ଼ିଲା, ଧୋଇଗଲା

ଖଣ୍ଡଗିରି: ନାକାଗେଟ୍‌-ଘା‌ଟିକିଆ ରାସ୍ତା ଅବସ୍ଥାରେ ସୁଧାର ଆସିପାରୁନାହିଁ। ସ୍ବେରେଜ୍‌ କାମ ପରଠାରୁ ରାସ୍ତା ମରଣଯନ୍ତା ପାଲଟିଛି। ତରବରିଆ ଭାବେ କାମ କଲେ, ରାସ୍ତା ଦବିଗଲା। ତରବରିଆ ଭାବେ ମରାମତି କଲେ, ମାତ୍ର ଅସରାଏ ବର୍ଷାରେ ଧୋଇଗଲା। ଏବେ ଲୋକେ ଖାଲଖମା ଭର୍ତ୍ତି ରାସ୍ତାରେ ଯାତାୟାତ କରି ବଡ଼ ହନ୍ତସନ୍ତ ହେଉଛନ୍ତି।

ନାକାଗେଟ୍‌ରୁ ଘାଟିକିଆ ପର୍ଯ୍ୟନ୍ତ ରାସ୍ତାରେ ଚାଲିଥିବା ସ୍ବେରେଜ୍‌ ଲାଇନ କାମ ମାସକ ତଳେ ସରିଥିଲା। ଖୋଳା ହୋଇଥିବା ରାସ୍ତାକୁ ତରବରିଆ ଭାବେ ମରାମତି କରିଦେଲେ। ଫଳରେ ବର୍ଷା‌ ଆରମ୍ଭ ହେଉହେଉ ରାସ୍ତାର ୧୦/୧୫ ସ୍ଥାନ ଦବିଗଲା। ସ୍ବେରେଜ୍‌ ଚାମ୍ବର ପାଖ ଦବିଯାଇ ବଡ଼ବଡ଼ ଗାତ ହୋଇଗଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୱାଟ୍‌କୋ ପକ୍ଷରୁ ୨୨ତାରିଖରେ ଦବିଥିବା ସ୍ଥାନରେ ବାଲି ଗୋଡ଼ି ମିଶାଇ ତାଳି ପକାଇ ମରାମତି କରାଯାଇଥିଲା।

କିନ୍ତୁ ମାତ୍ର ୩ ଦିନ ପରେ ହୋଇଥିବା ଅସରାଏ ବର୍ଷାରେ ତାଳି ପଡ଼ିଥିବା ଗାତରୁ ବାଲି ଗୋଡ଼ି ବୋହିଗଲା। ଫଳରେ ଉକ୍ତ ୨କିଲୋମିଟର ରାସ୍ତା ପୁଣି ବଡ଼ କଦର୍ଯ୍ୟ ହୋଇଯାଇଛି। ବିଶେଷକରି ରାତିରେ ଏହି ରାସ୍ତାରେ ଯାତାୟାତ କରିବା ଯାହା ମରଣକୁ ବରଣ କରିବା ତାହା ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ କହିଛନ୍ତି। ଏବେ ପ୍ରତିଦିନ ଏହି ରାସ୍ତାରେ ଛୋଟମୋଟ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଟ୍ରାଫିକ ଜାମ୍‌ରେ ଫସିବା ବି ସବୁଦିନିଆ ଘଟଣା। ଏନେଇ ୱାଟ୍‌କୋ ଏବଂ ପୂର୍ତ୍ତ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe